ନୂଆଦିଲ୍ଲୀ,୧୧/୧୦: ଗୁରୁବାର ରାତିରେ ଲେବାନନର ରାଜଧାନୀ ବେରୁଟ ସହରରେ ଇସ୍ରାଏଲ ଅନେକ ଏୟାରଷ୍ଟ୍ରାଇକ କରିଥିଲା। ଏହି ଆକ୍ରମଣରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୭ ଜଣ ଆହତ ହୋଇଛନ୍ତି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ଅନୁଯାୟୀ, ଏହି ଏୟାର ଷ୍ଟ୍ରାଇକ୍ ରସ୍ ଏଲ୍ ନାବେହ, ଅଲ-ନୁୱାଇରି ଅଞ୍ଚଳକୁ ଟାର୍ଗେଟ କରି କରାଯାଇଥିଲା। ଲେବାନନରେ ସକ୍ରିୟ ଥିବା ଇରାନ ସମର୍ଥିତ ସଂଗଠନ ହିଜବୁଲ୍ଲାହ ଇସ୍ରାଏଲ ଉପରେ ଅନେକ ଆକ୍ରମଣ କରିଥିଲା, ଏହାର ଜବାବରେ ଇସ୍ରାଏଲ ହିଜବୁଲ୍ଲାହର ପ୍ରମୁଖ ନେତା ତଥା ଅଞ୍ଚଳଗୁଡ଼ିକ ଉପରେ ଟାର୍ଗେଟ କରିଥିଲା।
ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ କିଛି ମିନିଟ୍ ମଧ୍ୟରେ ଅନେକ ଏୟାରଷ୍ଟ୍ରାଇକ କରିଥିଲା। କହିରଖୁଛୁ ଯେ, ଘଞ୍ଚ ଜନବହୁଳ ଆବାସିକ ଅଞ୍ଚଳକୁ ଟାର୍ଗେଟ କରି ଏହି ଏୟାରଷ୍ଟ୍ରାଇକ କରାଯାଇଥିଲା। ଏହି ଆକ୍ରମଣରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୁରକ୍ଷା ସୂତ୍ରରୁ ପ୍ରକାଶ ଯେ ଏହି ଆକ୍ରମଣରେ ଇସ୍ରୋ ହିଜବୁଲ୍ଲାର ଜଣେ ବରିଷ୍ଠ ନେତାଙ୍କୁ ଟାର୍ଗେଟ କରିଛି। ଇସ୍ରାଏଲର ଅନେକ ଅସଫଳ ଉଦ୍ୟମ ପରେ, ଏହି ଆକ୍ରମଣ ବହୁ ପରିମାଣରେ ସଫଳ ବୋଲି ବିବେଚନା କରାଯାଏ।
ଏହି ଇସ୍ରାଏଲ୍ ଆକ୍ରମଣରେ କେବଳ ଲେବାନନର ସ୍ଥାନୀୟ ଲୋକ ଆହତ ହୋଇନାହାଁନ୍ତି ବରଂ ମିଳିତ ଜାତିସଂଘର ଶାନ୍ତି ରକ୍ଷାକାରୀମାନେ ମଧ୍ୟ ଆହତ ହୋଇଛନ୍ତି। ଆଇଡିଏଫ୍ ଲେବାନନରେ ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କୁ ବାରମ୍ବାର ଆକ୍ରମଣ କରିଥିବା ବେଳେ ଏଥିରେ ଇଣ୍ଡୋନେସିଆର ଦୁଇ ଶାନ୍ତି ରକ୍ଷାକାରୀଙ୍କୁ ଆହତ କରିଥିବା ଅଭିଯୋଗ ହୋଇଛି। ଇଟାଲୀ ପ୍ରତିରକ୍ଷା ମନ୍ତ୍ରୀ ଗୁଇଡୋ କ୍ରୋସେଟୋ ଏହାକୁ ଏକ ଶତ୍ରୁ କାର୍ଯ୍ୟ ବୋଲି ନିନ୍ଦା କରିଛନ୍ତି। ଆଇଡିଏଫ୍ର ଆକ୍ରମଣକୁ ସ୍ପେନ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି କହିଛି। ମିଳିତ ଜାତିସଂଘ ଏହାର ଗମ୍ଭୀରତାକୁ ନେଇ ଉଦ୍ବେଗ ପ୍ରକାଶ କରିଛି।