ତେଲ୍ ଆଭିଭ/ତେହରାନ, ୩୦/୦୩ : ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ମାସେ ବିତିଥିବା ବେଳେ ମିସାଇଲ, ଡ୍ରୋନ ମାଡ଼ ଆହୁରି ଭୟଙ୍କର ହେବାରେ ଲାଗିଛି । ଯୁଦ୍ଧ କ୍ରମେ ପ୍ରଚଣ୍ଡ ରୂପ ନେଉଛି । ଇସ୍ରାଏଲୀ ସେନା ରବିବାର ଇରାନ ରାଜଧାନୀ ତେହରାନରେ ଥିବା ବାଲିଷ୍ଟିକ୍ ମିସାଇଲ ୟୁନିଟ୍ ଉପରେ ମିସାଇଲ ମାଡ଼ କରିଛି । ଏଥିରେ ୟୁନିଟଟି ଛାରଖାର ହୋଇଯାଇଛି । ଇରାନରେ ଏଭଳି ମାତ୍ର ଦୁଇଟି ମିସାଇଲ ୟୁନିଟ ରହିଥିଲା । ଇସ୍ରାଏଲର ଏହି ଆକ୍ରମଣରେ ବାଲିଷ୍ଟିକ୍ ମିସାଇଲ ଇଞ୍ଜିନ, ଡ୍ରୋନ ଉତ୍ପାଦନ ୟୁନିଟ, ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏବଂ ମିସାଇଲ ଭଣ୍ଡାର କ୍ଷତିଗ୍ରସ୍ତ ହୋଇଛି । ୨୯ଟି ଲଞ୍ଚ୍ ସାଇଟ୍ ଧ୍ୱଂସ ହୋଇଯାଇଛି ।
ଫେବ୍ରୁଆରୀ ୨୮ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଇସ୍ରାଏଲ ସେନା ଇରାନର ଅନେକ ସଂଖ୍ୟକ ଅସ୍ତ୍ର ଉତ୍ପାଦନ ୟୁନିଟକୁ ଟାର୍ଗେଟ୍ କରିଛି । ଆଣବିକ କାର୍ଯ୍ୟକ୍ରମ ସହ ଜଡ଼ିତ ପ୍ଲାଣ୍ଟ ଉପରେ ମଧ୍ୟ ହମ୍ଲା କରିଛି । ତେବେ ଇରାନର ମିସାଇଲ କ୍ଷମତା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ ଏବଂ ଏହା ଏବେ ମଧ୍ୟ ହମଲା ପାଇଁ ସକ୍ଷମ ଥିବା ବିଶେଷଜ୍ଞମାନେ କହିଛନ୍ତି । ତେହରାନରେ ଥିବା ଟିଭି ଚ୍ୟାନେଲ ଅଲ୍-ଅରବୀ ଟିଭିର ମୁଖ୍ୟାଳୟ ଉପରେ ଏୟାରଷ୍ଟ୍ରାଇକ ହୋଇଛି । ଏଥିରେ ମୁଖ୍ୟାଳୟ କୋଠା ଏବଂ ଆଖପାଖ ଅଞ୍ଚଳରେ ଥିବା ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ଏ ପ୍ରସଙ୍ଗରେ ଚ୍ୟାନେଲ ପକ୍ଷରୁ କୌଣସି ବୟାନ ଜାରି ହୋଇନାହିଁ । ଆମେରିକା ଓ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଇରାନରେ ମୋଟ ମୃତ୍ୟୁ ସଂଖ୍ୟା ୨,୦୭୬ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ୨୧୬ ପିଲା ଅଛନ୍ତି । ଅଦ୍ୟାବଧି ୨୬,୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧,୭୬୭ ପିଲା ରହିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଏହାଛଡ଼ା ଦେଶବ୍ୟାପୀ ୩୦ ଦିନ ହେଲା ଇଣ୍ଟରନେଟ୍ ବନ୍ଦ ରହିଛି ।
ଆହୁରି ପଢନ୍ତୁ- ଇରାନ ଯୁଦ୍ଧରେ ଆମେରିକାର ୨୯ ହଜାର କୋଟିର ସାମରିକ କ୍ଷତି, ବର୍ବାଦ ହେଲାଣି ଅନେକ ଯୁଦ୍ଧବିମାନ
