ଭୁବନେଶ୍ୱର, ୧୮।୧୦: ଆଜିର ଅତ୍ୟାଧୁନିକ ଯୁଗରେ ସମଲ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ଆମେ ଯେ କୌଣସି ସ୍ଥାନକୁ ଯାଉ ପଛେ ସାଙ୍ଗରେ ଆଉ କିଛି ଥାଉ କି ନଥାଉ, ଫୋନ୍‌ଟି ନିଶ୍ଚୟ ଥିବ । ବିନା ଫୋନରେ କୌଣସି କାମ ହେବା ଅସମ୍ଭବ । ଏପରିକି କିଛି ଲୋକ ବାଥରୁମ୍‌ ଓ ଟଏଲେଟ୍‌କୁ ମଧ୍ୟ ଫୋନ୍ ନେଇ ଯାଇଥାନ୍ତି । ଦିନେ କି ଦୁଇ ଦିନ ନୁହେଁ, ପ୍ରତ୍ୟେକ ଦିନ ବାଥରୁମ୍‌କୁ ଫୋନ୍ ନେଇ ଯିବାଟା ତାଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି । କିନ୍ତୁ, ଏଭଳି ଅଭ୍ୟାସ ଯେ ଆପଣଙ୍କୁ ରୋଗାଗ୍ରସ୍ତ କରିପାରେ, ତାହା କେବେ ଚିନ୍ତା କରିଛନ୍ତି କି ? ଏହାକୁ ନେଇ ନିକଟରେ ଏକ ଭୟଙ୍କର ରିପୋର୍ଟ ସାମନାକୁ ଆସିଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ଟଏଲେଟ୍ ସିଟ୍ସଠାରୁ ଅଧିକ ବ୍ୟାକ୍ଟେରିଆ ରହିଛି ଆମେ ଧରୁଥିବା ମୋବାଇଲ୍‌ ଫୋନରେ । ଏ ଖବର ଶୁଣି ଚମକି ପଡ଼ିଲେ କି ? ଆଜ୍ଞା ହଁ, ଏହା ସମ୍ପୂର୍ଣ୍ଣ ସତ । କିଛି ଲୋକ ଟଏଲେଟ୍‌ରେ ମୋବାଇଲ ବ୍ୟବହାର କରିଥାନ୍ତି । ମୋବାଇଲରେ ସୋସିଆଲ ମିଡିଆ ସ୍କ୍ରଲିଂ କରିଥାନ୍ତି ନଚେତ୍ ହ୍ୱାଟ୍ସଅପ୍ ଚାଟିଂ କିମ୍ୱା ମେଲ୍ ଚେକ୍‌ କରିଥାନ୍ତି । ଏଭଳି କରିବା ଦ୍ୱାରା ଆପଣ ରୋଗାଗ୍ରସ୍ତ ହୋଇପାରନ୍ତି । ଏହା ଫଳରେ ଉଭୟ ଶାରୀରିକ ଓ ମାନସିକ ପ୍ରଭାବ ପଡ଼ିପାରେ । ଟଏଲେଟ୍‌ କିମ୍ୱା ବାଥରୁମ୍‌କୁ ଫୋନ୍ ନେଇ ଯିବା ପୂର୍ବରୁ ଥରେ ନଜର ପକାନ୍ତୁ ଏହି ଖବର ଉପରେ । ଏହା ପରେ ଆପଣ ଭୁଲ୍‌ରେ ବି ବାଥରୁମ୍‌କୁ ଫୋନ୍ ନେଇ ଯିବାକୁ ଚାହିଁବେନି । 

