ନୂଆଦିଲ୍ଲୀ,୦୭/୦୪; ଆଇପିଏଲ ବନାମ ପିଏସଏଲ । ଇଣ୍ଡିଆନ ପ୍ରିମିୟର ଲିଗକୁ ପଛରେ ପକାଇବାକୁ ଦିନରେ ସ୍ୱପ୍ନ ଦେଖୁଛି ପାକିସ୍ତାନ । ମୁହଁ ଫୁଟାଣି ଛାଡୁନାହାନ୍ତି ଟ୍ରଫି ଚୋର ! ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଅଧ୍ୟକ୍ଷ ମହସିନ୍ ନକଭି ପାକିସ୍ତାନ ସୁପର ଲିଗ୍ (ପିଏସଏଲ) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ନକଭି ଦାବି କରିଛନ୍ତି ଯେ, ପିଏସଏଲ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ଭବିଷ୍ୟତରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)କୁ ପଛରେ ପକାଇ ବିଶ୍ୱର ନମ୍ବର ୱାନ୍ ଫ୍ରାଞ୍ଚାଇଜ୍ ଲିଗ୍ ହେବ । ବିସିସିଆଇକୁ ଚ୍ୟାଲେଞ୍ଜ ଦେଇଛନ୍ତି ପିସିବି ଅଧ୍ୟକ୍ଷ ।​​​​​​

ଆଇପିଏଲର ପ୍ରଚାର ପ୍ରସାର ଏବଂ ବିକାଶକୁ ସହ୍ୟ କରିପାରୁ ନାହିଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) । ଯଦିଓ ପିସିବି ନିଜର ଘରୋଇ ଲିଗ୍ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ଆୟୋଜନ କରୁଛି କିନ୍ତୁ ତାହା ଆଇପିଏଲ ଭଳି ସଫଳ ହୋଇ ପାରୁନି । ଆୟୋଜନରେ ବ୍ୟାପକ ତ୍ରୁଟି ସାଙ୍ଗକୁ ଆଇପିଏଲରେ ବିକ୍ରି ହେଉ ନଥିବା ଖେଳାଳି ପିଏସ୍ଏଲ୍ ଖେଳୁଛନ୍ତି । ପିସିବିର ମୁଖ୍ୟ ମହସିନ ନକଭି କହିଛନ୍ତି ଯେ, ‘ଦିନେ ସିଏସ୍ଏଲ୍ ବିଶ୍ୱର ଏକ ନମ୍ବର ଲିଗ ହେବ ।’ ଆଇପିଏଲ୍ ବିଶ୍ୱର ଶ୍ରେଷ୍ଠ କ୍ରିକେଟ୍ ଲିଗ୍ । ବିଶ୍ୱର କୌଣସି ଲିଗ୍ ଏତେ ରୋଜଗାର କରିପାରୁ ନାହିଁ କିମ୍ବା ଖେଳାଳିମାନଙ୍କୁ ଆଇପିଏଲ ଭଳି ଅର୍ଥ ମଧ୍ୟ ଦେଇ ପାରୁ ନାହାନ୍ତି  । ବର୍ଷକୁ ବର୍ଷ ଏହାର ବ୍ରାଣ୍ଡ୍ ଭାଲ୍ୟୁ ବଢ଼ିବାରେ ଲାଗିଛି । କିନ୍ତୁ ପିଏସ୍ଏଲ୍ ଆଇପିଏଲ ତୁଳନାରେ ବହୁ ପଛରେ ରହିଛି ।

ଏହା ବି ପଢନ୍ତୁ...IPL 2026: ଆଜି ବୁମରା-ବୈଭବ ସାମ୍ନା ସାମ୍ନି, ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ

ନକଭି କହିଛନ୍ତି, ‘ପିଏସ୍ଏଲ ହେଉଛି ପୁଞ୍ଜି ନିବେଶର ଏକ ଉତ୍କୃଷ୍ଟ ବଜାର । ତେଣୁ ମୋର ବିଶ୍ୱାସ ଦିନେ ଏହା ବିଶ୍ୱର ନମ୍ବର ୱାନ ହେବ ।’ ବିଦେଶୀ ଖେଳାଳିମାନେ ପିଏସ୍ଏଲ୍ ଅପେକ୍ଷା ଆଇପିଏଲକୁ ଚୟନ କରୁଛନ୍ତି । କିଛି ଖେଳାଳି ପିଏସ୍ଏଲ ଦଳ ସହ ଚୁକ୍ତି କରି ମଧ୍ୟ ଆଇପିଏଲ ଖେଳିବା ନେଇ ପଳାଇ ଆସିଥିଲେ । ଯାହାକୁ ନେଇ ପିସିବି ସେହିସବୁ ଖେଳାଳିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଥିଲା ।

ସଦ୍ୟ ପ୍ରକାଶିତ ବିଶ୍ୱ କ୍ରିକେଟର୍ସ ଆସୋସିଏସନର ରାଙ୍କ ଅନୁସାରେ ଦୁଇଟି ଲିଗ୍ ମଧ୍ୟରେ ବଡ଼ ପାର୍ଥକ୍ୟ ରହିଛି । ପାକିସ୍ତାନ ସୁପର ଲିଗ୍ ୪୮ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି । ଆଇପିଏଲ ୬୨.୨ ପଏଣ୍ଟ ସହ ତୃତୀୟ ସ୍ଥାନ ହାସଲ କରିଛି । ହଣ୍ଟ୍ରେଡ୍ ଏବଂ ଏସଏ୨୦ ଲିଗ୍ ଆଇପିଏଲଠୁ ଉପରେ ରହିଛନ୍ତି । ପାକିସ୍ତାନ ସୁପର ଲିଗ୍ ଚଳିତ ସିଜନରେ ବିବାଦ ଦେଖାଦେଇଛି । ବଲ ଟ୍ୟାମ୍ପରିଂ ପାଇଁ ଫଖର ଜମାନଙ୍କୁ ୨ଟି ମ୍ୟାଚରୁ ବ୍ୟାନ୍ କରାଯାଇଛି । ଶାହିନ ଆଫ୍ରିଦି ଏବଂ ସିକନ୍ଦର ରାଜାଙ୍କୁ ହୋଟେଲକୁ ଅନ୍ୟ ଜଣଙ୍କୁ ଆଣିବାକୁ ନେଇ ଦଣ୍ଡିତ କରାଯାଇଛି । ଏବେ ମହସିନ ନକଭିଙ୍କ ଏହି ନୂଆ ବୟାନ କ୍ରିକେଟ ଜଗତରେ ନୂଆ ବିତର୍କ ଆରମ୍ଭ କରିଛି ।