ଢେଙ୍କାନାଳ, ୩/୦୬ : ଉତ୍ତରପ୍ରଦେଶର ଝାନ୍ସୀରେ କାମାକ୍ଷାନଗର ଥାନା ଅଞ୍ଚଳର ନାବାଳିକାଙ୍କୁ ବାରମ୍ବାର ବିକ୍ରି ଓ ବଳାତ୍କାର ମାମଲାରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଫୋନ୍ କରି ଧମକ ଦେଉଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍ ଟିମ୍ ଝାନ୍ସୀରେ ଡେରା ପକାଇଥିବା ବରିଷ୍ଠ ପୁଲିସ୍ ଅଧିକାରୀ କହୁଥିବା ବେଳେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଧମକ ଦେବା ଘଟଣାକୁ ଆହୁରି ସମ୍ବେଦନଶୀଳ କରିଦେଇଛି । ଏହାକୁ ନେଇ ପୀଡ଼ିତା ଅଧିକ ଭୟଭୀତ ହୋଇପଡ଼ିବା ସହ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ।
ସୂଚନା ଅନୁଯାୟୀ, ନାବାଳିକାଙ୍କୁ କଙ୍କଡ଼ାହାଡ଼ ଡିହଯୋଡ଼ି ଶଶାପଶି ଗାଁର ବିନୟ ପାତ୍ର(୪୬) ଭୁବନେଶ୍ୱର ନେଇ ସେଠାରୁ ଝାନ୍ସୀର ଜଣେ ଯୁବକଙ୍କୁ ବିକ୍ରି କରିଦେଇଥିଲା । ଝାନ୍ସୀରେ ପୀଡ଼ିତାଙ୍କୁ ବାରମ୍ବାର ବିକ୍ରି ଓ ବଳାତ୍କାର କରାଯାଇଥିଲା । ୨ ବର୍ଷ ପରେ ପୀଡ଼ିତା କୌଶଳ କ୍ରମେ ସେଠାରୁ ଖସିଆସିଛନ୍ତି । କାମାକ୍ଷାନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ କରୁଛି । ଏଥିପାଇଁ ଦୁଇଟି ଟିମ୍ ଗଠନ ହୋଇଛି । ଗୋଟିଏ ଟିମ୍ ଦଲାଲ ବିନୟକୁ ଧରିବାକୁ ବିଶାଖାପାଟଣା ଯାଇଥିଲା ଓ ଅନ୍ୟ ଏକ ଟିମ୍ ନାବାଳିକାଙ୍କୁ କିଣାବିକା କରି ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ଝାନ୍ସୀ ଯାଇଥିଲା । ବିଶାଖାପାଟଣା ଟିମ୍ ବିନୟକୁ ଧରି ଗତ ୩୧ ତାରିଖରେ ଗିରଫ କରି କୋର୍ଟଚାଲାଣ କରିଛି ।
ଏପର୍ଯ୍ୟନ୍ତ ଝାନ୍ସୀର ଅଭିଯୁକ୍ତମାନେ ଧରାପଡ଼ିନାହାନ୍ତି । ପୁଲିସ୍ ଖୋଜାଖୋଜି କରୁଥିବା ଜାଣିବା ପରେ ୩ଦିନ ହେଲା ଅଭିଯୁକ୍ତମାନେ କୌଣସି ସୂତ୍ରରୁ ତାଙ୍କ ଫୋନ୍ ନମ୍ବର ସଂଗ୍ରହ କରି ବାରମ୍ବାର ଫୋନ୍ କରି ଧମକାଉଥିବା ପୀଡି଼ତା କହିଛନ୍ତି । ୬ ଦିନ ହେଲା ପୁଲିସ୍ ଟିମ୍ ଯାଇଥିବା ବେଳେ କେବେ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପୀଡ଼ିତାଙ୍କ ପରିବାର ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ଝାନ୍ସୀରେ ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଧରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ମାତ୍ର ଏନେଇ ପୁଲିସ୍ କୌଣସି ସୂଚନା ଦେଇନାହିଁ । ଏ ନେଇ ଏସ୍ପି ଅଭିନବ ସୋନକର କହିଛନ୍ତି, ଦଲାଲ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଟିମ୍ ଝାନ୍ସୀରୁ ଫେରିବା ପରେ ବିସ୍ତୃତ ସୂଚନା ଦିଆଯିବ ବୋଲି ଏସ୍ପି ପ୍ରକାଶ କରିଛନ୍ତି ।