ଭୁବନେଶ୍ୱର,୧୦/୧୧: ଚାହିଦା ବଢ଼ୁଛି । ରୋଜଗାର ଓ ପ୍ରୋତ୍ସାହନ ଦେଇଛି । ବିଶ୍ୱସ୍ତରରେ ପ୍ରଶଂସା ବି ସାଉଁଟୁଛି । କେବଳ ବାକି ଅଛି ଜିଆଇ ଟ୍ୟାଗ୍ ମାନ୍ୟତା । ବିଶେଷକରି ମାଲକାନଗିରି ଜିଲ୍ଲାର ‘ଗୁପ୍ତେଶ୍ୱର ମାମି’, କୋରାପୁଟର ‘ଗୁପ୍ତେଶ୍ୱର ଭାରତୀ’, ‘ଲକ୍ଷ୍ମୀପୁର କାଳିଆ’, ‘କୁନ୍ଦୁରା ବାଟି’ ଭଳି ୪ ଉନ୍ନତ ମାଣ୍ଡିଆ ପ୍ରଜାତିକୁ ସାରା ଭାରତରେ ଥିବା ବିହନ ଚେନ୍ରେ ସାମିଲ କରାଯାଇଛି । କୋରାପୁଟର ଏହି ମାଣ୍ଡିଆ ଦେଶୀ ପ୍ରଜାତିର ହୋଇଥିବାବେଳେ ଏହା ଜଳବାୟୁ ସହନଶୀଳ ମଧ୍ୟ । ଏହା କେବଳ କୋରାପୁଟରେ ହିଁ ଚାଷ ହୁଏ । ଏବେ ସେଥିମଧ୍ୟରୁ ପାରମ୍ପରିକ ‘ବାଟି ମାଣ୍ଡିଆ’ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ କୃଷି ବିଭାଗ ବିଚାର କରୁଛି । କୃଷି ବିଭାଗ ରିପୋର୍ଟ-୨୦୨୪-୨୫ରେ ବି ଏହା ଉପରେ ଦର୍ଶାଯାଇଛି । ବାଟି ମାଣ୍ଡିଆ କମ୍ ପାଣି ଓ ବିନା ରାୟାୟନିକ ସାରରେ ଭଲ ଅମଳ ହେଉଛି । ଯାହାକୁ ପରିଚୟ ଦେଇଥିଲେ ଓଡ଼ିଶାର ମାଣ୍ଡିଆ ରାଣୀ ରାଉମତି ଘିଉରିଆ ।
ଦିନ ଥିଲା ମାଣ୍ଡିଆକୁ ଗରିବଙ୍କ ଖାଦ୍ୟ କୁହାଯାଉଥିଲା । ହେଲେ ରାଜ୍ୟ ସରକାରଙ୍କ ‘ମିଲେଟ୍ ମିଶନ୍’, ମାଣ୍ଡିଆର ବଜାରୀକରଣ, ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଓ ମେଳା ମହୋତ୍ସବରେ ଏହାକୁ ସାମିଲ କଲା ପରେ ଏବେ ମାଣ୍ଡିଆ ସବୁବର୍ଗର ଲୋକଙ୍କୁ ବେଶ୍ ଛୁଇଁଛି । ସମସ୍ତେ ଏହାକୁ ଖାଉଛନ୍ତି । ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ବି ଓଡ଼ିଶା ମାଣ୍ଡିଆ ଖାଇ ପ୍ରଶଂସା କରିଛନ୍ତି । ଏବେ ଯୁବପିଢି ବି ମାଣ୍ଡିଆ ପ୍ରେମରେ ବାୟା । ସୋସିଆଲ ମିଡିଆରୁ ନେଇ ପାଠ୍ୟପୁସ୍ତକ ପର୍ଯ୍ୟନ୍ତ ସବୁଠି ମାଣ୍ଡିଆର ଆଦର । ପ୍ରତି ଜିଲ୍ଲାରେ ମିଲେଟ୍ ଆଉଟଲେଟ୍ ସହ ବିଭିନ୍ନ ମେଳା, ମହୋତ୍ସବରେ ମାଣ୍ଡିଆ ଷ୍ଟଲ୍ରେ ଭିଡ଼ ଜମୁଛି । ପୂର୍ବରୁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ସୁନ୍ଦରଗଡ଼, କଳାହାଣ୍ଡି, ଗଜପତି ଭଳି ଜିଲ୍ଲାରେ ଅଧିକ ମିଲେଟ୍ ଚାଷ ହେଉଥିବା ବେଳେ ମିଲେଟ୍ ମିଶନ୍ ଜରିଆରେ ବର୍ତ୍ତମାନ ସମଗ୍ର ୩୦ଟି ଜିଲ୍ଲାରେ ମାଣ୍ଡିଆକୁ ଧାନ ସହ ଚାଷ କରାଯାଉଛି । ୩୦ଟି ଜିଲ୍ଲାର ୧୭୭ବ୍ଲକରେ ୧୪୮୪୧ଟି ଗ୍ରାମରେ ମାଣ୍ଡିଆ ଫଳୁଛି । ମୋଟ ୨୪୩୨୫୬ ଚାଷୀ ଏଥିରେ ସଂପୃକ୍ତ ଅଛନ୍ତି । ୨୦୧୮-୧୯ରେ ରାଜ୍ୟରେ ମୋଟ ୧୭ହଜାର କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଥିଲା । ୨୦୨୩-୨୪ରେ ଏହାବଢ଼ି ୪.୫ ଲକ୍ଷ ଓ ୨୦୨୪-୨୫ରେ ମୋଟ ୬ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଛି । ତେଣୁ ଏଥିରୁ ଅନୁମେୟ ରାଜ୍ୟରେ ମାଣ୍ଡିଆ ଚାଷ ବଢ଼ିଚାଲିଛି ।
