ପ୍ରତିଦିନ ସାରା ଭାରତରେ ୨୫,୦୦୦ରୁ ଅଧିକ ଟ୍ରେନ୍ ଚାଲିଥାଏ । ୧,୩୭,୦୦୦ କିଲୋମିଟରରୁ ଅଧିକ ଟ୍ରାକ୍ ନେଟୱର୍କରେ ସେଗୁଡ଼ିକ ଦୈନିକ ୨ କୋଟିରୁ ଅଧିକ ଯାତ୍ରୀଙ୍କୁ ପରିବହନ କରିବା ସହିତ ବହୁ ପରିମାଣରେ କୋଇଲା, ଲୁହାପଥର, ଶସ୍ୟ, ଇସ୍ପାତ, ସିମେଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରନ୍ତି ।
ରେଳ ଟ୍ରାକ୍ ହେଉଛି ସେହି ଭିତ୍ତିଭୂମି ଯାହା ଉପରେ ଏହି ସମଗ୍ର ବ୍ୟବସ୍ଥା କାମ କରେ । ଯେତେବେଳେ ଏହା ଭଲ ଅବସ୍ଥାରେ ଥାଏ, ଟ୍ରେନଗୁଡ଼ିକ ଅଧିକ ବେଗରେ ଓ ସୁରକ୍ଷିତ ଭାବରେ ଚାଲିଥାଏ । ଏହା ଭଲ ଅବସ୍ଥାରେ ନଥିଲେ, ଗତି ପ୍ରତିବନ୍ଧକ ଏବଂ ବିଳମ୍ବଠାରୁ ଆରମ୍ଭ କରି ସୁରକ୍ଷା ସହ ଜଡ଼ିତ ବିପଦ ପର୍ଯ୍ୟନ୍ତ ବିଭିନ୍ନ ଅସୁବିଧା ହୋଇଥାଏ । ଭଙ୍ଗା ରେଳ, ଢିଲା ଫିଟିଂ କିମ୍ବା ଗେଟି ପରସ୍ତ ଟ୍ରେନର ଗତିକୁ ପ୍ରଭାବିତ କରିପାରେ ।
ରେଳ ଟ୍ରାକ୍ର ଗୁରୁତ୍ୱକୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ଏକଦଶନ୍ଧି ପୂର୍ବରୁ ବ୍ୟାପକ ଆଧୁନିକୀକରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏହି କାର୍ଯ୍ୟରେ ଆଧୁନିକ ମେସିନ୍ ବ୍ୟବହାର କରି ଟ୍ରାକ୍ ନବୀକରଣ, ଉନ୍ନତ ପଦ୍ଧତି ମାଧ୍ୟମରେ ପରୀକ୍ଷଣ ଓ ଯାଞ୍ଚ, ଯାନ୍ତ୍ରିକ ରକ୍ଷଣାବେକ୍ଷଣ, ସୁରକ୍ଷା ବାଡ଼ ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା । ମିଳିତ ଭାବେ ଏହି ପ୍ରୟାସଗୁଡ଼ିକ ନେଟୱର୍କର ସ୍ଥିତିରେ ଆଖିଦୃଶିଆ ପରିବର୍ତ୍ତନ ଆଣିଛି ।
