ଭୁବନେଶ୍ବର, ୦୧/୦୩: ଇରାନ ଉପରେ ଇସ୍ରାଏଲ ପ୍ରଚଣ୍ଡ ଆକ୍ରମଣ କରିଛି । ଇରାନର ରାଷ୍ଟ୍ରପତି ଭବନ ସମେତ ଇରାନ ଗୁଇନ୍ଦା ଏଜେନ୍ସି ମୁଖ୍ୟାଳୟକୁ ମଧ୍ୟ ଟାର୍ଗେଟ୍‌ କରିଛି । ଇସ୍ରାଏଲ ଏହି ଅପରେସନ୍‌ର ନାମ ରଖିଛି ‘ଶିଲ୍ଡ ଅଫ୍‌ ଜୁଡା’ । ଅର୍ଥାତ୍‌ର ୟହୁଦିର ଢାଲ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ଇରାନ ଉପରେ ଆକ୍ରମଣକୁ ‘ସିଂହର ଗର୍ଜନ’ ମଧ୍ୟ କହିଛନ୍ତି । ତେବେ ‘ଶିଲ୍‌ଡ ଅଫ୍‌ ଜୁଡା’ କେବଳ ଏକ ଅପରେସନ୍‌ର ନାଁ ନୁହେଁ । ପ୍ରାଚୀନତା ଓ ପରମ୍ପରାର ଗଭୀର ପ୍ରତୀକ । ଏହାର ଗଭୀର ଧାର୍ମିକ ଓ ଐତିହାସିକ ପ୍ରାସଙ୍ଗିକତା ରହିଛି ।

‘ଜୁଡା’ ବାଇବେଲରେ ଉଲ୍ଲେଖ ହୋଇଥିବା ଏକ ଜନଜାତି ଓ ବଂଶର ନାମ । ଏହି ବଂଶ ଦ୍ୱାରା ଇହୁଦୀର ପରିଚୟ ଓ ପରେ ଇସ୍ରାଏଲ ରାଜବଂଶର ମୂଳ ଯୋଡ଼ି ହୋଇଛି । ଇହୁଦୀ ଧାର୍ମିକ ଲୋକକଥାରେ ଏହି ମାନ୍ୟତା ରହିଛି । ଜୁଡା, ପେଗମ୍ବର ୟାକୁବ (ଜ୍ୟାକବ୍‌ ନାମରେ ମଧ୍ୟ ପରିଚିତ)ଙ୍କ ୧୨ ପୁଅଙ୍କ ମଧ୍ୟରେ ଅନ୍ୟତମ ଥିଲେ । ‘ବୁକ୍‌ ଅଫ୍‌ ଜେନେସିସ୍‌’ ଅନୁସାରେ, ଜୁଡାଙ୍କୁ ସ୍ୱତନ୍ତ୍ର ଶକ୍ତି ମିଳିଥିଲା । ଏଥିସହିତ ତାଙ୍କୁ ଭବିଷ୍ୟବାଣୀ ମଧ୍ୟ ହୋଇଥିଲା ଯେ ତାଙ୍କ ବଂଶରୁ ହିଁ କ୍ଷମତା ସ୍ଥାପିତ ହେବ । ଜେନେସିସ୍‌ରେ ଉଲ୍ଲେଖ ହୋଇଛି, ଜୁଡାଙ୍କଠୁ ରାଜଦଣ୍ଡ ହଟିବ ନାହିଁ । ଏହା ଜୁଡାଙ୍କୁ କ୍ଷମତାର ଶକ୍ତି ପ୍ରଦାନ କରେ ଏବଂ ତାଙ୍କୁ ସର୍ବେସର୍ବା ଭାବେ ପରିଚୟ ଦିଏ । ଏହି କାରଣରୁ ପରେ କିଙ୍ଗ୍‌ ଡେଭିଡ୍‌ ଓ କିଙ୍ଗ୍‌ ସୋଲୋମନଙ୍କ ବଂଶ ମଧ୍ୟ ଜୁଡାଙ୍କ ଜନଜାତିର ବୋଲି ଧରାଗଲା । ଜୁଡାଙ୍କୁ ‘ଲାୟନ୍‌ ଅଫ୍‌ ଜୁଡା’ ମଧ୍ୟ କୁହାଯାଏ । ଜେନେସିସ୍‌ରେ ତାଙ୍କୁ ସିଂହ ସହ ତୁଳନା କରାଯାଇଛି । ଏହା ଶକ୍ତି, ସାମର୍ଥ୍ୟ ଓ ନେତୃତ୍ୱର ପ୍ରତୀକ । ଗର୍ଜନ କରୁଥିବା ଏହି ସିଂହ ପରେ ଇହୁଦୀ ପରିଚୟର ମଧ୍ୟ ପ୍ରତୀକ ହେଲା । ଇସ୍ରାଏଲର ଜାତୀୟ ଚିହ୍ନ ଓ ଧାର୍ମିକ ପ୍ରତୀକରେ ସିଂହର ଉପସ୍ଥିତି ଏହି ପରମ୍ପରା ସହ ଜଡ଼ିତ ।

