ଭୁବନେଶ୍ୱର, ୬।୪: ଆଶା ଥିଲା ଅସଜଡା ଆମିଷ ହାଟ ବ୍ୟବସ୍ଥିତ ହେବ । ପ୍ରତି ୱାର୍ଡରେ ଖୋଲିବ ଆମିଷ ବଜାର । ଲୋକେ ରାସ୍ତା କଡ଼ରେ ଆଉ ରକ୍ତ ଛିଟାର ଦୃଶ୍ୟ ଦେଖିବେନି । ୩ ବର୍ଷ ପରେ ବି ଏହି ହାଟ ସ୍ୱପ୍ନ ହୋଇ ରହିଛି । ଯେଉଁ କିଛି ଯାଗାରେ ତିଆରି ହେଲା, ସେଠି କାଉ କୋଇଲିର ଦେଖାନାହିଁ । ବିଏମ୍‌ସିରେ ସବୁ ୱାର୍ଡରେ ମାଳ ମାଳ ଆମିଷ ଦୋକାନ ଖୋଲିଛି । ମନଇଚ୍ଛା ଖୋଲୁଥିବାରୁ ଏହା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ନୂଆପଲ୍ଲୀ କ୍ରାଉନ ହୋଟେଲରୁ ଜୟଦେବ ବିହାର ଜାତୀୟ ରାଜପଥ କଡ଼ରେ ଖୋଲା ମେଲାରେ ମାଂସ କଟା ହେଉଛି । ଏହାକୁ ଲାଗି ଲାଇନରେ ମାଛ ଦୋକନ । ଫଳରେ ପୁରା ଅଞ୍ଚଳରେ ଦୁର୍ଗନ୍ଧ ବ୍ୟାପୁଛି । ଡେଲଟା ଟ୍ରାଫିକ୍ ଛକରେ ମାଛ ବିକ୍ରି ହେଉଥିଲା । ଆମିଷ ଯୋଗୁଁ ଆକାଶରେ ପକ୍ଷୀ ଉଡ଼ିଲେ । ଏହା ଏୟାରପୋର୍ଟ ପ୍ରତି ବିପଦ ଟାଣି ଆଣିଲା । ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍ ଏହାକୁ ବନ୍ଦ କଲା । ହେଲେ ମାସକ ପରେ ପୁଣି ପାଖ ଗଳିରେ ଦୋକାନ ଖୋଲିଲା । 

ଏହା ବି ପଢ଼ନ୍ତୁ... ଦାନ୍ତ ଉପାଡ଼ିବାକୁ ବି 'ରେଫର୍': ଦୁଇ ଦୁଇ ଜଣ ଡାକ୍ତର ଥାଇ ବି ରୋଗୀ ହନ୍ତସନ୍ତ, ହାତ ବାନ୍ଧି ବସିଛି ସ୍ୱାସ୍ଥ୍ୟ ବିଭାଗ

ସେହିପରି ସାମନ୍ତରାପୁର ନୂଆଗାଁ ରାସ୍ତା କଡ଼, ଶୈଳଶ୍ରୀବିହାର ମଙ୍ଗଳା ମନ୍ଦିର ପାଖ, ପଟିଆ ଷ୍ଟେସନ ରାସ୍ତା, ପଳାଶୁଣି ମାଛ ମାର୍କେଟ ବି ସମାନ ଅବସ୍ଥାରେ ଖୋଲୁଛି । ରାସ୍ତାକୁ ଲାଗି ମନଇଚ୍ଛା ଆମିଷ ହାଟ ଖୋଲୁଥିବାରୁ ରାସ୍ତାରେ ଟ୍ରାଫିକ ଜାମ ଲାଗୁଛି । ବିଏମ୍ସି ପକ୍ଷରୁ ସବୁ ୱାର୍ଡରେ ଅର୍ବାନ ଆମିଷ ବଜାର ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ତତ୍କାଳୀନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି କମିଶନର (ମାର୍କେଟ) ନଗର ଯନ୍ତ୍ରୀ, ଡେପୁଟି କମିଶନର (ଜମି) ଏବଂ ସବୁ ଜୋନାଲ କମିଶନରମାନଙ୍କୁ ଯାଗା ଚିହ୍ନଟ କରିବାକୁ ଚିଠି କରିଥିଲେ । ହେଲେ ଏଯାଏଁ ଜାଗା ଚିହ୍ନଟ ହୋଇ ପାରିଲାନାହିଁ । ନୀତିଗତ ନିଷ୍ପତ୍ତି ନେବାର ବିଏମସିର ବିଫଳତା ନୂଆ ନୁହେଁ । ଗାଡ଼କଣରେ କଂସେଇଖାନା ଖୋଲିଲେ । ହେଲେ ସେଠାକୁ ଗୋଟିଏ ବି ମାଂସ ଦୋକାନୀ ଗଲେନାହିଁ । ଭୂତକୋଠି ହୋଇ ପଡିଛି ଗାଡ଼କଣ କଂସେଇ ଖାନା । ବିଏମ୍‌ସିର ଲକ୍ଷ ଲକ୍ଷଟଙ୍କା ବରବାଦ ହେଲା । ସେହିପରି ୟୁନିଟ୪ରେ ମଧ୍ୟ ୧୭ଟି ଦୋକାନ ଖୋଲିଛି । ସେଠାକୁ ଯିବାକୁ ବ୍ୟବସାୟୀ ରାଜି ହେଉନାହାନ୍ତି । ଅଲ୍ ଓଡିଶା ଆମିଷ ବ୍ୟବସାୟୀ ସଂଘ ସଭାପତି ଏସ୍ କେ ମୁକ୍ତାକିମ ବକ୍ସ କହିଛନ୍ତି, ୨୦୨୩ରେ ବିଏମ୍ସି କମିଶନରଙ୍କୁ ଭେଟି ଆଲୋଚନା କରିଥିଲୁ । ଏ ପର୍ଯ୍ୟାନ୍ତ ଆମିଷ ହାଟ ଖୋଲିଲା ନାହିଁ । ବିଏମ୍ସିରେ ପାଖାପାଖି ୪୦୦୦ ଆମିଷ ବ୍ୟବସାୟୀ ଅଛନ୍ତି, ତେଣୁ ସେମାନଙ୍କ ପାଇଁ ବିଏମ୍ସି ଚିନ୍ତା କରିବାର ଆବଶ୍ୟକତା ରହିଛି ।