ଭୁବନେଶ୍ୱର,୧୦/୧୧: ଚାହିଦା ବଢ଼ୁଛି । ରୋଜଗାର ଓ ପ୍ରୋତ୍ସାହନ ଦେଇଛି । ବିଶ୍ୱସ୍ତରରେ  ପ୍ରଶଂସା ବି ସାଉଁଟୁଛି । କେବଳ ବାକି ଅଛି ଜିଆଇ ଟ୍ୟାଗ୍‌ ମାନ୍ୟତା । ବିଶେଷକରି ମାଲକାନଗିରି ଜିଲ୍ଲାର ‘ଗୁପ୍ତେଶ୍ୱର ମାମି’, କୋରାପୁଟର ‘ଗୁପ୍ତେଶ୍ୱର  ଭାରତୀ’, ‘ଲକ୍ଷ୍ମୀପୁର କାଳିଆ’, ‘କୁନ୍ଦୁରା ବାଟି’ ଭଳି  ୪ ଉନ୍ନତ ମାଣ୍ଡିଆ ପ୍ରଜାତିକୁ ସାରା ଭାରତରେ ଥିବା  ବିହନ ଚେନ୍‌ରେ ସାମିଲ କରାଯାଇଛି । କୋରାପୁଟର ଏହି ମାଣ୍ଡିଆ ଦେଶୀ ପ୍ରଜାତିର ହୋଇଥିବାବେଳେ  ଏହା ଜଳବାୟୁ ସହନଶୀଳ ମଧ୍ୟ । ଏହା କେବଳ  କୋରାପୁଟରେ ହିଁ ଚାଷ ହୁଏ । ଏବେ ସେଥିମଧ୍ୟରୁ  ପାରମ୍ପରିକ ‘ବାଟି ମାଣ୍ଡିଆ’ ଜିଆଇ ଟ୍ୟାଗ୍‌ ମାନ୍ୟତା  ପାଇଁ କୃଷି ବିଭାଗ ବିଚାର କରୁଛି । କୃଷି ବିଭାଗ  ରିପୋର୍ଟ-୨୦୨୪-୨୫ରେ ବି ଏହା ଉପରେ  ଦର୍ଶାଯାଇଛି । ବାଟି ମାଣ୍ଡିଆ କମ୍‌ ପାଣି ଓ ବିନା  ରାୟାୟନିକ ସାରରେ ଭଲ ଅମଳ ହେଉଛି । ଯାହାକୁ  ପରିଚୟ ଦେଇଥିଲେ ଓଡ଼ିଶାର ମାଣ୍ଡିଆ ରାଣୀ  ରାଉମତି ଘିଉରିଆ ।

ଦିନ ଥିଲା ମାଣ୍ଡିଆକୁ ଗରିବଙ୍କ ଖାଦ୍ୟ କୁହାଯାଉଥିଲା । ହେଲେ ରାଜ୍ୟ ସରକାରଙ୍କ ‘ମିଲେଟ୍‌  ମିଶନ୍‌’, ମାଣ୍ଡିଆର ବଜାରୀକରଣ, ମାଣ୍ଡିଆରୁ ପ୍ରସ୍ତୁତ  ଖାଦ୍ୟ ଓ ମେଳା ମହୋତ୍ସବରେ ଏହାକୁ ସାମିଲ କଲା ପରେ ଏବେ ମାଣ୍ଡିଆ ସବୁବର୍ଗର ଲୋକଙ୍କୁ ବେଶ୍‌ ଛୁଇଁଛି । ସମସ୍ତେ ଏହାକୁ ଖାଉଛନ୍ତି । ମାଇକ୍ରୋସଫ୍ଟ  ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ବି ଓଡ଼ିଶା ମାଣ୍ଡିଆ ଖାଇ  ପ୍ରଶଂସା କରିଛନ୍ତି । ଏବେ ଯୁବପିଢି ବି ମାଣ୍ଡିଆ  ପ୍ରେମରେ ବାୟା । ସୋସିଆଲ ମିଡିଆରୁ ନେଇ  ପାଠ୍ୟପୁସ୍ତକ ପର୍ଯ୍ୟନ୍ତ ସବୁଠି ମାଣ୍ଡିଆର ଆଦର । ପ୍ରତି  ଜିଲ୍ଲାରେ ମିଲେଟ୍‌ ଆଉଟଲେଟ୍‌ ସହ ବିଭିନ୍ନ ମେଳା,  ମହୋତ୍ସବରେ ମାଣ୍ଡିଆ ଷ୍ଟଲ୍‌ରେ ଭିଡ଼ ଜମୁଛି । ପୂର୍ବରୁ  କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ,  ସୁନ୍ଦରଗଡ଼, କଳାହାଣ୍ଡି, ଗଜପତି ଭଳି ଜିଲ୍ଲାରେ  ଅଧିକ ମିଲେଟ୍‌ ଚାଷ ହେଉଥିବା ବେଳେ ମିଲେଟ୍‌  ମିଶନ୍‌ ଜରିଆରେ ବର୍ତ୍ତମାନ ସମଗ୍ର ୩୦ଟି ଜିଲ୍ଲାରେ  ମାଣ୍ଡିଆକୁ ଧାନ ସହ ଚାଷ କରାଯାଉଛି । ୩୦ଟି ଜିଲ୍ଲାର  ୧୭୭ବ୍ଲକରେ ୧୪୮୪୧ଟି ଗ୍ରାମରେ ମାଣ୍ଡିଆ ଫଳୁଛି ।  ମୋଟ ୨୪୩୨୫୬ ଚାଷୀ ଏଥିରେ ସଂପୃକ୍ତ ଅଛନ୍ତି ।  ୨୦୧୮-୧୯ରେ ରାଜ୍ୟରେ ମୋଟ ୧୭ହଜାର କୁଇଣ୍ଟାଲ  ମାଣ୍ଡିଆ ଉତ୍ପାଦନ ହୋଇଥିଲା । ୨୦୨୩-୨୪ରେ  ଏହାବଢ଼ି ୪.୫ ଲକ୍ଷ ଓ ୨୦୨୪-୨୫ରେ ମୋଟ ୬ଲକ୍ଷ  କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଛି । ତେଣୁ ଏଥିରୁ  ଅନୁମେୟ ରାଜ୍ୟରେ ମାଣ୍ଡିଆ ଚାଷ ବଢ଼ିଚାଲିଛି ।

ମାଣ୍ଡିଆ ଉପରେ ଓଡ଼ିଶା କୃଷି ଓ ବୈଷୟିକ  ବିଶ୍ୱବିଦ୍ୟାଳୟ(ଓୟୁଏଟି) ନିରନ୍ତର ଭାବେ ଗବେଷଣା  ଓ ଚାଷ କରିଆସୁଛି । ବ୍ରହ୍ମପୁରରେ ଥିବା ସର୍ବଭାରତୀୟ  ଜାତୀୟ ଗବେଷଣା ପ୍ରକଳ୍ପ ମାଧ୍ୟମରେ ଅଦ୍ୟାବଧି  ସର୍ବମୋଟ ୭ଟି ମାଣ୍ଡିଆ ଓ ୬ଟି ସୁଆଁ କିସମ ବିକଶିତ  କରାଯାଇଛି । ସେଥିମଧ୍ୟରେ ଦିବ୍ୟସିଂହ(୧୯୭୧),  ନୀଳାଚଳ(୧୯୮୫), ଶୁଭ୍ରା(୧୯୯୯),  ଭୈରବୀ(୧୯୯୯), ଚିଲିକା(୨୦୦୧),  କାଳିଆ(୨୦୧୬) ଓ ଅର୍ଜୁନ(୨୦୧୬) ଆଦି ମାଣ୍ଡିଆ  ପ୍ରଜାତି ଏବଂ ତାରିଣୀ(୨୦୦୧), କୋଲାବ(୨୦୦୧),  ସବର(୨୦୦୧), ସଉରା(୨୦୦୯), କଳିଙ୍ଗ  ସୁଆଁ୨୧୭(୨୦୨୦), କଳିଙ୍ଗ ସୁଆଁ ୧୮(୨୦୨୨) ଆଦି  ରହିଛି । ସେଥିମଧ୍ୟରୁ ୧୯୭୧ରୁ ୨୦୦୯ ପର୍ଯ୍ୟନ୍ତ ରିଲିଜ୍‌  ହୋଇଥିବା ମାଣ୍ଡିଆ ଓ ସୁଆଁ ବିହନ ଆଉ ମିଳୁନି ।  