ଭୁବନେଶ୍ୱର, ୦୯/୦୬: ପଶ୍ଚିମବଙ୍ଗର ଦୀଘାଠାରେ ନିର୍ମିତ ଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସର ନାମରୁ ‘ଧାମ’ ଶବ୍ଦ ହଟାଇବା ପାଇଁ ପଶ୍ବିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମନ୍ଦିର ନାମରେ 'ଧାମ' ଶବ୍ଦର ବ୍ୟବହାରକୁ ହଟାଇବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଏକ ସରକାରୀ ପତ୍ର ଲେଖି ଅନୁରୋଧ କରିଛନ୍ତି। ଦୀଘା ମନ୍ଦିରକୁ "ଦୀଘା ଜଗନ୍ନାଥ ଧାମ" ବଦଳରେ "ଶ୍ରୀ ଜଗନ୍ନାଥ ମନ୍ଦିର, ଦିଘା" ଭାବେ ନାମିତ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

କୋଟିଏ ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ଆଘାତ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, "ଜଗନ୍ନାଥ ଧାମ" ଶବ୍ଦଟି କେବଳ ପୁରୀ ଶ୍ରୀକ୍ଷେତ୍ର ସହ ଓତପ୍ରୋତ ଭାବେ ଜଡ଼ିତ, ଯାହା ଭାରତର ପବିତ୍ର ଚାରିଧାମ ମଧ୍ୟରୁ ଅନ୍ୟତମ। ଏହି ନାମ ସହିତ କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଐତିହାସିକ ଭାବନା ଜଡ଼ିତ ରହିଛି। ଦୀଘା ମନ୍ଦିରକୁ 'ଧାମ' ଆଖ୍ୟା ଦିଆଯିବା ଦ୍ୱାରା ଓଡ଼ିଶା ତଥା ସାରା ବିଶ୍ୱରେ ଥିବା ଜଗନ୍ନାଥ ପ୍ରେମୀ, ଗବେଷକ ଏବଂ ସାମାଜିକ-ସାଂସ୍କୃତିକ ସଂଗଠନଗୁଡ଼ିକ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।

  • ଆପତ୍ତିର କାରଣ: ପୁରୀ ଶ୍ରୀକ୍ଷେତ୍ରର ସ୍ୱତନ୍ତ୍ର ପରିଚୟ ଓ ପବିତ୍ରତା ରକ୍ଷା କରିବା
  • ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ: 'ଦିଘା ଜଗନ୍ନାଥ ଧାମ' ବଦଳରେ 'ଶ୍ରୀ ଜଗନ୍ନାଥ ମନ୍ଦିର, ଦିଘା' ନାମ ରଖାଯାଉ
  • ଦୁଇ ରାଜ୍ୟର ସମ୍ପର୍କ: ଏହି ପଦକ୍ଷେପ ଦ୍ୱାରା ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଥିବା ସାଂସ୍କୃତିକ ସଦ୍ଭାବନା ଏବଂ ପାରସ୍ପରିକ ସମ୍ମାନ ଆହୁରି ସଦୃଢ଼ ହେବ ବୋଲି ଆଶା ପ୍ରକାଶ ପାଇଛି

ଜୟ ଜଗନ୍ନାଥ! ପୁରୀ ଶ୍ରୀ ଜଗନ୍ନାଥ ଧାମର ସ୍ୱତନ୍ତ୍ରତା ଓ ଗାରିମା ଅକ୍ଷୁର୍ଣ୍ଣ ରଖିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଲେଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପତ୍ର ପରେ ପଶ୍ଚିମବଙ୍ଗ ସରକାର ଏହି ନାମକରଣରେ କୌଣସି ପରିବର୍ତ୍ତନ କରୁଛନ୍ତି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଅଧିକ ପଢନ୍ତୁ- ବିକାଶର ୧୨ ବର୍ଷ: ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସରେ ବିକାଶର ଶିଖର ଛୁଇଁଛି ଓଡ଼ିଶା; ସୁଭଦ୍ରାରୁ ସେମିକଣ୍ଡକ୍ଟର ସବୁଠି ସରକାରଙ୍କ ସଫଳତା