ରାୟଗଡ଼(ଗଜପତି),୨୮/୨ : ଗଜପତି ଜିଲ୍ଲାର ଐତିହାସିକ ତଥା ଆଧ୍ୟାତ୍ମିକ ଓ ପୌରାଣିକ କ୍ଷେତ୍ର ରାୟଗଡ଼ ବ୍ଲକ ଅଧିନରେ ଥିବା ମହେନ୍ଦ୍ରଗିରି ଏବେ ଅଶାନ୍ତମୟ ହୋଇ ପଡିଛି । ଶନିବାର ମଧ୍ୟାହ୍ନରେ ଦୁର୍ବୃତ୍ତମାନେ ଆସି କୁନ୍ତୀ ମନ୍ଦିର ନିକଟରେ ଥିବା ଆଶ୍ରମରେ କବାଟ ଭାଙ୍ଗି ପଶି ଭିତରେ ଥିବା ଜିନିଷପତ୍ର ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି l ସେମାନଙ୍କ ଆକ୍ରମଣରେ ସେଠାରେ ରହି ଆସୁଥିବା ପ୍ରଫୁଲ ବାବା ଆହତ ହୋଇଥିବା ଜଣାପଡିଛି ।

ପର୍ଯ୍ୟଟକଙ୍କ ନିମନ୍ତେ ତିଆରି ହୋଇଥିବା ଇକୋ ରିସର୍ଟ ପାଇଁ ପାଣି ଯୋଗାଉଥିବା ଦୁଇଟି ପାଣି ମୋଟର ଭାଙ୍ଗିବା ସହ ପାଣି ପାଇପ୍ ଗୁଡିକ ମଧ୍ୟ କାଟି ଦେଇଥିବା ଅଭିଯୋଗ ହୋଇଛି l ଫଳରେ ଇକୋ ରିସର୍ଟକୁ ପାନୀୟଜଳ ଯୋଗାଣ ବନ୍ଦ ରହିଛି l ପର୍ଯଟକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମହାଶିବରାତ୍ରିରେ ଶ୍ରଦ୍ଧାଳୁମାନଙ୍କ ପାଇଁ ନିର୍ମାଣ ହୋଇଥିବା ପାଇଖାନା ଗୁଡ଼ିକ ମଧ୍ୟ ଭାଙ୍ଗି ଦେଇଛନ୍ତି। ଖବରପାଇ ଘଟଣାସ୍ଥଳରେ ଗାରାବନ୍ଧ ଥାନା ପୁଲିସ ପହଂଚି ଦେଖଣାହାରି ସାଜି ସେମାନଙ୍କୁ ବୁଝାସୁଝା କରି ପଠାଇ ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ପ୍ରଶାସନ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାକୁ ନେଇ ଆସନ୍ତୋଷ ଦେଖା ଦେଇଛି l ଏ ନେଇ ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକାଙ୍କୁ ଯୋଗାଯୋଗ କରାଯାଇଥିଲାବେଳେ ଏ ନେଇ ମାମଲା ରୁଜୁ ହୋଇନଥିବା କହି କୌଣସି ପ୍ରତିକ୍ରିୟା ଦେଇନଥିଲେ।

ଏକ ପବିତ୍ର ପୀଠ ସ୍ଥଳୀରେ ଅଶାନ୍ତ ପରିବେଶ ସୃଷ୍ଟି କରିବା ସହ ସାଧୁସନ୍ଥଙ୍କୁ ଏଭଳି ଆକ୍ରମଣ କରିଥିବା ବ୍ଯକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି । ବିଜେପି ସରକାର ଶାସନରେ ଥିବାବେଳେ ଏଭଳି ତୀର୍ଥ କ୍ଷେତ୍ରକୁ ଅଶାନ୍ତମୟ କରୁଥିବା ଦୋଷୀମାନଙ୍କ ବିରୋଧରେ ପ୍ରଶାସନ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ଅପେକ୍ଷା।