ବାଇବେଲରେ ସୁରକ୍ଷା ଓ ଦୈବୀ ସଂରକ୍ଷଣ ରୂପେ ଶିଲ୍ଡ ବା ଢାଲ ବିଷୟରେ ଉଲ୍ଲେଖ ହୋଇଛି । ଏହା ଦୈବୀ ସୁରକ୍ଷାର ଢାଲ । ଏହି କ୍ରମରେ ଶିଲ୍ଡ ଅଫ୍‌ ଜୁଡାର ଅର୍ଥ କେବଳ ସୈନ୍ୟ ଢାଲ ନୁହେଁ, ବରଂ ଦୈବୀ ସଂରକ୍ଷଣ ଓ ଐତିହାସିକ ଐତିହର ସୁରକ୍ଷା ମଧ୍ୟ । ରାଜା ସୋଲୋମନଙ୍କ ମୃତ୍ୟୁ ପରେ ଇସ୍ରାଏଲ ଦୁଇ ଭାଗରେ ବିଭକ୍ତ ହେଲା । ଉତ୍ତର ରାଜ୍ୟ ‘ଇସ୍ରାଏଲ’ ଓ ଦକ୍ଷିଣ ରାଜ୍ୟ ‘ଜୁଡା’ ଜୁଡାରେ ଜେରୁସେଲମ ରାଜଧାନୀ ଥିଲା ଏବଂ ଏଠାରେ ଇହୁଦୀ ମନ୍ଦିର ମଧ୍ୟ ଥିଲା । ଏହି ରାଜ୍ୟର ଅସ୍ତିତ୍ୱ ହାରାହାରି ଖ୍ରୀ:ପୂ ୫୮୬ ପର୍ଯ୍ୟନ୍ତ ଥିଲା । ବାବିଲୋନର ରାଜା ନବୁକଦନେଜାର ଏହାକୁ ହରାଇ କବ୍‌ଜା କରିନେଲେ । ଇତିହାସରେ ‘କିଙ୍ଗ୍‌ଡମ୍‌ ଅଫ୍‌ ଜୁଡା’ ଇହୁଦୀ ଧାର୍ମିକ ପରମ୍ପରା ଓ ପରିଚୟର କେନ୍ଦ୍ର ଥିଲା । ବାବିଲୋନୀୟ ନିର୍ବାସନ ସତ୍ତେ୍ୱ ଜୁଡାର ସ୍ମୃତି ଓ ତା’ର ମର୍ଯ୍ୟାଦା ଇହୁଦୀ ଚେତନାରେ ବଜାୟ ରହିଲା । ସେଥିପାଇଁ ଜିଉ ଶବ୍ଦ ମଧ୍ୟ ‘ଜୁଡା’ରୁ ହିଁ ନିସୃତ ହୋଇଥିବା କୁହାଯାଏ । ବର୍ତ୍ତମାନର ଇସ୍ରାଏଲ ୧୯୪୮ରେ ସ୍ଥାପନା ହୋଇଥିଲା । କିନ୍ତୁ ଏହାର ବିଚାର ଓ ସଂସ୍କୃତିର ମୂଳ ବାଇବେଲ ଓ ଜେନେସିସ୍‌ର ପରମ୍ପରା ସହ ଜଡ଼ିତ । ଲାୟନ୍‌ ଅଫ୍‌ ଜୁଡା ଓ ଜୁଡାର ଢାଲ ଭଳି ପ୍ରତୀକ ରାଷ୍ଟ୍ରୀୟ ଅସ୍ମିତା, ଐତିହାସିକ ଅଧିକାର ଓ ଧାର୍ମିକ ବିଶ୍ୱାସକୁ ଦର୍ଶାଉଛନ୍ତି ।

ଅଧିକ ପଢ଼ନ୍ତୁ-ମଧ୍ୟପ୍ରାଚ୍ୟ ଅଶାନ୍ତ; କେତେ ଥର ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ହୋଇଛି ଯୁଦ୍ଧ... ଜିତିଛି କିଏ ?​​​​​​​