ଟଏଲେଟ୍‌ ଚଟାଣର ବ୍ୟାକ୍ଟେରିଆ: ବ୍ୟାକ୍ଟେରିଆ ଓ ଜୀବାଣୁର ଉତ୍ପତ୍ତିସ୍ଥଳି ବାଥରୁମ୍‌ କିମ୍ୱା ଟଏଲେଟ୍‌ର ସିଟ୍, ବାଥରୁମ୍ ଚଟାଣ ଓ ସିଙ୍କ୍ । ଯେତେବେଳେ ଆପଣ ସେହି ପରିବେଶରେ ମୋବାଇଲ୍‌ ବ୍ୟବହାର କରୁଛନ୍ତି ସେଥିରେ ଖୁବ୍ ଶୀଘ୍ର ବ୍ୟାକ୍ଟେରିଆ ଓ ଜୀବାଣୁ ବ୍ୟାପିଥାନ୍ତି । ପରେ ମୋବାଇଲ୍‌ରୁ ହାତ, ମୁହଁ ଏବଂ ଶରୀରର ଅନ୍ୟ ଅଙ୍ଗକୁ ଖୁବ୍ ସହଜରେ ବ୍ୟାପିଥାନ୍ତି । ଯାହା ଫଳରେ ଶାରୀରିକ ଅସୁସ୍ଥତା ଦେଖାଯିବା ସହ ପେଟରେ କୁର୍ମି ଓ ଦେଖାଦେଇଥାଏ ପେଟ ସମ୍ୱନ୍ଧୀୟ ଅନ୍ୟାନ୍ୟ ସମସ୍ୟା । ଟଏଲେଟ୍‌ରେ ଫୋନ୍ ବ୍ୟବହାର କରି ହାତ ଧୋଇବା ପରେ ମଧ୍ୟ ଫୋନ୍ ଛୁଇଁଲେ ଏହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ । ଏଭଳି ବଦଭ୍ୟାସକୁ ଶୀଘ୍ର ଛାଡ଼ିବାକୁ ଚେଷ୍ଟା କରନ୍ତୁ । ଯାହା ଦ୍ୱାରା ଆପଣ ନିଜ ଫୋନ୍‌କୁ ମାରାତ୍ମକ ବ୍ୟାକ୍ଟେରିଆ ଓ ଜୀବାଣୁଠାରୁ ଦୂରେଇ ରଖିପାରିବେ । 

ଦୀର୍ଘ ସମୟ ଧରି ଟଏଲେଟ୍‌ରେ ବସି ରହିବା: ଅନ୍ୟ ଏକ ବଦଭ୍ୟାସ ହେଉଛି, ଫୋନ୍ ବ୍ୟବହାର କରିବା ଫଳରେ ଟଏଲେଟ୍‌ରେ ଦୀର୍ଘ ସମୟ ଧରି ବସି ରହିଥାନ୍ତି । ବାଥରୁମ୍‌ରେ ସୋସିଆଲ ମିଡିଆ ବ୍ୟବହାର କରିବା ବେଳେ କେତେବେଳେ ଯେ, ସମୟ ଗଡ଼ିଯାଏ ଜଣାପଡ଼େନି । ଏଭଳି ଦୀର୍ଘ ସମୟ ଧରି ବସି ରହିବା ଦ୍ୱାରା ମେରୁଦଣ୍ଡରେ ପଡ଼ିପାରେ ଚାପ । ଫଳରେ ଅଣ୍ଟା ଓ ପଛଭାଗ ଶୀରରେ ଯନ୍ତ୍ରଣା ଦେଖାଦେଇପାରେ । ବାଥରୁମ୍‌ରେ ଦୀର୍ଘ ସମୟ ବସିବା ଭଳି ବଦଭ୍ୟାସକୁ ବଦଳାନ୍ତୁ । ଏଭଳି କରିବା ଫଳରେ ଆପଣ ରୋଗାଗ୍ରସ୍ତ ହେବାରୁ ଦୂରେଇ ରହିବେ । 

