କୋଲକାତା, ୨୨/୧୨ : ହିଂସାରେ ଜଳୁଛି ବାଂଲାଦେଶ। ହିନ୍ଦୁମାନଙ୍କ ଉପରେ ବଢୁଛି ଅତ୍ୟାଚାର। ପଡ଼ୋଶୀ ଦେଶରେ ହିନ୍ଦୁମାନଙ୍କୁ ଆକ୍ରମଣ କରାଯିବାକୁ ନେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ମୁଖ୍ୟ ମୋହନ ଭାଗବତ ଜୋରଦାର ନିନ୍ଦା କରିଛନ୍ତି । ଏହି ପରିପ୍ରେକ୍ଷୀରେ ବାଂଲାଦେଶରେ ରହୁଥିବା ହିନ୍ଦୁମାନଙ୍କୁ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଭାଗବତ କହିଛନ୍ତି, ବାଂଲାଦେଶରେ ହିନ୍ଦୁମାନେ ସଂଖ୍ୟାଲଘୁ ଥିବାରୁ ସେମାନଙ୍କ ସ୍ଥିତି ଖରାପ ହୋଇଯାଇଛି । ଏଭଳି ସ୍ଥିତିର ମୁକାବିଲା ଲାଗି ସେମାନେ ଏକାଠି ହେବା ଜରୁରି । ଏମିତି କି ବିଶ୍ୱବ୍ୟାପୀ ହିନ୍ଦୁମାନେ ସେମାନଙ୍କୁ ସହାୟତା ଯୋଗାଇବା ଆବଶ୍ୟକ । ଆର୍ଏସ୍ଏସ୍ର ୧୦୦ ବର୍ଷ ପୂର୍ତ୍ତି ଅବସରରେ କୋଲକାତାରେ ରବିବାର ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଭାଗବତ ଏହି ଟିପ୍ପଣୀ ଦେଇଛନ୍ତି ।
ଆର୍ଏସ୍ଏସ୍ ମୁଖ୍ୟ କହିଛନ୍ତି ଯେ, ଭାରତକୁ ନିଜ ସୀମା ମଧ୍ୟରେ ରହି ଯେତିକି ହୋଇପାରିବ ସହାୟତା ଯୋଗାଇବା ଆବଶ୍ୟକ। ଯାହା ଆମେ କରିପାରିବା, ତାହା ନିଶ୍ଚିତ କରିବାକୁ ପଡ଼ିବ । କାରଣ ଭାରତ ହିଁ ହିନ୍ଦୁମାନଙ୍କ ପାଇଁ ଏକମାତ୍ର ଦେଶ । ଭାରତ ସରକାର ଏ ଦିଗରେ ଧ୍ୟାନ ଦେବା ଜରୁରି । କିଛି ବି ପଦକ୍ଷେପ ନେବାକୁ ହେବ । ଏହାଛଡ଼ା ହିନ୍ଦୁ ସମାଜ ଏକଜୁଟ ହେଲେ ବେଙ୍ଗଲରେ ସ୍ଥିତି ବଦଳିବାକୁ ସମୟ ଲାଗିବ ନାହିଁ । ତେବେ ରାଜନୈତିକ ପରିବର୍ତ୍ତନ ବାବଦରେ ଚିନ୍ତା କରିବା ମୋର କାମ ନୁହେଁ । ଆମେ କେବଳ ସାମାଜିକ ପରିବର୍ତ୍ତନ ପାଇଁ କାମ କରୁଛୁ । ହିନ୍ଦୁସ୍ତାନ ଏକ ହିନ୍ଦୁ ରାଷ୍ଟ୍ର । ଏହାକୁ ପ୍ରମାଣ କରିବା ଆବଶ୍ୟକ ନାହିଁ । ଯେମିତି କି ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି । ଏହା କେବେଠୁ ଚାଲିଛି ଆମକୁ ଜଣା ନାହିଁ । କିନ୍ତୁ ଏହା ସତ୍ୟ ।
