ବିନିକା, ୭।୭: ବିନିକା ସହରରେ ବାହୁଡ଼ା ଯାତ୍ରା ବେଳେ ଅଘଟଣା । ରଥ ଚକ ତଳେ ଚାପି ହୋଇ ଚାଲିଗଲା ଜୀବନ । ଏହି ଦୁର୍ଘଟଣାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ନାବାଳକ ଆହତ ହୋଇଥିବା ସୂଚନା ରହଛି । ମୃତକ ନାବାଳକ ହେଲେ ବରଗଡ଼ ଜିଲ୍ଲା ଭେଡେନ୍ ଥାନା ଥୁଆପାଲି ଗାଁର ଚୌଧୁରୀ ମେହେରଙ୍କ ୧୨ ବର୍ଷର ପୁଅ ପିଙ୍କୁ ମେହେର । ଆହତମାନେ ବିନିକା ସହରର ପ୍ରତ୍ୟୁଷ ମାହାଣା, ଆଦର୍ଶ ଦାଶ, ସୌରୂପ ଦାଶ ।
ସୂଚନାନୁସାରେ, ଗତକାଲି ୩ଟା ସମୟରେ ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଟଣା ଯାଉଥିବା ସମୟରେ ଉକ୍ତ ନାବାଳକମାନେ ରଥଚକା ତଳେ ଚାପି ହୋଇଯାଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ପିଙ୍କୁ ମେହେରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ରେଫର୍ କରାଯାଇଥିଲା । କଟକ ନେଉଥିବା ସମୟରେ ବିଳମ୍ବିତ ରାତିରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଏହି ଘଟଣା ପାଇଁ ଜନସାଧାରଣ ପ୍ରଶାସନକୁ ଦାୟୀ କରିଛନ୍ତି ।