ମୋହନା,୦୭/୦୮: ପୁଣି  ଅନ୍ଧ ବିଶ୍ୱାସ । ପୁଣି ଗୁଣି ସନ୍ଦେହରେ ଜଣେ  ଯୁବକଙ୍କୁ ହତ୍ୟାକରି ଜଙ୍ଗଲରେ  ପୋତି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଗଜପତି  ଜିଲ୍ଲା ମୋହନା ଥାନା କୁସୁମପୁର  ଗାଁରେ । ମୃତକ ଜିରାଙ୍ଗ ପଞ୍ଚାୟତ  କମଳାପୁର ଗାଁର କରୁଣାକର ଦଳାଇ(୩୦) । ଏ ସମ୍ପର୍କରେ  ପରିବାର ଲୋକ ମୋହନା  ଥାନାରେ ଅଭିଯୋଗ କରିଛନ୍ତି ।  କୁସୁମପୁର ଗାଁରେ ପହଞ୍ଚି  ତନାଘନା କରୁଛି ପୁଲିସ । ୮ ଜଣଙ୍କୁ  ପୁଲିସ ଅଟକ ରଖି ପଚରାଉଚରା  କରୁଛି । ଗାଁଠାରୁ ଦେଢ଼ କିମି ଦୂର ଜଙ୍ଗଲରେ ମୃତଦେହ ପୋତି  ଦିଆଯାଇଥିବା ପୁଲିସ ଜାଣିବାକୁ  ପାଇଥିଲା ।  ଆଜି ମାଜିଷ୍ଟ୍ରେଟ୍‌ ଏବଂ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ମାଟି ଖୋଳାଯାଇଥିଲା। ଗ୍ରାମବାସୀ ଏବଂ ପୁଲିସ ମାଟି ଖୋଳି ଗତ ଭିତରୁ କରୁଣା କରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ବସନ୍ତି ସେଠୀ କହିଛନ୍ତି ।  

ଅଭିଯୋଗ ଅନୁଯାୟୀ, ଜିରାଙ୍ଗ  ପଞ୍ଚାୟତ କମଳପୁର ଗାଁର  କରୁଣାକର ପ୍ରାୟ ୮ ମାସ ହେବ  କୁସୁମପୁର ଗାଁରେ ରହୁଥିଲେ ।  ଗାଁଠାରୁ କିଛି ଦୂରରେ କୁଡ଼ିଆ  କରି ରହିବା ସହ ଚାଷକାମ କରି ପରିବାର ପ୍ରତିପୋଷଣ  କରୁଥିଲେ । ଏଥିସହ ଲୋକଙ୍କୁ  ଚେରମୂଳି ଔଷଧ ଦେଉଥିଲେ । କିଛି ଦିନ ତଳେ କୁସୁମପୁର ଗାଁର  ଜନୈକ ବ୍ୟକ୍ତିଙ୍କ ୧୨ ବର୍ଷର ପୁଅର  ମୃତ୍ୟୁ ହୋଇଥିଲା । ବାଳକଟିକୁ କରୁଣାକର ହିଁ ଗୁଣି କରି ମାରିଦେଇଥିବା ଗାଁ ଲୋକ ସନ୍ଦେହ  କରୁଥିଲେ । ଏନେଇ ଗତ ମାସ ୨୮ ତାରିଖରେ ଗ୍ରାମର ଦୁଇଜଣ କରୁଣାକରଙ୍କ ପାଖକୁ ଯାଇ “ଆମ ପିଲାର ଦେହ ଭଲ ନାହିଁ  ଚେରମୂଳି ଔଷଧ ଦେବୁ ଆସେ”  ବୋଲି କହି ଡାକି ନେଇଥିଲେ ।  ଅଙ୍ଗନବାଡ଼ି କେନ୍ଦ୍ରରେ ତିନି ଦିନ  ରଖି ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ପ୍ରବଳ ମାଡ଼  ମାରି ହତ୍ୟା କରିବା ପରେ ଗାଁ  ନିକଟସ୍ଥ ଜଙ୍ଗଲରେ ପୋତି  ଦେଇଥିବା କରୁଣାକରଙ୍କ ଭାଉଜ ସବିତା ଦଳାଇ ମୋହନା ଥାନାରେ  ଅଭିଯୋଗ କରିଛନ୍ତି ।

ଏହି ହତ୍ୟାରେ କୁସୁମପୁର ଗାଁର କିଛି ଲୋକଙ୍କ ସମ୍ପୃକ୍ତି ଥିବାବେଳେ ସେମାନଙ୍କ ନାମ ଏତଲାରେ  ଦର୍ଶାଇଛନ୍ତି । ମୋହନା ପୁଲିସ କୁସୁମପୁର ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରଥିଲା । ହତ୍ୟା ପରେ ଗାଁ ଠାରୁ  ପ୍ରାୟ ଦେଢ଼ କିଲୋମିଟର ଜଙ୍ଗଲରେ ପୋତି  ଦେଇଥିବା ପୁଲିସ ଜାଣିବାକୁ ପାଇଛି । ଗତକାଲି ରାତି ହୋଇଯାଇଥିବାରୁ ଖୋଳି ବାହାର କରିବା  ସମ୍ଭବ ହୋଇ ନାହିଁ । ଆଜି ସକାଳେ ମାଜିଷ୍ଟ୍ରେଟ୍‌ ଏବଂ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ମାଟି ଖୋଳାଯାଇଥିଲା। ଗ୍ରାମବାସୀ ଏବଂ ପୁଲିସ ମାଟି ଖୋଳି ଗତ ଭିତରୁ କରୁଣାକରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ବସନ୍ତି ସେଠୀ କହିଛନ୍ତି ।  

ଗତ ଶନିବାର ଗୁଣି  ସନ୍ଦେହରେ ମୋହନା ଥାନା ରାଚାଗୁଡ଼ା ଗାଁର  ଗୋପାଳ ମଳିକଙ୍କୁ ହତ୍ୟା କରି ଅଡ଼ବା ହରଭଙ୍ଗୀ  ଡ୍ୟାମ୍‌ରେ ଫିଙ୍ଗି ଦେଇଥିଲେ । ଏହି ଘଟଣାରେ ପୁଲିସ ୧୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଘଟଣାର ୪ ଦିନ ପରେ ପୁଣି ଗୁଣି ସନ୍ଦେହରେ  ଆଉ ଏକ ହତ୍ୟାକାଣ୍ଡ ଘଟଣାକୁ ନେଇ ଚର୍ଚ୍ଚା  ହେବାରେ ଲାଗିଛି ।