ଭୁବନେଶ୍ବର, ୦୧|୦୩: ଧ୍ବଂସ ହେବ ଇରାନର ମିସାଇଲ୍ ଘାଟି । ଧମକ ଦେଲେ ରାଷ୍ଟ୍ରପତି ଟ୍ରମ୍ପ । ଏହାର ଅର୍ଥ ଇରାନର ଭୂତଳ ମିସାଇଲ ସିଟିକୁ ଧୂଳିସାତ୍‌ କରିବାକୁ ଚାହୁଁଛି ଆମେରିକା । ଇରାନ ପାଖରେ ଅନେକ ମିସାଇଲ ସିଟି ଅଛି । ପାହାଡ଼ ଭିତରେ ନିର୍ମିତ ସୁଡ଼ଙ୍ଗରେ ଏହି ସହର ରହିଛି । କିଛି ସୁଡ଼ଙ୍ଗ ଭିତରେ ମିସାଇଲ ଓ ଡ୍ରୋନ୍‌ ନିର୍ମାଣ ଚାଲିଛି । ଜାଗରୋସ ପାହାଡ଼ ତଳେ ଏହି ମିସାଇଲ ସିଟି ନିର୍ମାଣ ହୋଇଛି । ଇରାନ ସେନା ଏହି ଭୂତଳ ଡ୍ରୋନ୍‌ ଘାଟି ବିଷୟରେ ଅଳ୍ପ ସୂଚନା ଶେୟାର କରିଛି, କିନ୍ତୁ ପ୍ରକୃତ ଠିକଣା ବିଷୟରେ କାହାକୁ ଜଣାନାହିଁ । ଏହି ସୁଡ଼ଙ୍ଗ ଭିତରେ ଅତିକମ୍‌ରେ ୧୦୦ ସାମରିକ ଡ୍ରୋନ୍‌ ରହିଛି । ଏହାର ଚିତ୍ର ଉପସାଗରୀୟ ଦେଶମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଛି । ଜାଗରୋସ ପାହାଡ଼ ତଳେ ନିର୍ମିତ ଏହି ସୁଡ଼ଙ୍ଗ ଭିତରେ ଘାତକ ଅବାବିଲ-୫ ଡ୍ରୋନ୍‌ ରହିଛି, ଯେଉଁଥିରେ କାଏମ-୫ ମିସାଇଲ ସଂଲଗ୍ନ ହୋଇଛି । କାଏମ-୫ ଇରାନ ଦ୍ୱାରା ବିକଶିତ ଆକାଶରୁ ଭୂପୃଷ୍ଠକୁ ମାଡ଼ କରୁଥିବା ମିସାଇଲ । ଆମେରିକାର ହେଲଫାୟାର ମିସାଇଲ ଭଳି ଏହା ବିପଦପୂର୍ଣ୍ଣ । ଇରାନର ଡ୍ରୋନ୍‌ ଯେକୌଣସି ପ୍ରକାର ଆକ୍ରମଣର ମୁକାବିଲା ବା ଶତ୍ରୁକୁ ମାତ୍‌ ଦେବାରେ ପାରଙ୍ଗମ । ନିଜର ଡ୍ରୋନ୍‌ଗୁଡ଼ିକୁ ଏହା ନିରନ୍ତର ଅପଗ୍ରେଡ୍‌ କରୁଛି । ପାହାଡ଼ ତଳେ ଶତାଧିକ ମିଟର ଗଭୀର ସୁଡ଼ଙ୍ଗରେ ଇରାନ ନିର୍ମାଣ କରୁଥିବା କ୍ଷେପଣାସ୍ତ୍ର ମଧ୍ୟରେ ଶତାଧିକ ବାଲିଷ୍ଟିକ୍‌ ଓ କ୍ରୁଜ୍‌ ମିସାଇଲ ଗଚ୍ଛିତ ଅଛି ।

ଇରାନର କହିବା ଅନୁସାରେ, ଆମେରିକା କିମ୍ବା ଇସ୍ରାଏଲର ସବୁଠୁ ଶକ୍ତିଶାଳୀ ବଙ୍କର ବିଧ୍ୱଂସକାରୀ ବୋମା ମଧ୍ୟ ଏହି ସୁଡ଼ଙ୍ଗ ପର୍ଯ୍ୟନ୍ତ ପହଞ୍ଚି ପାରିବ ନାହିଁ । ଶତାଧିକ ମିଟର ଗଭୀରକୁ ଏହା ମିସାଇଲ ନିକ୍ଷେପ କରିପାରିବ । ସୁଡ଼ଙ୍ଗର ଦ୍ୱାର ଖୋଲି ମିସାଇଲ ଲଞ୍ଚ କରିହେବ । ଇସ୍ରାଏଲ ଓ ଆମେରିକା ଇରାନର ଏହି କ୍ଷେପଣାସ୍ତ୍ର ଘାଟିକୁ ବଡ଼ ବିପଦ ରୂପେ ଦେଖୁଛନ୍ତି । ଏହି ଠିକଣାଗୁଡ଼ିକୁ ଟାର୍ଗେଟ୍‌ କରିପାରେ ବୋଲି ଇସ୍ରାଏଲ କହିଛି । ଆମେରିକା ଇରାନର ମିସାଇଲ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଛି । କିନ୍ତୁ ଇରାନ ଏହାକୁ ଆତ୍ମରକ୍ଷାର ଅଧିକାର ବୋଲି କହୁଛି । ପ୍ରତିବନ୍ଧକ ଓ ଧମକ ସତ୍ତେ୍ୱ ଇରାନ ନିଜର ରକ୍ଷା କ୍ଷମତାକୁ ଲଗାତାର ବଢ଼ାଇ ଚାଲିଛି । ଇରାନର ଭୂତଳ ମିସାଇଲ ସିଟି ତା’ର ସୈନ୍ୟ ରଣନୀତିର ସବୁଠୁ ଗୁପ୍ତ ଓ ଶକ୍ତିଶାଳୀ ଅଂଶ ।

ଅଧିକ ପଢ଼ନ୍ତୁ-ଅପରେସନ ‘ଶିଲ୍‌ଡ ଅଫ୍‌ ଜୁଡା’: କାହିଁକି ଏପରି ନାଁ ଦେଲା ଇସ୍ରାଏଲ୍, କ'ଣ ରହିଛି ଐତିହାସିକ ପ୍ରାସଙ୍ଗିକତା ?​​​​​​​