ଜଳେଶ୍ୱର, ୨୧/୦୭: ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସାଦାଚରଣ ଅଭିଯୋଗ ହୋଇଛି । ହାଇସ୍କୁଲର ଗଣିତ ଶିକ୍ଷକଙ୍କ ନାଁରେ ଏହି ଅଭିଯୋଗ ଆସିଛି । ରାଇବଣିଆ ଥାନା ପୁଲିସ ଦୁଇ ସାର୍ଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଚମାର ଗାଁ ସ୍ଥିତ ହାଇସ୍କୁଲରେ ଅସଦାଚରଣ ଅଭିଯୋଗ ହୋଇଛି । ବିଦ୍ୟାଳୟର ଗଣିତ ଶିକ୍ଷକ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଳୀଳ ଅଙ୍ଗିତ କରିବା ସହିତ ଅସଦାଚରଣ କରିଆସୁଥିଲେ । ଏହାକୁ ଶ୍ରେଣୀ ଛାତ୍ରୀ ଜଣଙ୍କ ବାରଣ କରିବାରୁ ତାଙ୍କୁ ପରୀକ୍ଷାରେ ଫେଲ୍ କରାଇବାକୁ ଧମକ ଚମକ ମଧ୍ୟ ଦେଉଥିଲେ । ଭୟରେ ଛାତ୍ରୀ ଜଣକ ଘରେ ନଜଣାଇ ୮ ଦିନ ପୂର୍ବରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ପ୍ରଧାନ ଶିକ୍ଷକ ଏହାକୁ ଧ୍ୟାନ ଦେଇନଥିଲେ । ଯାହା ଫଳରେ ଛାତ୍ରୀଙ୍କ ଜଣଙ୍କ ନିଜ ମାଆଙ୍କୁ ଜଣାଇ ଆଉ ସ୍କୁଲ ଯିବେ ନାହିଁ ବୋଲି କହିଥିଲେ । ଏନେଇ ପରିବାର ଲୋକ ରବିବାର ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଉଭୟ ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କୁ ଅଟକ ପଚରାଉଚରା କରୁଛି ।