ନୂଆଦିଲ୍ଲୀ, ୪/୩ : ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନ ଟିମର ଯାତ୍ରା ଗୋଟିଏ ସପ୍ତାହରେ ଶେଷ ହୋଇଗଲା । ମହମ୍ମଦ ରିଜଓ୍ବାନଙ୍କ ଅଧୀନାୟକତ୍ବରେ ଟିମ ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ ହାତରେ ଥାଇ କି ବି ବିଜୟର ଖାତା ଖୋଲିବାରେ ସଫଳ ହୋଇପାରିନଥିଲା । ଯାହାପରେ ପାକିସ୍ତାନ କ୍ରିକେଟରେ ଜୋରଦାର ବିରୋଧ ଦେଖାଯାଇଥିଲା । ଏବେ ରିଜଓ୍ବାନଙ୍କଠାରୁ ଟି-୨୦ର ଅଧିନାୟକତ୍ବ ଛଡ଼ାଇ ନିଆଯାଇଛି। ପାକିସ୍ତାନ କ୍ରିକେଟ ବୋର୍ଡ଼ ନ୍ୟୁଜିଲାଣ୍ଡ ବିପକ୍ଷ ଓ୍ବାନଡେ ଏବଂ ଟି-୨୦ ଏବଂ ସିରିଜ ଲାଗି ସ୍କ୍ବାର୍ଡ଼ର ଘୋଷଣା କରିଛି । ଯେଉଁଥିରେ ନୂଆ ଅଧିନାୟକଙ୍କ ନାଁ ବି ଦେଖିବାକୁ ମିଳିଛି ।
ଚାମ୍ପିୟନ୍ସ ଟ୍ରଫି ପରେ ଏବେ ପାକିସ୍ତାନ ଟିମ୍ ନ୍ୟୁଜିଲାଣ୍ଡର ଟୁର୍ କରିବ । ୧୬ମାର୍ଚ୍ଚରୁ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ଆରମ୍ଭ ହେବ । ଏହାପରେ ୨୯ମାର୍ଚ୍ଚରୁ ଉଭୟ ଟିମ୍ ଓ୍ବାନଡେରେ ଜଣେ ଅନ୍ୟ ଜଣଙ୍କୁ ଟକ୍କର ଦେବାକୁ ଓହ୍ଲାଇବେ । ଏହି ସିରିଜରେ ପାକିସ୍ତାନର ନଜର ରହିବ । ପାକିସ୍ତାନ ବୋର୍ଡ଼ ଏହି ଟୁର୍ ଲାଗି ଉଭୟ ସ୍କ୍ବାର୍ଡ଼ର ଘୋଷଣା କରି ଦେଇଛି ।
ବାବର ଆଜମଙ୍କ ପରେ ମହମ୍ମଦ ରିଜଓ୍ବାନଙ୍କୁ ହ୍ବାଇଟ୍ ବଲ୍ କ୍ରିକେଟରେ ଟିମର କମାଣ୍ଡ ଦିଆଯାଇଥିଲା । କିନ୍ତୁ ଏବେ ଚାମ୍ପିୟନ୍ସ ଟ୍ରଫିରେ ପରାଜୟ ପରେ ସଲମାନ ଅଲୀ ଆଗାଙ୍କୁ ଟି-୨୦ ଟିମର କମାଣ୍ଡ ଦିଆଯାଇଛି । ଆଗା ନ୍ୟୁଜିଲାଣ୍ଡ ଗସ୍ତରେ ଟି-୨୦ ଟିମର ଅଧିନାୟକ ହେବେ । କିନ୍ତୁ ଓ୍ବାନଡେ ସିରିଜରେ ରିଜଓ୍ବାନ ହିଁ ଅଧିନାୟକ ହେବେ । ଯାହାକି ସଲମାନ ଉପଅଧିନାୟକ ହେବେ । ନ୍ୟୁଜିଲାଣ୍ଡଠାରୁ ପାକିସ୍ତାନ ଟିମକୁ ଟ୍ରାଇ ସିରିଜ ଏବଂ ଚାମ୍ପିୟନ୍ସ ଟ୍ରଫିରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।