ନୂଆଦିଲ୍ଲୀ, ୧୮/୧୨ : ମହମ୍ମଦ ଶାମୀ ଖୁବଶୀଘ୍ର ଟିମ୍ ଇଣ୍ଡିଆ ପାଇଁ ଖେଳିପାରିବେ ନାହିଁ । ସେ ଅଷ୍ଟ୍ରେଲିଆ ସିରିଜର ୩ଟି ମ୍ୟାଚ୍ ମିସ୍ କରିସାରିଛନ୍ତି ଏବଂ କୁହାଯାଉଛି କି ବାକି ଦୁଇଟି ମ୍ୟାଚ୍ ମଧ୍ୟ ଖେଳିପାରିବେ ନାହିଁ । ଭାରତ ବନାମ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ପରେ ରୋହିତ ଶର୍ମା ଗଣମାଧ୍ୟମକୁ ଯାହା କହିଛନ୍ତି, ଏଥିରୁ ଜଣାପଡୁଛି କି ରୋହିତ ଶର୍ମା ଏ ପର୍ଯ୍ୟନ୍ତ ଶାମୀ ଫିଟନେସ ଉପରେ ସନ୍ତୁଷ୍ଟ ନାହାନ୍ତି ।
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ମହମ୍ମଦ ଶାମୀଙ୍କୁ ବର୍ଡର ଗାଭାସ୍କର ଟ୍ରଫିରେ ସୁଯୋଗ ଦେବାରେ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ଉଠାଇପାରିବେ ନାହିଁ । ତେବେ ଶାମୀ ଗତ କିଛି ସମୟରୁ ପଡ଼ିଆରେ ଓହ୍ଲାଇ ଖେଳୁଛନ୍ତି । ସେ ରଣଜୀ ଟ୍ରଫିରେ ହିଁ ନିଜ ଦଳ ବଙ୍ଗଳା ପାଇଁ ଖେଳିବା ଆରମ୍ଭ କରିଥିଲେ। ଏହା ପରେ ସେ ସୟଦ ମୁସ୍ତାକ ଅଲି ଟ୍ରଫିରେ ମଧ୍ୟ ଖେଳୁଥିବାର ନଜର ଆସିଥିଲେ। ଏବେ ସେ ବିଜୟ ହଜାରେ ଟ୍ରଫି ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି। କିନ୍ତୁ ରୋହିତ ଶର୍ମାଙ୍କ ଚିନ୍ତାଧାରା ଅଲଗା ଥିବା ଜଣାପଡିଛି।
ରୋହିତ ଶର୍ମା ସମଗ୍ର ବିଷୟକୁ ଏନସିଏ ଅର୍ଥାତ୍ ନ୍ୟାସନାଲ କ୍ରିକେଟ୍ ଏକାଡେମୀକୁ ଛାଡ଼ି ଦେଇଛନ୍ତି। ମହମ୍ମଦ ଶାମୀଙ୍କ ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ରୋହିତ କହିଛନ୍ତି ଯେ, ବର୍ତ୍ତମାନ ସମୟ ଆସିଛି କି ଏନସିଏ ସହ ଶାମୀଙ୍କ ବିଷୟରେ କଥା ହେବାର । ସେ କହିଛନ୍ତି କି, ଶାମୀ ବର୍ତ୍ତମାନ ଏନସିଏରେ ଅଛନ୍ତି ଏବଂ ପୁନଃ ଚିକିତ୍ସା ଚାଲିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏନସିଏ ବର୍ତ୍ତମାନ ସାମ୍ନାକୁ ଆସି କଥା ହେବା ଉଚିତ ଏବଂ ଶାମୀଙ୍କ ଫିଟନେସ୍ କିପରି ଅଛି ତାହା ଆମକୁ କହିବା ଉଚିତ୍ ।