ଖଜୁରୀପଡ଼ା, ୦୫/୦୭: ଶନିବାର ଦିନ ସାଙ୍ଗ ମେଳରେ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀରେ ବୁଡିଯାଇ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୂତିପଡା ଗ୍ରାମର ପ୍ରଦୀପ ରଣାଙ୍କ ପୁଅ ରାକେଶ ( ୧୨) ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ରାକେଶ ଆଜି ସାଙ୍ଗ ମାନଙ୍କ ସହ ବାରପୁଲିଆ ନଦୀର ସିମଲି ଘାଟରେ ଗାଧୋଇବା ପାଇଁ ଯାଇଥିଲେ । ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ । ଖବର ପାଇ ଘର ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି।