ଗୌହାଟୀ, ୦୭/୦୪: ଚଳିତ ଆଇପିଏଲ୍ରେ ୧୩ତମ ଲିଗ୍ ମ୍ୟାଚରେ ଆଜି ରାଜସ୍ଥାନ ତା’ର ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ୍ରେ ୫ଥର ଚାମ୍ପିଅନ୍ ମୁମ୍ବାଇକୁ ଭେଟିବ । ମୁମ୍ବାଇ ବିଜୟ ଧାରାକୁ ଫେରିବାକୁ ତତ୍ପର ଥିବା ବେଳେ ରାଜସ୍ଥାନ ପୁଣି ଥରେ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ବ୍ୟଗ୍ର । ଫଳରେ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ । ଏହି ମ୍ୟାଚକୁ ନେଇ ନୂଆ ଉତ୍ସାହ ସାଜିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ବ୍ୟାଟିଂ ବିସ୍ମୟ ବୈଭବ ଆଜି ବିଶ୍ୱର ଶ୍ରେଷ୍ଠ ପେସ୍ ବୋଲର ଯଶପ୍ରୀତ ବୁମରାଙ୍କୁ ଭେଟିବେ । ଉଭୟ ପୂର୍ବରୁ କେବେ ସାମ୍ନା ସାମ୍ନି ହୋଇ ନଥିବାରୁ ଏହି ଲଢ଼େଇ ଦେଖିବା ପାଇଁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।
ପୂର୍ବ ରେକର୍ଡକୁ ବିଚାରକୁ ନେଲେ ଏହି ମ୍ୟାଚର ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ପରସ୍ପରକୁ ୩୧ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ୧୬ଟି ମ୍ୟାଚ ଜିତିଥିବାବେଳେ ରାଜସ୍ଥାନ ୧୪ଟିରେ ବିଜୟୀ ହୋଇଛି । ଗତ ସିଜନରେ ଉଭୟ ଦଳ ଥରେ ମାତ୍ର ସାମ୍ନା ସାମ୍ନି ହୋଇଥିଲା । ମୁମ୍ବାଇ ଉକ୍ତ ମ୍ୟାଚ ଜିତିଥିଲା । ମାତ୍ର ୨୦୨୪ରେ ରାଜସ୍ଥାନ ମୁମ୍ବାଇକୁ ୨ଥର ପରାଜିତ କରିଥିଲା ।
ଗତ ଶନିବାର ଅନୁଷ୍ଠିତ ଦିଲ୍ଲୀ ବିପକ୍ଷ ମ୍ୟାଚ ଖେଳି ନଥିବା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସୁସ୍ଥ ହୋଇ ସାରିଥିବାରୁ ଆଜି ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିବେ । ଫଳରେ ଦୀପକ ଚହର ଏକାଦଶରୁ ବାଦ ପଡ଼ିବେ । ସେହିପରି କର୍ବିନ ବସ୍କଙ୍କ ସ୍ଥାନରେ ଟ୍ରେଣ୍ଟ ବୋଲ୍ଟ ଫେରିବେ । ରାଜସ୍ଥାନ ପ୍ରଥମ ଦୁଇଟି ଯାକ ମ୍ୟାଚ ଜିତି ସାରିଥିବାରୁ ଆଜି ବିଜୟ ଏକାଦଶକୁ ଅପରିବର୍ତ୍ତିତ ରଖିବା ଏକ ପ୍ରକାର ନିଶ୍ଚିତ ।
ଅଧିକ ପଢ଼ନ୍ତୁ :- ରଦ୍ଦ ହେଲା ମ୍ୟାଚ୍ : ବର୍ଷା ପାଇଁ ଖୋଲିଲା KKRର ଖାତା : ଟେବୁଲ ଟପ୍ପର ହେଲା PBKS
ଆଜି ଜୋଫ୍ରା ଆର୍ଚର ଓ ତିଳକ ବର୍ମାଙ୍କ ଉପରେ ନଜର ରହିବ । ଆର୍ଚର ସମ୍ପ୍ରତି ଚମତ୍କାର ଲୟରେ ରହିଛନ୍ତି ଓ ଘାତକ ବୋଲିଂ ଜାରି ରଖିଛନ୍ତି । ମାତ୍ର ତିଳକ ବର୍ମାଙ୍କ ବିପକ୍ଷରେ ସେ ସର୍ବଦା ବ୍ୟୟ ବହୁଳ ସାବ୍ୟସ୍ତ ହୋଇଛନ୍ତି । ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ତିଳକ ତାଙ୍କ ଓଭରରେ କ୍ରମାନ୍ୱୟରେ ୩ଟି ବିଶାଳ ଛକା ମାରିଥିଲେ । ସେ ଆଜି ପର୍ଯ୍ୟନ୍ତ ଆର୍ଚରଙ୍କ ୨୧ଟି ବଲ୍ର ସାମ୍ନା କରି ୫୪ ରନ ସଂଗ୍ରହ କରିଛନ୍ତି ଓ ଥରେ ମାତ୍ର ଆଉଟ୍ ହୋଇଛନ୍ତି ।
ବର୍ଷାପଡ଼ା ଷ୍ଟାଡ଼ିୟମ୍ରେ ଖେଳାଯାଇଥିବା ଗୋଟିଏ ମ୍ୟାଚରେ ପେସ୍ ବୋଲରମାନେ ରାଜୁତି କରିଥିଲେ । ଚେନ୍ନାଇ ଉକ୍ତ ମ୍ୟାଚରେ ମାତ୍ର ୧୨୭ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଆଜି ମଧ୍ୟ ପିଚ୍ ପେସ୍ ବୋଲରଙ୍କୁ ସହାୟତା କରିବ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ
ମୁମ୍ବାଇ: ରୋହିତ ଶର୍ମା, ର୍ୟାନ ରିକେଲଟନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ ଧିର, ସେରଫାନ ରଦରଫୋର୍ଡ, ମିଚେଲ ସାଣ୍ଟନର, ସର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମୟଙ୍କ ମାର୍କଣ୍ଡେ, ଟ୍ରେଣ୍ଟ ବୋଲ୍ଟ ।
ରାଜସ୍ଥାନ: ବୈଭବ ସୂର୍ଯ୍ୟବଂଶୀ, ଯଶସ୍ୱୀ ଜୈସ୍ୱାଲ, ଧ୍ରୁବ ଜୁରେଲ, ରିୟାନ ପରାଗ, ସିମରନ ହେତମାୟର, ଡୋନୋଭାନ ଫେରେରା, ରବିନ୍ଦ୍ର ଜାଡ଼େଜା, ଜୋଫ୍ରା ଆର୍ଚର, ନାନ୍ଦ୍ରେ ବର୍ଗର, ସନ୍ଦିପ ଶର୍ମା, ରବି ବିଷ୍ଣୋଇ, ବ୍ରିଜେଶ ଶର୍ମା ।