ସୂଚନା ଥାଉକି, ବାଂଲାଦେଶରେ ୩ ଦିନ ପୂର୍ବେ ଢାକା ନିକଟବର୍ତ୍ତୀ ଭାଲୁକା ଅଞ୍ଚଳରେ ଧର୍ମକୁ ଅପମାନ ଅଭିଯୋଗରେ ଜଣେ ହିନ୍ଦୁ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିଲା । ଏହାପରେ ଉଲଗ୍ନ କରି ଗଛରେ ଟାଙ୍ଗି ନିଆଁ ଲଗାଇ ପୋଡ଼ି ଦିଆଯାଇଥିଲା । ମୃତକଙ୍କ ନାମ ଦୀପୁ ଚନ୍ଦ୍ର ଦାସ । ପୁଲିସ ଅନୁସାରେ ଗୁରୁବାର ରାତିରେ ଭାଲୁକାରେ ଏହି ଅଘଟଣ ଘଟିଥିଲା । ବାଂଲାଦେଶରେ ଧର୍ମ ନାମରେ ଆଉ ଜଣେ ହିନ୍ଦୁ ଯୁବକଙ୍କ ଉପରେ ଆକ୍ରମଣ ହୋଇଛି । ଖୁଲନା ଡିଭିଜନର ଝେନାଇଦା ଜିଲ୍ଲାରେ ଉପଦ୍ରବକାରୀମାନେ ଜଣେ ହିନ୍ଦୁ ରିକ୍ସା ଚାଳକଙ୍କୁ ପ୍ରବଳ ମାଡ଼ ମାରି ଲହୁଲୁହାଣ କରି ପକାଇଛନ୍ତି । ପୀଡ଼ିତଙ୍କ ନାମ ଗୋବିନ୍ଦ ବିଶ୍ୱାସ । ତାଙ୍କ ହାତରେ ନାଲି ସୂତା ବନ୍ଧା ହୋଇଥିବା ଦେଖି ସେମାନେ ତାଙ୍କୁ ଆକ୍ରମଣ କରିଥିଲେ । ହିନ୍ଦୁ ଧର୍ମରେ ହାତରେ ନାଲି ଫିତା ବାନ୍ଧିବା ସାଧାରଣ ଘଟଣା ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଗୋବିନ୍ଦ ବିଶ୍ୱାସ ଭାରତର ଗୁଇନ୍ଦା ଏଜେନ୍ସି ର’ ସହ ଜଡ଼ିତ ଥିବା ନେଇ ଗୁଜବ ହୋଇଥିଲା । ଏହା ଜାଣିନେବା ପରେ ଉପଦ୍ରବକାରୀ ସେଠାରେ ପହଞ୍ଚି ତାଙ୍କୁ ପଚରାଉଚରା କରିଥିଲେ । ଏହାପରେ ତାଙ୍କୁ ଆକ୍ରମଣ କରିଥିଲେ । ଜିଲ୍ଲା ମ୍ୟୁନିସିପାଲିଟି ସାମ୍ନାରେ ତାଙ୍କୁ ମାଡ଼ କରାଯିବା ପରେ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ତାଙ୍କ ଛାତି ଓ ବେକରେ ଆଘାତ ଲାଗିଛି । ଏ ନେଇ ସୋସିଆଲ ମିଡିଆରେ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଗୋବିନ୍ଦ କହୁଛନ୍ତି ଯେ ସେ କେବଳ ଜଣେ ରିକ୍ସା ଚାଳକ । ତେଣୁ ତାଙ୍କୁ ଛାଡ଼ି ଦିଆଯିବା ଉଚିତ । ପରେ ତାଙ୍କୁ ଝେନାଇଦା ସଦର ଥାନାରେ ଅଟକ ରଖାଯାଇଥିଲା ।