୨୦୧୪ ମସିହାରୁ, ପ୍ରାୟ ୫୫,୦୦୦ କିଲୋମିଟର ଟ୍ରାକ୍ର ନବୀକରଣ କରାଯାଇଛି । ଏହାଦ୍ୱାରା ସୁରକ୍ଷା ସହିତ ଯାତ୍ରାର ଗୁଣବତ୍ତା ବୃଦ୍ଧି ପାଇଛି ଏବଂ ବାରମ୍ବାର ମରାମତିର ଆବଶ୍ୟକତା ହ୍ରାସ ପାଇଛି । ୨୬୦ ମିଟର ଲମ୍ବବିଶିଷ୍ଟ ପ୍ରାୟ ୪୪,୦୦୦ ଟ୍ରାକ୍ କିଲୋମିଟର ଦୀର୍ଘ ରେଳ ପ୍ୟାନେଲ ବିଛାଯାଇଛି । ଲମ୍ବା ପ୍ୟାନେଲଗୁଡ଼ିକର ଅର୍ଥ ହେଉଛି କମ୍ ଯୋଡ଼େଇ, ଯାହା ସୁଗମ ଏବଂ ସୁରକ୍ଷିତ ଟ୍ରେନ୍ ଗତିକୁ ସକ୍ଷମ କରିଥାଏ । ୮୦,୦୦୦ କିଲୋମିଟରରୁ ଅଧିକ ଭାଗରେ ମଜବୁତ ୬୦ କିଲୋଗ୍ରାମ ବିଶିଷ୍ଟ ରେଳ ଟ୍ରାକ ବର୍ତ୍ତମାନ ବ୍ୟବହାର ହେଉଛି, ଯାହା ଅଧିକ ଭାର ଏବଂ ଗତିକୁ ସମର୍ଥନ କରେ ।
ମଜବୁତ ରେଳ ଟ୍ରାକ ବିଛାଇବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଠିକ୍ ସମୟରେ ତ୍ରୁଟି ଖୋଜିବା ମଧ୍ୟ ଜରୁରି । ପ୍ରାୟ ୩୬.୨ ଲକ୍ଷ ଟ୍ରାକ କିଲୋମିଟର ଏବଂ ୨.୨୫ କୋଟି ୱେଲ୍ଡର ଅଲଟ୍ରାସୋନିକ ଫାଟ ଚିହ୍ନଟ (ୟୁଏସଏଫଡି) ଯାଞ୍ଚ କରାଯାଇଛି । ଏହା ଜରିଆରେ ବାହାରୁ ଦେଖାଯାଉନଥିବା ରେଳ ଭିତରର ଲୁକ୍କାୟିତ ଫାଟ ଚିହ୍ନଟ କରାଯାଉଛି । ଫଳସ୍ୱରୂପ, ରେଳ ଏବଂ ୱେଲ୍ଡ ତ୍ରୁଟି ପ୍ରାୟ ୯୦% ହ୍ରାସ ପାଇଛି । କୌଣସି ଘଟଣା ଘଟିବା ପରେ ସମସ୍ୟା ସମାଧାନ କରିବା ବଦଳରେ ପୂର୍ବରୁ ସେଗୁଡ଼ିକୁ ରୋକିବା ପାଇଁ ଏକ ପରିବର୍ତ୍ତିତ ବ୍ୟବସ୍ଥା ହୋଇଛି ।
ବର୍ତ୍ତମାନ ବ୍ୟବହୃତ ହେଉଥିବା ଅନ୍ୟ ପଦ୍ଧତିଗୁଡ଼ିକ ମଧ୍ୟରେ ଫ୍ଲାସ୍-ବଟ୍ ୱେଲ୍ଡ ପାଇଁ ପର୍ଯ୍ୟାୟବଦ୍ଧ-ଆରେ ପରୀକ୍ଷା, ନୂତନ ୱେଲ୍ଡ ପାଇଁ ଚୁମ୍ବକୀୟ ପାର୍ଟିକିଲ ନିରୀକ୍ଷଣ, ଏବଂ ଜିପିଏସ ଚାଳିତ ଓସିଲେସନ୍ ମନିଟରିଂ ସିଷ୍ଟମ୍ (ଓଏମଏସ) ଅନ୍ତର୍ଭୁକ୍ତ, ଯାହା ଯାତ୍ରାର ଗୁଣବତ୍ତା ମାପ କରେ ଏବଂ ଟ୍ରାକରେ ଥିବା ଖରାପ ସ୍ଥାନଗୁଡ଼ିକର ସଠିକ୍ ଭାବେ ଚିହ୍ନଟ କରେ ।
