ନୂଆଦିଲ୍ଲୀ:  ଏସିଆ କପ୍ ଟ୍ରଫିକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏସିସି ବୈଠକରେ ଅଧ୍ୟକ୍ଷ ମୋହସନି ନକଭି କ୍ଷମା ମାଗିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ଏପରିକି ଟ୍ରଫି ଖୁବଶୀଘ୍ର ଭାରତ ଫେରିବ ବୋଲି ଜଣାପଡ଼ିଥିଲା । କିନ୍ତୁ ଏବେ ମୋହସିନ ନକଭି ଏହି ସବୁ ରିପୋର୍ଟ ମିଛ ବୋଲି କହିଛନ୍ତି । ଏହା ସହ ଭାରତୀୟ ଗଣମାଧ୍ୟମ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି । ପାକିସ୍ତାନ ଭଳି ନକଭି ମଧ୍ୟ ନିଜ ରଙ୍ଗ ପରିବର୍ତ୍ତନ କରିଛନ୍ତି । ବୈଠକରେ ସେ କ୍ଷମା ମାଗିଥିବା ନେଇ ମିଡିଆ ରିପୋର୍ଟରେ ସତ୍ୟତା ନାହିଁ ବୋଲି ସେ କହିଛନ୍ତି । 

ଏସିସି ବୈଠକରେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏସିସି ଅଧ୍ୟକ୍ଷ ମୋହସିନ୍ ନକଭିଙ୍କୁ କଡ଼ା ପ୍ରଶ୍ନ କରିଥିଲେ। ନକଭି ବୈଠକ ସମୟରେ କ୍ଷମା ମାଗିଥିଲେ। ଏହା ମଧ୍ୟ ଦାବି କରାଯାଇଥିଲା ଯେ, ଏସିଆ କପ୍ ଟ୍ରଫି ଖୁବ୍ ଶୀଘ୍ର ଭାରତକୁ ପଠାଯିବ କିମ୍ବା ଭାରତରୁ କେହି ଏହାକୁ ଗ୍ରହଣ କରିବେ। କିନ୍ତୁ ନକଭି ଟ୍ୱିଟ୍ ମାଧ୍ୟମରେ ଏହି ସମସ୍ତ ଖବରକୁ ଖାରଜ କରିଛନ୍ତି।

ମୋହସିନ ନକଭି ତାଙ୍କର ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ‘ଭାରତୀୟ ଗଣମାଧ୍ୟମ ସତ୍ୟ ଉପରେ ନୁହେଁ, ମିଥ୍ୟା ଉପରେ ଆଧାରିତ। ମୁଁ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି। ମୁଁ କିଛି ଭୁଲ କରିନାହିଁ ଏବଂ ବିସିସିଆଇକୁ କ୍ଷମା ମାଗିନାହିଁ ।  କେବେ ବି ଏଭଳି କରିବି ନାହିଁ।  ମିଥ୍ୟା ଖବର ପ୍ରଚାର କରାଯାଉଛି । ଆମ ନିଜ ଲୋକଙ୍କୁ ଭ୍ରମିତ କରିବା ହିଁ ଏହାର ଉଦ୍ଦେଶ୍ୟ।’

ସେ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, ‘ଦୁର୍ଭାଗ୍ୟବଶତଃ, ଭାରତ କ୍ରିକେଟରେ ନିରନ୍ତର ରାଜନୀତି କରୁଛି । ଯାହା ଖେଳର ଆତ୍ମାକୁ ଆଘାତ ଦେଇଛି । ଏସିସିର ସଭାପତି ଭାବରେ, ମୁଁ ସେହି ଦିନ ଟ୍ରଫି ପ୍ରଦାନ କରିବାକୁ ପ୍ରସ୍ତୁତ ଥିଲି ଏବଂ ଏବେ ମଧ୍ୟ କରିବାକୁ ପ୍ରସ୍ତୁତ। ଯଦି ସେମାନେ ଟ୍ରଫି ନେବାକୁ ଚାହାଁନ୍ତି, ତେବେ ସେମାନେ ଏସିସି କାର୍ଯ୍ୟାଳୟକୁ ଆସି ମୋ ଠାରୁ ଏହାକୁ ସଂଗ୍ରହ କରିପାରିବେ।’

ପୂର୍ବରୁ, ଏସୀୟ କ୍ରିକେଟ ପରିଷଦ ବୈଠକରେ ଟ୍ରଫି ପ୍ରସଙ୍ଗ ଉପରେ ଜୋରଦାର ବିତର୍କ ହୋଇଥିବା ରିପୋର୍ଟ ଆସିଥିଲା। ସୂତ୍ର ଅନୁଯାୟୀ, ଫାଇନାଲ ମ୍ୟାଚ୍ ପରେ ନକଭି ଭାରତୀୟ ଖେଳାଳିମାନଙ୍କ ଉପରେ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଥିଲେ। ବୈଠକରେ ଭାରତର ପ୍ରତିନିଧି ରାଜୀବ ଶୁକ୍ଲା ସ୍ପଷ୍ଟ କରିଥିଲେ ଯେ, ଏସିଆ କପ୍ ଟ୍ରଫି ଏସିସିର ସମ୍ପତ୍ତି ଏବଂ ଏଥିରେ କାହାର ବ୍ୟକ୍ତିଗତ ଅଧିକାର ନାହିଁ ।