ଭୁବନେଶ୍ୱର, ୬।୪: କ୍ୟାପିଟାଲ ହସ୍ପିଟାଲ ଦନ୍ତ ବିଭାଗର ସ୍ଥିତିରେ ସୁଧାର ଆସୁନି । ବିଭାଗରେ ନା ଅଛନ୍ତି ଦକ୍ଷ ଡାକ୍ତର, ନା ରହିଛି ଅତ୍ୟାଧୁନିକ ଯନ୍ତ୍ରପାତି । ସାମାନ୍ୟ ଦାନ୍ତ ଉପାଡ଼ିବା ପାଇଁ ବି ରୋଗୀଙ୍କୁ ରେଫର କରାଯାଉଛି କଟକ ଏସ୍ସିବି, ଭୁବନେଶ୍ୱର ଏମ୍ସ । ଏହା ହିଁ ଦନ୍ତ ବିଭାଗର ବିକଳ ଚିତ୍ରକୁ ଦର୍ଶାଉଛି । ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଏବଂ ବିଧାନସଭାରେ ମଧ୍ୟ ଏ ସଂପର୍କରେ ଆପତ୍ତି ଉଠିଛି । ହେଲେ କ’ଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ହାତବାନ୍ଧି ବସିଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଓପିଡି ସମ୍ମୁଖରେ ପ୍ଲାଷ୍ଟିକ୍ ଦୌଡ଼ି ବନ୍ଧା ହୋଇଛି । ଦୌଡ଼ି ବାହାରେ ଦୂରରେ ରହି ରୋଗୀଙ୍କୁ ଡାକ୍ତର ପରାମର୍ଶ ହେଉଛନ୍ତି । ଡାକ୍ତରଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହେଉଛନ୍ତି ରୋଗୀ । ସେମାନଙ୍କ ନାମରେ ଗଣ୍ଡା ଗଣ୍ଡା ଅଭିଯୋଗ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଖରେ ରହିଛି । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଭଲ ଭାବରେ ଅବଗତ ରହିଛି ।

ଏହା ବି ପଢ଼ନ୍ତୁ... ଢାବା ଉପରକୁ ମାଡ଼ିଗଲା ମରଣଯନ୍ତା ସାଜିଥିବା କାର୍: ୨ ମୃତ, ଜଣେ ଗୁରୁତର 

ସ୍ୱାସ୍ଥ୍ୟ ସଚିବ ଏହା ଉପରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ୪ ମାସ ତଳେ ନିର୍ଦ୍ଦେଶ ଦେଇଥିଲେ । ତଥାପି ସ୍ଥିତିରେ ସୁଧାର ଆସୁନି । ବାଲୁଗାଁରୁ ଜଣେ ବ୍ୟକ୍ତି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ଜଣେ ବରିଷ୍ଠ ସର୍ଜନ ତାଙ୍କ ଚିକିତ୍ସା କରିଥିଲେ । ତେବେ ରୋଗୀଙ୍କ ଦାନ୍ତ ସମସ୍ୟା ଥିବାରୁ ଡାକ୍ତର ତାଙ୍କୁ ଦାନ୍ତ ବିଭାଗକୁ ପଠାଇଥିଲେ । ହେଲେ ଦାନ୍ତ ଡାକ୍ତର ଠିକ୍ରେ ନ ଦେଖି ସିଧା ଏସ୍ସିବି ରେଫର କରିଥିଲେ । ଏହାକୁ ନେଇ ସେ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ । ପୂର୍ବରୁ ମଧ୍ୟ ନୟାପଲ୍ଲୀ ରଞ୍ଜିତା ନାୟକ ନାମ୍ନୀ ଜଣେ ମହିଳା ଅଭିଯୋଗ କରିଥିଲେ । ବର୍ତ୍ତମାନ ବିଭାଗରେ ୩ ଜଣ ଡାକ୍ତର ଅଛନ୍ତି । ସେଥିରୁ ଜଣେ ପ୍ରସୂତିକାଳୀନ ଛୁଟିରେ ଅଛନ୍ତି । ଜଣେ ଠିକା, ଆଉ ଜଣେ ଡିଇଆଇସିରୁ ଆସି କାର୍ଯ୍ୟ କରୁଛନ୍ତି । ଆଉ ଜଣେ ଡାକ୍ତରଙ୍କ ବଦଳି ପରେ ପଦବି ଖାଲି ପଡ଼ିଛି । ଡେଣ୍ଟାଲ ଟେକ୍ନିସିଆନ୍ ପଦବି ୪ବର୍ଷ ହେଲାଣି ଖାଲି ଅଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରିଲେ ସେହି ଦୁଇ ପଦ ଘୋଷା ଲାଇନ ଶୁଣିବାକୁ ମିଳୁଛି । ଯେ “ଦାନ୍ତ ବିଭାଗ ସମ୍ପର୍କରେ ଅବଗତ ଅଛୁ । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି । ଖୁବ୍‌ଶୀ ଉପଯକ୍ତ ପଦକ୍ଷେପ ନିଆଯିବ” ।