ଟ୍ରାକ୍ ମେସିନ୍ ସଂଖ୍ୟା ୨୦୧୪ରେ ୭୪୮ରୁ ଦ୍ୱିଗୁଣିତ ହୋଇ ୨୦୨୬ରେ ୧,୭୮୫ରେ ପହଞ୍ଚିଛି । ଏହି ମେସିନଗୁଡ଼ିକ ଟାମ୍ପିଂ, ବାଲାଷ୍ଟ ସଫା କରିବା ଏବଂ ରେଳ ଗ୍ରାଇଣ୍ଡିଂକୁ ପାରମ୍ପରିକ ପଦ୍ଧତି ବା ମାନୁଆଲ୍ କାମ ଅପେକ୍ଷା ଭଲ, ଦ୍ରୁତ ଏବଂ ଅଧିକ ସମାନ ଭାବରେ କରନ୍ତି । ମେସିନଗୁଡ଼ିକ ବାଲାଷ୍ଟର ଗଭୀର ସ୍କ୍ରିନିଂରେ ଏକ ଉଲ୍ଲେଖନୀୟ ଫରକ ଆଣିଛି । ଟ୍ରାକ ତଳେ ଚୂର୍ଣ୍ଣ ପଥରର ସ୍ତର ଜଳ ନିଷ୍କାସନ ପ୍ରଦାନ କରେ, କମ୍ପନ ଶୋଷଣ କରେ ଏବଂ ଟ୍ରାକକୁ ସ୍ଥିର ରଖେ । ସମୟ ସହିତ, ବାଲାଷ୍ଟ ପଥରଗୁଡ଼ିକ ଟ୍ରେନର ସ୍ଥିର ଓଜନ ଏବଂ କମ୍ପନରେ ଗୁଣ୍ଡ ହୋଇଯାଏ । ଏହା ଫଳରେ ବେଡ୍ ବନ୍ଦ ହୋଇଯାଏ ଏବଂ ଏହାର କାର୍ଯ୍ୟ କରିବାର କ୍ଷମତା ହ୍ରାସ କରେ । ସ୍କ୍ରିନିଂ ଟ୍ରାକ୍ ବେଡ୍କୁ ସଠିକ୍ ଅବସ୍ଥାରେ ପୁନଃସ୍ଥାପିତ କରେ । ଏହି କାର୍ଯ୍ୟ ୧ଲକ୍ଷରୁ ଅଧିକ ଟ୍ରାକ୍ କିଲୋମିଟରରେ କରାଯାଇଛି, ମୁଖ୍ୟତଃ ମେସିନ୍ ଦ୍ୱାରା ।
ପୃଷ୍ଠର ତ୍ରୁଟି ଦୂର କରିବା ଏବଂ ଯାତ୍ରାର ଗୁଣବତ୍ତା ଓ ସୁରକ୍ଷାକୁ ଉନ୍ନତ କରିବା ପାଇଁ ଏକ ଲକ୍ଷ କିଲୋମିଟରରୁ ଅଧିକ ରେଳର ଗ୍ରାଇଣ୍ଡିଂ କରାଯାଇଛି । ପ୍ରତିବର୍ଷ ଟ୍ରେନ ଟ୍ରାଫିକ ବୃଦ୍ଧି ପାଉଥିବାରୁ ଟ୍ରେନଗୁଡ଼ିକ ମଧ୍ୟରେ ରକ୍ଷଣାବେକ୍ଷଣ ୱିଣ୍ଡୋ ସଙ୍କୁଚିତ ହେଉଛି । ମେସିନଗୁଡ଼ିକ ସେବାଗୁଡ଼ିକୁ ବାଧାପ୍ରାପ୍ତ ନକରି କମ୍ ସମୟରେ ଅଧିକ କାର୍ଯ୍ୟ କରିବାରେ ସାହାଯ୍ୟ କରେ । କିନ୍ତୁ ଟ୍ରେନଗୁଡ଼ିକ ପଏଣ୍ଟ ଓ କ୍ରସିଂ ଦେଇ କିପରି ଯାତାୟାତ କରେ ତାହା ଉପରେ ମଧ୍ୟ ସୁରକ୍ଷା ନିର୍ଭର କରେ । ଭାରତୀୟ ରେଳ ଟ୍ରାକ୍ ନବୀକରଣ ସହିତ ଅନେକ ସହାୟକ ପଦକ୍ଷେପ ଗ୍ରହଣ କରିଛି ।