ମାଣ୍ଡିଆ ଉପରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ନିରନ୍ତର ଭାବେ ଗବେଷଣା ଓ ଚାଷ କରିଆସୁଛି । ବ୍ରହ୍ମପୁରରେ ଥିବା ସର୍ବଭାରତୀୟ ଜାତୀୟ ଗବେଷଣା ପ୍ରକଳ୍ପ ମାଧ୍ୟମରେ ଅଦ୍ୟାବଧି ସର୍ବମୋଟ ୭ଟି ମାଣ୍ଡିଆ ଓ ୬ଟି ସୁଆଁ କିସମ ବିକଶିତ କରାଯାଇଛି । ସେଥିମଧ୍ୟରେ ଦିବ୍ୟସିଂହ(୧୯୭୧), ନୀଳାଚଳ(୧୯୮୫), ଶୁଭ୍ରା(୧୯୯୯), ଭୈରବୀ(୧୯୯୯), ଚିଲିକା(୨୦୦୧), କାଳିଆ(୨୦୧୬) ଓ ଅର୍ଜୁନ(୨୦୧୬) ଆଦି ମାଣ୍ଡିଆ ପ୍ରଜାତି ଏବଂ ତାରିଣୀ(୨୦୦୧), କୋଲାବ(୨୦୦୧), ସବର(୨୦୦୧), ସଉରା(୨୦୦୯), କଳିଙ୍ଗ ସୁଆଁ୨୧୭(୨୦୨୦), କଳିଙ୍ଗ ସୁଆଁ ୧୮(୨୦୨୨) ଆଦି ରହିଛି । ସେଥିମଧ୍ୟରୁ ୧୯୭୧ରୁ ୨୦୦୯ ପର୍ଯ୍ୟନ୍ତ ରିଲିଜ୍ ହୋଇଥିବା ମାଣ୍ଡିଆ ଓ ସୁଆଁ ବିହନ ଆଉ ମିଳୁନି । ହେଲେ କାଳିଆ, ଅର୍ଜୁନ ଏବେବି ଅଛି । ଗତ ୩ବର୍ଷ ମଧ୍ୟରେ ଓୟୁଏଟି ‘ଶ୍ରୀରତ୍ନ’, ‘ଶ୍ରୀପ୍ରଭା’ ଓ ‘ଶ୍ରୀନିଧି’ ଭଳି ରୋଗପୋକ ସହନଶୀଳ ମାଣ୍ଡିଆ ସୃଷ୍ଟି କରିଛି । ଏସବୁ ମାଣ୍ଡିଆ ସହ କଳିଙ୍ଗ ସୁଆଁ ୨୧୭ ଓ କଳିଙ୍ଗ ସୁଆଁ ୧୮ ଏବେ ଚାଷୀଙ୍କୁ ସାହା ହୋଇଛି । କଳିଙ୍ଗ ସୁଆଁ ୧୮ ମାତ୍ର ୯୨ଦିନରେ ଅମଳ ହେଉଥିବା ବେଳେ କଳିଙ୍ଗ ସୁଆଁ ୨୧୭ ଅମଳ ହେବାକୁ ୧୧୫ଦିନ ଲାଗୁଛି। ଏଥିରେ ଜିଙ୍କ୍, ଆଇରନ୍ ଓ କ୍ୟାଲ୍ସିୟମ୍ ଭରପୁର ଥିବା ବରିଷ୍ଠ ବୈଜ୍ଞାନିକ ଡ.ପବିତ୍ର ମୋହନ ମହାପାତ୍ର ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ, ମାଣ୍ଡିଆ ବ୍ୟତୀତ ଅଣମାଣ୍ଡିଆ ପ୍ରଜାତି ଉପରେ ଫୋକସ୍ କରିଛି ଓୟୁଏଟି । ସେଥିମଧ୍ୟରେ କାଙ୍ଗୁ, ଜୋଆର ଓ ବାଜରା ଉତ୍ପାଦନକୁ ଗୁରୁତ୍ୱ ଦେଇ ଗବେଷଣା ଆରମ୍ଭ କରିଥିବା ଓୟୁଏଟି କର୍ତ୍ତୃପକ୍ଷ କହିଛନ୍ତି ।
ଗତ ବର୍ଷକ ତଳେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡ. ଦେବବ୍ରତ ପଣ୍ଡା କୋରାପୁଟରେ ଚାଷ ହେଉଥିବା ବିଭିନ୍ନ ଦେଶୀ ମାଣ୍ଡିଆର ଜଳବାୟୁ ବିପର୍ଯ୍ୟୟ ସହନଶୀଳତା ଉପରେ ଗବେଷଣା କରଥିଲେ । ତାଙ୍କ ଗବେଷଣାରୁ ଜଣାପଡ଼ିଛି ଯେ ୬ ପ୍ରକାର ପାରମ୍ପରିକ ମାଣ୍ଡିଆ ଯଥା ‘ଲଡୁ’, ‘ଲାଲା’, ‘ବାଟି’, ‘ବିରି’, ‘ଟୁମୁକା’ ଓ ‘ଭାଲୁ’ ପ୍ରଜାତି ମରୁଡି ପରିବେଶକୁ ସହ୍ୟ କରିବାର କ୍ଷମତା ରଖିଛି । ଏହି ପ୍ରଜାତି ମାଣ୍ଡିଆ ଚାଷ କମ ପାଣିରେ ମଧ୍ୟ କରାଯାଇପାରିବ । ଏହି ପ୍ରକାର ମାଣ୍ଡିଆର ଗୁଣସୂତ୍ରରେ ବିଭିନ୍ନ ପ୍ରକାର ସହନଶୀଳତା ଜିନ୍ ରହିଛି ।