ମାୟାମୀ, ୨୯/୦୩: ଚଳିତ ମାୟାମୀ ଓପନ  ଟେନିସ୍‌ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ଫାଇନାଲ୍‌ ଲାଇନ୍‌  ଅପ୍‌ ଚୂଡ଼ାନ୍ତ ହୋଇଛି । ଆସନ୍ତା ରବିବାର ଟପ୍‌ ସିଡ୍‌  ଅର୍ନ୍ୟା ସାବାଲେଙ୍କା ଓ ଚତୁର୍ଥ ସିଡ୍‌ ଜେସିକା ପେଗୁଲାଙ୍କ  ମଧ୍ୟରେ ଟାଇଟଲ୍‌ ଲଢ଼େଇ ହେବ । ପୁରୁଷ ବର୍ଗରେ  ସେମି ଫାଇନାଲ୍‌ ଲାଇନ୍‌ ଚୂଡ଼ାନ୍ତ ହୋଇଛି । ଶନିବାର  ନୋଭାକ ଜୋକୋଭିକ-ଗ୍ରିଗୋର ଦିମିତ୍ରୋଭ  ଏବଂ ଟେଲର ଫ୍ରିଜ୍‌-ଚେକ୍‌ ଗଣରାଜ୍ୟର ଜାକବ ମେନ୍‌ସିକ୍‌ଙ୍କ ମଧ୍ୟରେ ସେମି ଫାଇନାଲ୍‌ ଖେଳାଯିବ । 

ମହିଳା ସିଙ୍ଗଲ୍ସ: ସେମିରେ ବିଶ୍ୱର ଏକ ନମ୍ବର  ଖେଳାଳି ବେଲାରୁଷର ସାବାଲେଙ୍କା ସିଧାସଳଖ  ୬-୨, ୬-୨ ସେଟ୍‌ରେ ଷଷ୍ଠ ସିଡ୍‌ ଇଟାଲୀର ଯସ୍ମିନ  ପାଓଲିନିଙ୍କୁ ପରାସ୍ତ କରିଥିଲେ । ମ୍ୟାଚ୍‌ ଜିତିବା ପାଇଁ  ତାଙ୍କୁ ୧ଘଣ୍ଟା ୧୩ମିନିଟ୍‌ ଲାଗିଥିଲା । ସେ ପ୍ରଥମ ଥର  ମାୟାମୀ ଓପନ ଏବଂ କ୍ୟାରିୟରରେ ୧୨ ଥର ଡବ୍ଲ୍ୟୁଟିଏ  ୧୦୦୦ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଅନ୍ୟ  ମ୍ୟାଚ୍‌ରେ ଆମେରିକାର ପେଗୁଲା ୭-୬ (୭-୩),  ୫-୭, ୬-୩ରେ ଫିଲିପାଇନ୍ସର ଆଲେଜାନ୍ଦ୍ରା ଏଲାଙ୍କୁ  ହରାଇଥିଲେ । ଏଲା ପୂର୍ବରୁ ଗ୍ରାଣ୍ଡସ୍ଲାମ୍‌ ଜିତିଥିବା ୩ଜଣ  ଖେଳାଳିଙ୍କୁ ହରାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । 

ପୁରୁଷ ସିଙ୍ଗଲ୍ସ: କ୍ୱାର୍ଟରରେ ଚତୁର୍ଥ ସିଡ୍‌ ସର୍ବିୟା  ତାରକା ଜୋକୋଭିକ ୬-୩, ୭-୬ (୭-୪)ରେ  ଆମେରିକାର ସେବାଷ୍ଟିଆନ୍‌ କର୍‌ଡାଙ୍କୁ ପରାଜିତ  କରିଥିଲେ । ଏଥିସହ ସେ (୩୭ବର୍ଷ ୧୦ମାସ)  ବୟୋଜ୍ୟେଷ୍ଠ ଖେଳାଳି ଭାବେ ଏଟିପି ମାଷ୍ଟର୍ସ  ୧୦୦୦ ସେମିରେ ପ୍ରବେଶ କରିଛନ୍ତି । ପୂର୍ବରୁ ଏହି  ରେକର୍ଡ଼ ପ୍ରସିଦ୍ଧ ଖେଳାଳି ରୋଜର ଫେଡେରର  (୩୭ବର୍ଷ ୭ମାସ)ଙ୍କ ନାମରେ ରହିଥିଲେ । ଅନ୍ୟ  ମ୍ୟାଚ୍‌ରେ ତୃତୀୟ ସିଡ୍‌ ଫ୍ରିଜ୍‌ ୭-୫, ୬-୭ (୭- ୯), ୭-୫ରେ ଇଟାଲୀର ମାଟେଓ ବେରେଟିନିଙ୍କୁ,  ବୁଲଗାରିଆର ଦିମିତ୍ରୋଭ ୬-୭ (୬-୮), ୬-୪,  ୭-୬ (୭-୩)ରେ ଆର୍ଜେଣ୍ଟିନାର ଫ୍ରାନ୍ସିସ୍କୋ  ସେରୁଣ୍ଡୋଲୋଙ୍କୁ ଏବଂ ଚେକ ଗଣରାଜ୍ୟର  ମେନସିକ୍‌ ୭-୬ (୭-୫), ୬-୧ରେ ଫ୍ରାନ୍ସର  ଆର୍ଥର ଫିଲ୍ସଙ୍କୁ ହରାଇ ସେମିରେ ପ୍ରବେଶ କରିଛନ୍ତି ।