ନୂଆଦିଲ୍ଲୀ, ୧୪/୦୩ : ଉତ୍ତରପ୍ରଦେଶର ମିର୍ଜାପୁର ଜନପଦରେ ଏକ ଅଜବ ଘଟଣା ଘଟିଛି। ୧୭ ବର୍ଷର ଜଣେ ନାବାଳକ କୁକୁର ପରି ଭୁକୁଛନ୍ତି। କୁକୁର ଭଳି ବ୍ୟବହାର କରୁଛନ୍ତି। ତାଙ୍କର ଚାଲିଚଳନ ପୁରାପୁରି କୁକୁର ଭଳି ହୋଇଯାଇଛି। ଯାହାକୁ ନେଇ ନାବାଳକଙ୍କ ପରିବାର ଏବେ ଚିନ୍ତାରେ ଅଛନ୍ତି। ଏପରିକି ନାବାଳକଙ୍କ ବଞ୍ଚିବାର ସମ୍ଭାବନା ଖୁବ୍ କମ୍ ବୋଲି ମଧ୍ୟ ଡାକ୍ତରମାନେ କହୁଛନ୍ତି। 

ସୂଚନାନୁଯାୟୀ, କଛୱା ଥାନା ଅଞ୍ଚଳର ଯୋଗୀପୁରୱା ଗାଁର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ୪ ମାସ ତଳେ ତାଙ୍କ ମାମୁଁ ଘରକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ କୁକୁର କାମୁଡ଼ି ଦେଇଥିଲା। ସେହି ସମୟରେ ନାବାଳକଙ୍କ ପରିବାର ଲୋକ ଏହାକୁ ଗୁରୁତର ସହ ନେଇ ନଥିଲେ। କେବଳ ଗୋଟିଏ ଇଞ୍ଜେକ୍ସନ ଦେଇଥିଲେ। ପରେ ନାବାଳକ ଜଣଙ୍କ ମାମୁଁ ଘରୁ ଫେରିବା ପରେ ଆଉ ଏକ ଇଞ୍ଜେକ୍ସନ ଦିଆଯାଇଥିଲା। ଘର ଲୋକଙ୍କ ଅବହେଳା କାରଣରୁ ରାବିଜ୍ ଟିକାର ସମ୍ପୂର୍ଣ୍ଣ ଡୋଜ୍ ତାଙ୍କୁ ଦିଆଯାଇନଥିଲା। ଏହି ଘଟଣାର ୪ ମାସ ପରେ ହଠାତ୍ ନାବାଳକଙ୍କ ବ୍ୟବହାର ପରିବର୍ତ୍ତନ ଆସିଲା। ସେ କୁକୁର ଭଳି ଭୁକିବାକୁ ଲାଗିଲେ। କୁକୁର ଭଳି ବ୍ୟବହାର କଲେ। ଏହା ଦେଖି ପରିବାର ମୁଣ୍ଡରେ ଚଡ଼କ ପଡ଼ିଲା। .

ନାବାଳକଙ୍କ ଦିବ୍ୟାଙ୍ଗ ପିତା ଭାଇଲାଲ ତାଙ୍କୁ କଛୱା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରମାନେ ହାତ ଟେକି ଦେଲେ। ଚିକିତ୍ସା ବିଜ୍ଞାନରେ ଏହାର କୌଣସି ବାଟ ନଥିବା କହିଥିଲେ। ଏପରିକି ନାବାଳକଙ୍କ ବଞ୍ଚିବା ଚାନ୍ସ କ୍ଷୀଣ ବୋଲି କହିଥିଲେ। ଶେଷରେ ଅସହାୟ ବାପା ପୁଅକୁ ଧରି ହନୁମାନ ମନ୍ଦିରରେ ଶରଣ ପଶିଛନ୍ତି। 

ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଚିକିତ୍ସା ଅଧୀକ୍ଷକ ଡାକ୍ତର ପଙ୍କଜ ପାଣ୍ଡେ ଏନେଇ କହିଛନ୍ତି ଯେ, ଏହା ହାଇଡ୍ରୋଫୋବିଆ। ରାବିଜ୍ ର ପୁରା ଡୋଜ୍ ନଦେଲେ ଏଭଳି ଅସୁବିଧା ହୁଏ। ଭାଇରସ୍ ଶରୀର ସାରା ଖେଳିଯାଏ। ନିଶ୍ଵାସ ପ୍ରଶ୍ଵାସ ନେବା ନଳୀ ସଙ୍କୁଚିତ ହୋଇଯାଏ। ଯାହାଦ୍ଵାରା ପୀଡ଼ିତଙ୍କ ସ୍ଵର କୁକୁର ଭଳି ହୋଇଯାଏ। ପାଣି ଦେଖିଲେ ଭୟ ଲାଗେ। ଏଭଳି ସ୍ଥିତିରେ ବଞ୍ଚିବା ମୁସ୍କିଲ ହୋଇଯାଏ। 

ଏହି ଖବରଟିକୁ ପଢନ୍ତୁ- ଇରାନ ଆକ୍ରମଣରେ ଦୁବାଇ ଏବେ ଘୋଷ୍ଟ ଟାଉନ୍, ପଳାୟନ କରୁଛନ୍ତି ଧନୀ, ଫସିଯାଇଛନ୍ତି ଶ୍ରମିକ...