ମାନସିକ ସ୍ୱାସ୍ଥ୍ୟ: ଚିନ୍ତା ଓ ମାନସିକ ଚାପରୁ ମୁକ୍ତି ପାଇବାକୁ ବାଥରୁମ୍‌ ସବୁଠୁ ଉତ୍କୃଷ୍ଠ ସ୍ଥାନ । କିନ୍ତୁ, ସେହି ସ୍ଥାନରେ ଫୋନ୍‌ ବ୍ୟବହାର କରିବା ଫଳରେ ଡିଜିଟାଲ୍ ଡିସଟ୍ରାକ୍ସନ କରିଥାଏ । ଲଗାତାର ନୋଚିଫିକେସନ୍ ଓ ସ୍କ୍ରଲିଂ କରିବା ଫଳରେ ଘାରିବସେ ଚିନ୍ତା । ଏଥିସହ ଅଧିକ ଫୋନ୍ ଦେଖିବାକୁ ଇଚ୍ଛା ହୋଇଥାଏ । ବାଥରୁମ୍‌ରେ ଫୋନ୍ ବ୍ୟବହାର ବନ୍ଦ କରିବା ଫଳରେ ମାନସିକ ଚାପ ଦୂର ହେବା ସହ ଶାନ୍ତି ମିଳେ । 

କେମିତି ବଦଳାଇବେ ଏହି ବଦଭ୍ୟାସ ? ଯଦି ଆପଣ ଏହି ବଦଭ୍ୟାସକୁ ବଦଳାଇବାକୁ ଚାହୁଁଛନ୍ତି, ଏଥିପାଇଁ ଜାଣିନିଅନ୍ତୁ କିଛି ଟିପ୍ସ ।

ବାଥରୁମ୍‌କୁ ଫୋନ୍ ନିଅନ୍ତୁନି: ପ୍ରଥମେ ବାଥରୁମ୍‌କୁ ଫୋନ୍‌ ନ ନେବାର ନିୟମ କରନ୍ତୁ । ଟଏଲେଟ୍‌ ଯିବା ପୂର୍ବରୁ ପାଖ ଫୋନ୍‌କୁ ପାଖ ରୁମ୍‌ରେ ନ ରଖି ଦୂରରେ ରଖନ୍ତୁ ।

ଟାଇମର୍ ସେଟ୍ କରନ୍ତୁ: ଯଦି ବାଥରୁମ୍‌ରେ ଫୋନ୍ ବ୍ୟବହାର କରିବା ଅଭ୍ୟାସରେ ପରିଣତ ହୋଇଯାଇଛି । ତେବେ ଏଥିପାଇଁ ବାଥରୁମ୍‌ରେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଫୋନ୍ ବ୍ୟବହାର କରିବାକୁ ଟାଇମର୍ ସେଟ୍ କରିନିଅନ୍ତୁ ।

ବାଥରୁମ୍‌କୁ ଫୋନ୍ ମୁକ୍ତ ଜୋନର୍‌ ଆଣନ୍ତୁ: ବାଥରୁମ୍‌ ଯିବା ପୂର୍ବରୁ ଫୋନ୍‌ଟିକୁ ରୁମ୍‌ରେ ରଖିଦିଅନ୍ତୁ । ବାଥରୁମ୍‌କୁ ଫୋନ୍ ମୁକ୍ତ ଜୋନରେ ଆଣନ୍ତୁ । ଅର୍ଥାତ୍ ବାଥରୁମ୍‌କୁ ଯିବା ମାତ୍ରେ ହିଁ, ଫୋନ୍‌ଟିକୁ ନିଜଠୁ ଦୂରେଇ ଦିଅନ୍ତୁ । 

ଟଏଲେଟ୍‌ରେ ଫୋନ୍ ବ୍ୟବହାର ବନ୍ଦ କରିବା ଫଳରେ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବା ସହ ସୋସିଆଲ ମିଡିଆଠୁ କିଛି ସମୟ ଦୂରେଇ ରହିବା ଖୁବ୍ ଆରାମଦାୟକ ।