କେନ୍ଦ୍ରାପଡ଼ା/ମହାକାଳପଡ଼ା,୦୩/୦୫: ଝଡ଼ାଫୁଙ୍କା ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ଜଣେ ଆତ୍ମଘୋଷିତ ବାବା ନାଁରେ ଅଭିଯୋଗ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଧୀନ ଛେଡ଼ାକଣି ଗ୍ରାମରୁ ଏଭଳି ସଙ୍ଗିନ ଅଭିଯୋଗ ଆସିଛି । ଜନୈକା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଝଡ଼ାଫୁଙ୍କା କରିବା ସମୟରେ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ପୀଡ଼ିତା ନିଜେ ଥାନାରେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ବାବାକୁ ମହାକାଳପଡ଼ା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତା’ର ଜାମିନ ଆବେଦନ ନାମଞ୍ଜୁର ହୋଇଯିବାରୁ ବାରିମୂଳ ସବଜେଲ୍କୁ ପଠାଇ ଦିଅଯାଇଛି । ଅନ୍ୟପକ୍ଷେ ବାବାକୁ ଗିରଫ କରିବାକୁ ଯାଇଥିବା ବେଳେ ପୁଲିସ ହଟହଟା ହୋଇଥିଲା । ପୁଲିସ ଗାଡ଼ି ଆଗରେ ବାବାର ସମର୍ଥକ ଓ ଗ୍ରାମବାସୀ ବସି ରହିଥିଲେ । ବାବାକୁ ଗିରଫ ନକରିବା ଜିଦ୍ରେ ଅଡ଼ି ବସିଥିଲେ । ଫଳରେ ବେଶ୍ କିଛି ସମୟ ଧରି ପୁଲିସ ଓ ଜନତାଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଥିଲା ।
ପୀଡ଼ିତା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ ସେ ତାଙ୍କ ମାମୁଘର ଛେଡ଼ାକଣିକୁ ମାମୁ ଝିଅର ଜନ୍ମଦିନ ପାଳନ କରିବା ପାଇଁ ଯାଇଥିଲେ । ରାତିରେ ଖାଇ ସାରିବା ପରେ ସେ ଅଚାନକ ଅସୁସ୍ଥ ଅନୁଭବ କରିଥିଲେ । ସକାଳୁ ଭାଗବତ ଗାଦି ପୂଜା କରୁଥିବା ଓ ଏବଂ ନିଜକୁ ଧର୍ମବାଣୀ ପ୍ରଚାରକ ଭାବେ କହି ଆସୁଥିବା ଗୁଆଳକଣି ଗ୍ରାମର ସୁରେନ୍ଦ୍ର ରାଉତ ପାଖ ପାଖକୁ ଯାଇ ସମସ୍ୟା ବାବଦରେ କହିଥିଲେ । ସୁରେନ୍ଦ୍ର ତାଙ୍କୁ କହିଥିଲେ କି ତୁମେ ଘରକୁ ଯାଅ । ମୁଁ ଯାଇ ତମ ଘରେ ଝାଡ଼ିଦେବି । ତୁମ ଦେହ ଭଲ ହୋଇଯିବ । କହିବା ମୁତାବକ ବାବା ଘରେ ପହଞ୍ଚି ପୀଡ଼ିତାଙ୍କୁ ଝଡ଼ାଫୁଙ୍କା କରିଥିଲା । ତେବେ ଝଡ଼ାଫୁଙ୍କା ବାହାନାରେ ଦୁଷ୍କର୍ମ ଉଦ୍ୟମ କରିଥିଲା । ସଂପୃକ୍ତ ନାବାଳିକା ଚିତ୍କାର କରିବାରୁ ତାଙ୍କ ପାଟିକୁ ବାବା ଜଣ ଚାପି ଧରିଥିଲା । ପୀଡ଼ିତାଙ୍କ ପାଟି ଶୁଣି ତାଙ୍କ ମା’ ଦୌଡ଼ି ଆସିବାରୁ ବାବା ଖସି ପଳାଇବାକୁ ଉଦ୍ୟମ କରିଥିଲା । ପରେ ମାମୁଘର ଲୋକେ ତାକୁ କାବୁ କରି ନେଇଥିଲେ । ଖବର ପାଇ ବାବାଙ୍କ ସମ୍ପର୍କୀୟ ତଥା ବନ୍ଧୁବାନ୍ଧବ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆତ୍ମଘୋଷିତ ବାବା ସୁରେନ୍ଦ୍ରକୁ ଥାନାକୁ ଆଣିବା ସମୟରେ ତାଙ୍କ ସମର୍ଥକ ଓ ସାଧାରଣ ଲୋକେ ପୁଲିସ ଗାଡ଼ି ଆଗରେ ବସିଥିଲେ । ପୁଲିସ ଓ ଜନତାଙ୍କ ମଧ୍ୟରେ ବେଶ କିଛି ସମୟ ପାଇଁ ଉଚ୍ଚବାଚ ଚାଲିଥିଲା । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାକୁ ପୁଲିସ ନାକେଦମ ହୋଇଥିଲା । ବାବାର ଏଭଳି କାରନାମା ଖବର ଆଖପାଖ ଗାଁକୁ ବ୍ୟାପି ଯାଇଥିଲା । ଖବର ପାଇ ବହୁ ଲୋକ ଛେଡ଼ାକଣି ଗ୍ରାମରେ ପହଞ୍ଚି ଭିଡ଼ ଜମାଇଥିଲେ ।
ଅଧିକ ପଢ଼ନ୍ତୁ :- Dahibara Aloodum: ଦହିବରା ଖାଇ ୭ ଗ୍ରାମରେ ଝାଡ଼ାବାନ୍ତି, ଶତାଧିକ ଆକ୍ରାନ୍ତ, ବୃଦ୍ଧା ମୃତ
ସୂଚନାଯୋଗ୍ୟ ଯେ ଗୁଆଳକିଣି ଗ୍ରାମନିବାସୀ ବାବା ସୁରେନ୍ଦ୍ର ଛେଡ଼ାକଣି ଗାଁ କୋଠଘରେ ଭାଗବତ ଗାଦି କରିଛି । ସେ ସକାଳ ଓ ସନ୍ଧ୍ୟାବେଳେ ଭାଗବତ ପୂଜା କରିଥାଏ । ମାଇକ୍ରେ ଗାଁ ଲୋକେ ଭାଗବତ ବାଣୀ ଶୁଣନ୍ତି । ଜଣେ ଭଗବତ ପ୍ରେମୀ ଓ ଭାଗବତ ବାଣୀ ଶୁଣାଇ ସମାଜରେ ସଂସ୍କାର ଆଣିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିର ଏକ ଘୃଣ୍ୟ କାମକୁ ବହୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । ଅପରପକ୍ଷେ ସୁରେନ୍ଦ୍ରର ସ୍ତ୍ରୀ ଅହଲ୍ୟା ରାଉତ ଥାନାରେ ପାଲଟା ଏତଲା ଦେଇଛନ୍ତି । ଅହଲ୍ୟା ଦର୍ଶାଇଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ପୀଡ଼ିତାଙ୍କ ମାମୁଘର ଲୋକ ଅଟକାଇ ମାରଧର କରିଛନ୍ତି । ତାଙ୍କୁ ଗୋଟିଏ ଘରେ ବନ୍ଦ ରଖି ବାନ୍ଧି ମାଡ଼ ମାରିଛନ୍ତି । ସୁଧ ଟଙ୍କା ମାଗିବାରୁ ଟଙ୍କାକୁ ଫାଙ୍କିବା ପାଇଁ ଏହା ପ୍ରାୟୋଜିତ ଅଭିଯୋଗ ବୋଲି ସେ କହିଛନ୍ତି ।