ପ୍ରାୟ ୧୭,୫୦୦ କିଲୋମିଟର ସୁରକ୍ଷା ବାଡ଼ ସ୍ଥାପନ କରାଯାଇଛି, ବିଶେଷକରି ଯେଉଁଠାରେ ଟ୍ରେନଗୁଡ଼ିକ ୧୧୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଚାଲେ ସେଠାରେ ଏପରି କରାଯାଇଛି । ଏହା ସାଧାରଣ ଲୋକ ଏବଂ ପ୍ରାଣୀମାନଙ୍କ ଅନୁପ୍ରବେଶକୁ ରୋକିବାରେ ସାହାଯ୍ୟ କରେ । ପଏଣ୍ଟ ଏବଂ କ୍ରସିଂରେ, ୩୬,୦୦୦ ମୋଟା-ୱେବ୍ ସ୍ୱିଚ୍ ଏବଂ ୭,୫୦୦ ୱେଲ୍ଡେବଲ୍ ସିଏମଏସ କ୍ରସିଂ ଯୋଗାଇ ଦିଆଯାଇଛି । ଏଗୁଡ଼ିକ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ ଏବଂ ସୁଗମ ଟ୍ରେନ ଚଳାଚଳକୁ ସକ୍ଷମ କରେ । ୨୦୧୯ରେ କାର୍ଯ୍ୟକ୍ଷମ କରାଯାଇଥିବା ପ୍ରଶସ୍ତ, ଭାରୀ ସ୍ଲିପରଗୁଡ଼ିକ ସ୍ଥିରତାକୁ ଉନ୍ନତ କରିଛି, ବିଶେଷକରି ଗ୍ରୀଷ୍ମଋତୁର ଗରମ ସମୟରେ । ଗିର୍ଡର ବ୍ରିଜ୍ ଏବଂ ୟାର୍ଡ ମାଧ୍ୟମରେ ଲମ୍ବା ୱେଲ୍ଡିଂ ରେଳ ଉପରେ ଏଚ-ବିମ୍ ସ୍ଲିପରଗୁଡ଼ିକ ନେଟୱର୍କକୁ ଆହୁରି ମଜବୁତ କରିଛି । ରେଳ ଟ୍ରାକ ଆଧୁନିକୀକରଣର ସବୁଠୁ ସ୍ପଷ୍ଟ ପ୍ରଭାବ ହେଉଛି ଟ୍ରେନ ଗତି ବୃଦ୍ଧି ପାଇବା:
୧୩୦ କିଲୋମିଟର ପ୍ରତି ଘଣ୍ଟା ଏବଂ ତଦୁଦ୍ଧ୍ୱର୍ ବେଗକୁ ସମର୍ଥନ କରୁଥିବା ଟ୍ରାକ୍ ୬%ରୁ ପ୍ରାୟ ୨୩% ବୃଦ୍ଧି ପାଇଛି । ୧୧୦ କିଲାମିଟର ପ୍ରତି ଘଣ୍ଟା ଏବଂ ତଦୁଦ୍ଧ୍ୱର୍ ବେଗ ପାଇଁ ଟ୍ରାକ୍ ପ୍ରାୟ ୪୦%ରୁ ୮୦% ବୃଦ୍ଧି ପାଇଛି । ଏହା ଯାତ୍ରା ସମୟ ହ୍ରାସ କରିଛି, ସମୟାନୁବର୍ତ୍ତିତାରେ ଉନ୍ନତି ଆଣିଛି ଏବଂ ବନ୍ଦେ ଭାରତ ଏକ୍ସପ୍ରେସ ପରି ସେମି ହାଇ-ସ୍ପିଡ୍ ସେବା ଯୋଗାଇବା ସମ୍ଭବ କରିଛି ।
ଏହି ଆଧୁନିକୀକରଣ ପଦକ୍ଷେପଗୁଡ଼ିକର ମିଳିତ ପ୍ରଭାବ ସୁରକ୍ଷା ତଥ୍ୟରେ ପ୍ରତିଫଳିତ ହୋଇଛି । ଫଳସ୍ୱରୂପ ଟ୍ରେନ ଦୁର୍ଘଟଣା ୨୦୧୪-୧୫ରେ ୧୩୫ରୁ ହ୍ରାସ ପାଇ ୨୦୨୫-୨୬ରେ ୧୬କୁ ହ୍ରାସ ପାଇଛି, ଅର୍ଥାତ୍ ପ୍ରାୟ ୮୯% ହ୍ରାସ ଦେଖାଦେଇଛି । ପ୍ରତି ୧୦ଲକ୍ଷ କିଲୋମିଟରରେ ଟ୍ରେନର ଦୁର୍ଘଟଣା ହାର ୦.୧୧ରୁ ୦.୦୧ ହୋଇଛି, ଯେଉଁଥିରେ ପ୍ରାୟ ୯୦% ଉନ୍ନତି ଆସିଛି । ଏହା ଏପରି ଏକ ସମୟ ମଧ୍ୟରେ ଆସିଛି ଯେତେବେଳେ ଟ୍ରେନ ଟ୍ରାଫିକ ବୃଦ୍ଧି ପାଇଛି । ଅଧିକ ଟ୍ରେନ, ଅଧିକ ଯାତ୍ରୀ, କିନ୍ତୁ ଦୁର୍ଘଟଣା କମ୍ ରହିଛି ।
