ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭାରେ ଜନତା ଦଳ (ସେକ୍ୟୁଲାର) ବିଧାୟକ ଏମଟି କୃଷ୍ଣପ୍ପା ଏକ ଅଜବ ଦାବି କରିଥିଲେ। ଯାହା ପରେ ଏହି ବିଷୟଟି ଏବେ ସବୁଠାରେ ଆଲୋଚନାର କେନ୍ଦ୍ର ହୋଇଛି। ସେ କହିଥିଲେ ଯେ, ଯଦି ସରକାର ମହିଳାଙ୍କୁ ଏତେ ମାଗଣା ଜିନିଷ ଦେଉଛନ୍ତି, ତେବେ ପୁରୁଷ ମାନଙ୍କୁ ମଧ୍ୟ ପ୍ରତି ସପ୍ତାହରେ ୨ ବୋତଲ ମାଗଣା ମଦ ଦିଆଯିବା ଉଚିତ। ବୁଧବାର ଦିନ ଗୃହରେ ଆଲୋଚନା ସମୟରେ ସେ ଏହା କହିଥିଲେ।

ଏମଟି କୃଷ୍ଣପ୍ପା କହିଥିଲେ,'ଅଧ୍ୟକ୍ଷ ମହୋଦୟ, ମୋତେ ଭୁଲ ଭାବନ୍ତୁ ନାହିଁ, କିନ୍ତୁ ଯେତେବେଳେ ଆପଣ ୨ ହଜାର ଟଙ୍କା ମାଗଣା ଦିଅନ୍ତି, ଯେତେବେଳେ ଆପଣ ମାଗଣା ବିଦ୍ୟୁତ୍ ଦିଅନ୍ତି, ତାହା ଆମର ଟଙ୍କା, ନୁହେଁ କି ?' ତେଣୁ ସେମାନଙ୍କୁ କୁହନ୍ତୁ ଯେ ଯେଉଁମାନେ ମଦ୍ୟପାନ କରନ୍ତି ସେମାନଙ୍କୁ ମଧ୍ୟ ସପ୍ତାହରେ ଦୁଇଟି ମାଗଣା ବୋତଲ ଦିଅନ୍ତୁ। ପ୍ରତି ମାସରେ ଦେୟ ଦେବା ସମ୍ଭବ ନୁହେଁ, ନୁହେଁ କି ? କେବଳ ଦୁଇଟି ବୋତଲ। ଏହା ଆମର ଟଙ୍କା ଯାହା ଶକ୍ତି ଯୋଜନା, ମାଗଣା ବସ୍ ଏବଂ କରେଣ୍ଟ ପାଇଁ ଦିଆଯାଉଛି, ନୁହେଁ କି ? ତେବେ ପୁରୁଷ ମାନଙ୍କୁ ସପ୍ତାହରେ ଦୁଇଟି ବୋତଲ ଦେବାରେ ଅସୁବିଧା କେଉଠି ? ଏହାକୁ କରନ୍ତୁ । ସରକାରଙ୍କୁ ଏହା କୋଅପରେଟିଭ୍ ସୋସାଇଟି ମାଧ୍ୟମରେ କରିବାକୁ ଦିଅନ୍ତୁ । ମନ୍ତ୍ରୀ ଜର୍ଜଙ୍କୁ ଏହା କରିବାକୁ ଦିଅନ୍ତୁ।

ତେବେ ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଜର୍ଜଙ୍କ ଉତ୍ତର ଆସିଥିଲା। ଏଥିରେ ମନ୍ତ୍ରୀ କହିଥିଲେ ଯେ, ଆପଣ ନିର୍ବାଚନ ଜିତନ୍ତୁ, ସରକାର ଗଠନ କରନ୍ତୁ ଏବଂ ଏହା କରନ୍ତୁ। ଆମେ ଯଥାସମ୍ଭବ ମଦ୍ୟପାନକୁ ସୀମିତ କରିବାକୁ ଚେଷ୍ଟା କରୁଛୁ । ତେବେ ଏହି ପ୍ରସଙ୍ଗରେ ଅଧ୍ୟକ୍ଷ କହିଥିଲେ ଯେ, ଦୁଇଟି ବୋତଲ ମାଗଣା ଦେବାର ଆପଣଙ୍କର ପରାମର୍ଶ ଆମକୁ ଏକ କଷ୍ଟକର ପରିସ୍ଥିତିରେ ପକାଇପାରେ। କଳ୍ପନା କରନ୍ତୁ ଯଦି ଆମେ ଦୁଇଟି ବୋତଲ ମାଗଣାରେ ଦେବା ଆରମ୍ଭ କରିଦେଲୁ ତେବେ ପରିସ୍ଥିତି କିପରି ହେବ। ଏହା ଉପରେ ଏମଟି କୃଷ୍ଣପ୍ପା କହିଥିଲେ କି, ଯଦି ଆପଣ ଏହାକୁ ମାଗଣାରେ ଦେବେ ତେବେ ପରିସ୍ଥିତି ଆପେଆପେ ସୁଧୁରିଯିବ।

ତେବେ ଏମଟି କୃଷ୍ଣପ୍ପାଙ୍କ ଏହି ବୟାନ ପରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। କିଛି ନେତା ତାଙ୍କ ବକ୍ତବ୍ୟକୁ ସମାଲୋଚନା ମଧ୍ୟ କରୁଛନ୍ତି। ଲୋକମାନେ କହୁଛନ୍ତି ଯେ ଜଣେ ବିଧାୟକ ଏପରି ଦାବି କିପରି କରିପାରିବେ ?