ହେଲେ କାଳିଆ, ଅର୍ଜୁନ ଏବେବି ଅଛି । ଗତ ୩ବର୍ଷ  ମଧ୍ୟରେ ଓୟୁଏଟି ‘ଶ୍ରୀରତ୍ନ’, ‘ଶ୍ରୀପ୍ରଭା’ ଓ ‘ଶ୍ରୀନିଧି’  ଭଳି ରୋଗପୋକ ସହନଶୀଳ ମାଣ୍ଡିଆ ସୃଷ୍ଟି କରିଛି ।  ଏସବୁ ମାଣ୍ଡିଆ ସହ କଳିଙ୍ଗ ସୁଆଁ ୨୧୭ ଓ କଳିଙ୍ଗ  ସୁଆଁ ୧୮ ଏବେ ଚାଷୀଙ୍କୁ ସାହା ହୋଇଛି । କଳିଙ୍ଗ  ସୁଆଁ ୧୮ ମାତ୍ର ୯୨ଦିନରେ ଅମଳ ହେଉଥିବା ବେଳେ  କଳିଙ୍ଗ ସୁଆଁ ୨୧୭ ଅମଳ ହେବାକୁ ୧୧୫ଦିନ ଲାଗୁଛି।  ଏଥିରେ ଜିଙ୍କ୍‌, ଆଇରନ୍‌ ଓ କ୍ୟାଲ୍‌ସିୟମ୍‌ ଭରପୁର  ଥିବା ବରିଷ୍ଠ ବୈଜ୍ଞାନିକ ଡ.ପବିତ୍ର ମୋହନ ମହାପାତ୍ର  ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ, ମାଣ୍ଡିଆ  ବ୍ୟତୀତ ଅଣମାଣ୍ଡିଆ ପ୍ରଜାତି ଉପରେ ଫୋକସ୍‌ କରିଛି  ଓୟୁଏଟି । ସେଥିମଧ୍ୟରେ କାଙ୍ଗୁ, ଜୋଆର ଓ ବାଜରା  ଉତ୍ପାଦନକୁ ଗୁରୁତ୍ୱ ଦେଇ ଗବେଷଣା ଆରମ୍ଭ କରିଥିବା  ଓୟୁଏଟି କର୍ତ୍ତୃପକ୍ଷ କହିଛନ୍ତି । 

ଗତ ବର୍ଷକ ତଳେ ଓଡ଼ିଶା କେନ୍ଦ୍ରୀୟ  ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡ. ଦେବବ୍ରତ  ପଣ୍ଡା କୋରାପୁଟରେ ଚାଷ ହେଉଥିବା ବିଭିନ୍ନ ଦେଶୀ  ମାଣ୍ଡିଆର ଜଳବାୟୁ ବିପର୍ଯ୍ୟୟ ସହନଶୀଳତା ଉପରେ  ଗବେଷଣା କରଥିଲେ । ତାଙ୍କ ଗବେଷଣାରୁ ଜଣାପଡ଼ିଛି  ଯେ ୬ ପ୍ରକାର ପାରମ୍ପରିକ ମାଣ୍ଡିଆ ଯଥା ‘ଲଡୁ’,  ‘ଲାଲା’, ‘ବାଟି’, ‘ବିରି’, ‘ଟୁମୁକା’ ଓ ‘ଭାଲୁ’  ପ୍ରଜାତି ମରୁଡି ପରିବେଶକୁ ସହ୍ୟ କରିବାର କ୍ଷମତା  ରଖିଛି । ଏହି ପ୍ରଜାତି ମାଣ୍ଡିଆ ଚାଷ କମ ପାଣିରେ ମଧ୍ୟ  କରାଯାଇପାରିବ । ଏହି ପ୍ରକାର ମାଣ୍ଡିଆର ଗୁଣସୂତ୍ରରେ  ବିଭିନ୍ନ ପ୍ରକାର ସହନଶୀଳତା ଜିନ୍‌ ରହିଛି ।