ଇସ୍ରାଏଲ କହିଛି, ଆମେ ଅନେକ ମୋର୍ଚ୍ଚାରୁ ଏକସଙ୍ଗେ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୩୦ ଦିନ ବିତିଥିଲେ ବି ଇରାନ ଦୁର୍ବଳ ପଡ଼ିନାହିଁ । ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଏହାର ମନୋବଳ କମିନାହିଁ । ଏହା ମଧ୍ୟ ସାଙ୍ଘାତିକ ଆକ୍ରମଣ ଜାରି ରଖିଛି । ସଦ୍ୟ ଘଟଣାରେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସେନା ଘାଟିଗୁଡ଼ିକୁ ଏହା ଟାର୍ଗେଟ୍ କରିଛି । ଇସ୍ରାଏଲ୍ ଉପରେ ମଧ୍ୟ ହମଲା କରିଛି । ଜୋର୍ଡାନରେ ଥିବା ଆମେରିକୀୟ ଘାଟି ଉପରେ ଇରାନ ଡ୍ରୋନ ମାଡ଼ କରିଛି । ରିପୋର୍ଟ ମୁତାବକ, ଅଜରାକରେ ମୁୱାଫାକ ସାଲ୍ତୀ ଘାଟି ଉପରେ ଏହି ହମଲା ହୋଇଛି । ସେହିଭଳି ସିରିୟାରେ ଥିବା ଆମେରିକୀୟ ସେନା ଘାଟି ଉପରେ ମଧ୍ୟ ଆକ୍ରମଣ କରିଛି ଇରାନ । ଏଥିରେ ଡ୍ରୋନ ବ୍ୟବହାର କରାଯାଇଥିଲା । ଆକ୍ରମଣ ପରେ ସ୍ଥାନୀୟ ଆବାସିକ ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଥିଲା । ଗୋଟିଏ ବଡ଼ ଗହମ ଗୋଦାମ ଧ୍ୱଂସ ହୋଇଯାଇଛି । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଖାଦ୍ୟ ସଙ୍କଟ ଉପୁଜିବା ନେଇ ଆଶଙ୍କା ଉପୁଜିଛି । ଇରାକରେ ମଧ୍ୟ ଆକ୍ରମଣ କରିଛି ଇରାନ । ରାଜଧାନୀ ବାଗଦାଦର କରାଦା ଅଞ୍ଚଳରେ ଡ୍ରୋନ ପଡ଼ିବା ଯୋଗୁ ଜନବସତି ଅଞ୍ଚଳ ପ୍ରଭାବିତ ହୋଇଛି । ଏହାଛଡ଼ା ଇରାନର ବାଲିଷ୍ଟିକ ମିସାଇଲ ଆକ୍ରମଣ ପରେ ଇସ୍ରାଏଲର ଦକ୍ଷିଣ ଭାଗରେ ଥିବା ଏକ ଶିଳ୍ପ ଅଞ୍ଚଳରେ ନିଆଁ ଲାଗିଯାଇଥିଲା ।
ରିପୋର୍ଟ ଅନୁସାରେ, ବେରଶେବା ନିକଟରେ ଥିବା ନିୟୋଟ ହୋୱାବ ଶିଳ୍ପାଞ୍ଚଳ ଉପରେ ମିସାଇଲ ପଡ଼ିବା ଯୋଗୁ ଅଗ୍ନିକାଣ୍ଡ ହୋଇଥିଲା । ଘଟଣା ପରେ ଉଦ୍ଧାରକାରୀ ଦଳ ପହଞ୍ଚି ନିଆଁ ଲିଭାଇଥିଲେ । କେନ୍ଦ୍ରୀୟ ଇସ୍ରାଏଲର କିଛି ଅଞ୍ଚଳ ଉପରେ ଆକ୍ରମଣ ଯୋଗୁ ଜୋରଦାର ଧମାକା ହୋଇଥିଲା । ଏହାପରେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଥିଲା । ୟୁଏଇରେ ମଧ୍ୟ ଇରାନ ଆକ୍ରମଣ କରିଛି । ତେବେ ଇରାନର ୪୨ ଡ୍ରୋନ ଓ ୧୬ ମିସାଇଲକୁ ୟୁଏଇ ସେନା ମାରି ଖସାଇ ଦେଇଥିବା ଦେଶର ସରକାର କହିଛନ୍ତି । ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଯୁଦ୍ଧ ଆରମ୍ଭରୁ ଇରାନ ଅଦ୍ୟାବଧି ୟୁଏଇ ଉପରେ ୪୧୪ ବାଲିଷ୍ଟିକ ମିସାଇଲ, ୧୫ କ୍ରୁଜ ମିସାଇଲ ଏବଂ ୧୯୦୦ରୁ ଅଧିକ ଡ୍ରୋନ ମାଡ଼ କରିଥିଲା । କିନ୍ତୁ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ ଆକ୍ରମଣକୁ ପଣ୍ଡ କରିଦେଇଛି ।