ନୂଆଦିଲ୍ଲୀ : ଡୋପିଂ ମାମଲାରେ ଫଶିଥିବା ପାକିସ୍ତାନୀ ଅଲରାଉଣ୍ଡର ମହମ୍ମଦ ନଓ୍ବାଜ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ତେବେ ସେ ଆଇସିସି ଏବଂ ପିସିବିକୁ ଜବାବ ଦେଇଛନ୍ତି । ସେ କହିଛନ୍ତି କି, ମୁଁ ଜାଣିଶୁଣି କୌଣସି ସେଭଳି ମେଡିସିନ୍ ଖାଇନାହିଁ ।
ରିପୋର୍ଟ ଅନୁଯାୟୀ, ନୱାଜ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ସେ କିଛି ଔଷଧ ବ୍ୟବହାର କରିଥିଲେ, କିନ୍ତୁ ସେ କୌଣସି ନିଶାଦ୍ରବ୍ୟ ସେବନ କରି ନଥିବା କହିଛନ୍ତି । ନୱାଜଙ୍କ ପ୍ରତିକ୍ରିୟା ପିସିବି ଏବଂ ଆଇସିସି ପଠାଇଛନ୍ତି । ତେବେ ଏନେଇ କ’ଣ ନିଷ୍ପତ୍ତି ନିଆଯିବ ତାହା ପରବଥା କିନ୍ତୁ ଏବେ ସେ ପିଏସଏଲରେ ନିଜର ପ୍ରଦର୍ଶନ ଜାରି ରଖିବେ । ତେବେ ପିସିବି ରିପୋର୍ଟ ଆଇସିସିକୁ ପଠାଇବ । ଯଦି ଆଇସିସି ଏଥିରେ ସନ୍ତୁଷ୍ଟ ନହୁଅନ୍ତି ତାହେଲେ ସେ ବାସନ୍ଦ ହୋଇପାରନ୍ତି ।
ନଓ୍ବାଜଙ୍କ ଘଟଣା ପାକିସ୍ତାନୀ ଖେଳାଳିଙ୍କ ପାଇଁ କିଛି ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏଭଳି କେସରେ ଫସିଛନ୍ତି ପାକିସ୍ତାନର ଦୁଇ ପୂର୍ବତନ କ୍ରିକେଟର । ୨୦୦୬ ମସିହାରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ସମୟରେ ସୋଏବ ଅଖତର ଏବଂ ମହମ୍ମଦ ଆସିଫ୍ ଫସିଥିଲେ । ଭାରତରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟ ଅଧାରୁ ସେମାନେ ଘରକୁ ଫେରିଥିଲେ । ଯଦିଓ ପରେ ସେମାନଙ୍କୁ ଆଶ୍ବସ୍ତି ମିଳିଥିଲା । ତଥାପି ସେମାନଙ୍କ ମୁଣ୍ଡରେ କଳଙ୍କର ଦାଗ ଲାଗିଥିଲା ।