ଭୋପାଳ: ମଧ୍ୟପ୍ରଦେଶର ବିଜେପି ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ନୂଆ ଅବକାରୀ ନୀତି ଲାଗୁ ହେବା ପରେ ରାଜ୍ୟରେ ଥିବା ୧୭ଟି ଧାର୍ମିକ ସ୍ଥଳରେ ମଦ ଦୋକାନ ବନ୍ଦ କରିବେ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନେତୃତ୍ବରେ ଆଜି (ଶୁକ୍ରବାର) ମହେଶ୍ବରରେ ଆୟୋଜିତ ହୋଇଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ଘୋଷଣା ହୋଇଛି  । ଏହା ସହ ମୁଖ୍ୟମନ୍ତ୍ରୀ ଅହିଲ୍ୟାବାଇ ହୋଲକରଙ୍କୁ ୩୦୦ ତମ ଜନ୍ମଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।  

 ଏହା ପୂର୍ବରୁ ଗୁରୁବାର ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ୧୭ ଧାର୍ମିକ ସ୍ଥଳ ଥିବା ସହରରେ ମଦ ଦୋକାନ ବନ୍ଦ ହେବ ବୋଲି ଘୋଷଣା କରିଥିଲେ । ଦେଶୀ ଏବଂ ବିଦେଶୀ ଉଭୟ ମଦ ଦୋକାନ ବନ୍ଦ ହେବ ବୋଲି ସେ କହିଥିଲେ । ଆଉ ଆଜି ଏହି ନିଷ୍ପତ୍ତି ଉପରେ ରାଜ୍ୟ କ୍ୟାବିନେଟ୍‌ର ମୋହର ଲାଗିଛି । 


 


ମଧ୍ୟପ୍ରଦେଶର ଯେଉଁ ସବୁ ସ୍ଥାନରେ ଭଗବାନ କୃଷ୍ଣ ଏବଂ ଶ୍ରୀ ରାମଙ୍କ ପାଦ ପଡ଼ିଛି ସେସବୁ ସ୍ଥାନରେ ମଦ ବନ୍ଦ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହଦ ଯାଦବ କହିଛନ୍ତି ।  ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମହେଶ୍ବର ଘାଟରେ ଥିବା ମା ନର୍ମଦାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହାସହ ଲୋକମାତା ଦେବୀ ଅହିଲ୍ୟାବାଇଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।