ଭଞ୍ଜନଗର,୦୯/୦୪: ଜଣେ ୯ ବର୍ଷର ନାବାଳିକାକୁ ହତ୍ୟା କରି ପାଇଖାନା ଟାଙ୍କିରେ ପକାଇ ଦେଲେ । ମାମୁ ଘର ବାଡ଼ିପଟ ପାଇଖାନା ଟାଙ୍କିରୁ ନାବାଳିକା ଭାଣିଜୀର ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ପରେ ଘଟଣାକୁ ଲୁଚାଇବା ପାଇଁ ଚେଷ୍ଟା କରାଯାଇଥିଲା। ମାତ୍ର ବୁଧବାର ରାତିରେ ଘଟଣା ପ୍ରଘଟ ହୋଇଛି । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ନିକଟସ୍ଥ ଲକ୍ଷ୍ମଣପଲ୍ଲୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପାଇଖାନା ଟାଙ୍କି ଭିତରେ ୪ର୍ଥ ଶ୍ରେଣୀ ଛାତ୍ରୀର ଶବ ଠାବ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଗାଁ ଲୋକ ରୁଣ୍ଡ ହୋଇଛନ୍ତି ।
ସୂଚନା ପାଇ ଭଞ୍ଜନଗର ଏସଡିପିଓ ଡ. ଦୀପକ କୁମାର ମିଶ୍ର, ଜଗନ୍ନାଥପ୍ରସାଦ ଥାନା ଆଇଆଇସି ପ୍ରମୋଦ କୁମାର ଲେଙ୍କା, ବେଲଗୁଣ୍ଠା ଥାନା ଆଇଆଇସି ରେବତୀ ଶବର ପ୍ରମୁଖ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏଭଳି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ହୁଏତ ଏଭଳି ନାରକୀୟ ଘଟଣା ଘଟାଯାଇଥିବା ଅନୁମାନ କରାଯାଉଛି । ପୁଲିସ ଟିମ୍ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ :- ଏପ୍ରିଲ ୨୭ ସୁଦ୍ଧା ଶିଶୁବାଟିକାରୁ ମାଟ୍ରିକ ଯାଏଁ ମିଳିବ ୟୁନିଫର୍ମ, ଓସେପା ଆଣିଲା ଗାଇଡ୍ଲାଇନ