ଏବେ ରେଳବାଇ ଏକ ନୂଆ ଅନ୍ଲାଇନ ବ୍ୟବସ୍ଥା ମଧ୍ୟ ଆରମ୍ଭ କରିଛି । ଏହା ହେଉଛି ୱେବ୍ ଆଧାରିତ ଟ୍ରାକ୍ ପରିଚାଳନା ପ୍ରଣାଳୀ (ଟିଏମଏସ) । ଏହି ବ୍ୟବସ୍ଥା ବର୍ତ୍ତମାନ ଅଲଟ୍ରାସୋନିକ୍ ପରୀକ୍ଷଣ, ଯାତ୍ରା ଗୁଣବତ୍ତା ଅନୁଧ୍ୟାନ ଏବଂ ଟ୍ରାକ୍ ସ୍ଥିତି ଭଳି ତଥ୍ୟକୁ ଗୋଟିଏ ସ୍ଥାନରେ ଏକତ୍ରିତ କରେ । ଏହାଦ୍ୱାରା ପ୍ରାଥମିକତା ସ୍ଥିର କରିବା ଏବଂ ସମୟ ପୂର୍ବରୁ କାର୍ଯ୍ୟ କରିବା ସହଜ ହୋଇଥାଏ ।
ବାର ବର୍ଷ ପୂର୍ବେ, ଭାରତର ୬୦% ରେଳ ଟ୍ରାକ୍ ଘଣ୍ଟା ପ୍ରତି ୧୧୦ କିଲୋମିଟର ଠାରୁ କମ୍ କ୍ଷମତାରେ ସୀମିତ ଥିଲା । ରେଳ ଟ୍ରାକ୍ ଭାଙ୍ଗିବା ସାଧାରଣ କଥା ଥିଲା ଏବଂ ଅଧିକାଂଶ ରକ୍ଷଣାବେକ୍ଷଣ ପାରମ୍ପରିକ ପଦ୍ଧତି ବା ମାନୁଆଲ ମାଧ୍ୟମରେ ହେଉଥିଲା । ଆଜି, ପ୍ରାୟ ୮୦% ନେଟୱାର୍କରେ ୧୧୦ କିଲୋମିଟର ପ୍ରତି ଘଣ୍ଟା କିମ୍ବା ତା'ଠାରୁ ଅଧିକ ବେଗରେ ରେଳ ପରିଚାଳିତ ହେଉଛି। ରେଳ ଏବଂ ୱେଲ୍ଡ ଭାଙ୍ଗିବା ପ୍ରାୟ ୯୦% ହ୍ରାସ ପାଇଛି ଏବଂ ପ୍ରାୟ ୧,୮୦୦ ଟ୍ରାକ୍ ମେସିନ୍ କାମ କରୁଛି । ଲକ୍ଷ ଲକ୍ଷ ଯାତ୍ରୀ ଏବଂ ରେଳ ମାଲ ପରିବହନ ଉପରେ ନିର୍ଭରଶୀଳ ରେଳ କାରବାର ପାଇଁ ଏହି ପରିବର୍ତ୍ତନଗୁଡ଼ିକ ଲାଭଜନକ ହୋଇପାରିଛି । ସୁଗମ ଯାତ୍ରା, କମ୍ ଯାତ୍ରା ସମୟ ଏବଂ ଏକ ଅଧିକ ନିର୍ଭରଯୋଗ୍ୟ ନେଟୱର୍କ ସୁନିଶ୍ଚିତ ହୋଇଛି । କାମ ଏବେ ଶେଷ ହୋଇନାହିଁ, କିନ୍ତୁ ସ୍ଥିର ପ୍ରୟାସ ଓ ନିରନ୍ତର ନିବେଶ ଦ୍ୱାରା ଯେ ଲାଭ ମିଳିପାରିବ ତାହା ବର୍ତ୍ତମାନର ଅଗ୍ରଗତିରୁ ସ୍ପଷ୍ଟ ହୋଇପାରିଛି ।