ତେହରାନ, ୨୫/୦୪ : ଫେବୃଆରୀ ୨୮ରେ ଆମେରିକା ଇରାନ ଉପରେ ଆକ୍ରମଣ କରିବା ଏବଂ ଏଥିରେ ଇରାନ ସୁପ୍ରିମଲିଡର ଆୟାତୋଲ୍ଲା ଖାମେନେଇଙ୍କ ମୃତ୍ୟୁ ହେବା ପରଠାରୁ ତାଙ୍କ ପୁଅ ମୋଜତବା ଖାମେନେଇ ସର୍ବସମ୍ମୁଖକୁ ଆସିନାହାନ୍ତି । ଅନେକ ରିପୋର୍ଟ ଅନୁସାରେ, ଆକ୍ରମଣରେ ନୂଆ ସୁପ୍ରିମଲିଡର ମୋଜତବା ଗୁରୁତର ଆହତ ହୋଇଛନ୍ତି । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛି । ଏପରି ସ୍ଥିତିରେ ବି ତାଙ୍କୁ କୌଣସି ବଡ଼ ଅଧିକାରୀ, ସେନା କମାଣ୍ଡର ଭେଟିବାକୁ ଯାଇପାରୁନାହାନ୍ତି । କାରଣ ସେମାନଙ୍କ ଜରିଆରେ ଇସ୍ରାଏଲ ମୋଜତବାଙ୍କ ନିକଟରେ ପହଞ୍ଚି ତାଙ୍କୁ ହତ୍ୟା କରିପାରେ ବୋଲି ଭୟ ରହିଛି ।
ରିପୋର୍ଟ ଅନୁସାରେ, ମୋଜତବାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଅଛି। ତାଙ୍କର ଗୋଟିଏ ଗୋଡରେ ୩ ଥର ଅପରେସନ ହୋଇସାରିଲାଣି। ଏବେ ନକଲି ଗୋଡ ଲଗାଇବାକୁ ପଡ଼ିବ। ତାଙ୍କର ଗୋଟିଏ ହାତରେ ମଧ୍ୟ ଅପରେସନ ହୋଇଛି। ତାହା ଧୀରେ ଧୀରେ ସୁସ୍ଥ ହେଉଛି । କିନ୍ତୁ ତାଙ୍କ ମୁହଁ ଭୟଙ୍କର ଭାବେ ଜଳି ଯାଇଛି । ତେଣୁ ସେ କଥା କହିପାରୁନାହାନ୍ତି । ଆଗକୁ ତାଙ୍କ ମୁହଁରେ ପ୍ଲାଷ୍ଟିକ ସର୍ଜରୀ କରାଯାଇପାରେ । ଏହି ସବୁ କଥା ଇରାନର କେତେଜଣ ବରିଷ୍ଠ ଅଧିକାରୀ, ପୂର୍ବତନ ଅଧିକାରୀ, ସେନା ଅଧିକାରୀଙ୍କ ମଧ୍ୟରେ ବାର୍ତ୍ତାଳାପ ଆଧାରରେ ସାମ୍ନାକୁ ଆସିଛି ।
ଅନ୍ୟପକ୍ଷରେ ଆୟାତୋଲ୍ଲାଙ୍କ ମୃତ୍ୟୁ ପରେ ଇରାନ ସେନା ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍ଜିସି) ଅଧିକ ଶକ୍ତିଶାଳୀ ହୋଇଛି । ବିଶେଷଜ୍ଞଙ୍କ ମତରେ ଇରାନ ସରକାର ଶେଷ ହୋଇନାହିଁ ବରଂ ଏବେ ଅଧିକ ଶକ୍ତିଶାଳୀ ଏବଂ କଠୋର ଆଭିମୁଖ୍ୟ ରଖିଥିବା ସେନା ହାତକୁ କ୍ଷମତା ଯାଇଛି । ସେନାର ଜେନେରାଲ ଇରାନ ଚଲାଉଛନ୍ତି । ଏହା ମୋଜତବାଙ୍କ ନିୟନ୍ତ୍ରଣାଧୀନ ନାହିଁ । ମୋଜତବାଙ୍କୁ କେବଳ ପୂର୍ବରୁ ପ୍ରସ୍ତୁତ ନିଷ୍ପତ୍ତି ହିଁ ଦେଖାଯାଉଛି । ୧୯୭୯ର ଇସ୍ଲାମିକ କ୍ରାନ୍ତି ପରେ ଗଠନ ହୋଇଥିବା ଆଇଆର୍ଜିସି ପୂର୍ବରୁ ସୁପ୍ରିମଲିଡରଙ୍କ ଆଦେଶରେ କାମ କରୁଥିଲେ ହେଁ ଏବେ ସ୍ଥିତି ବଦଳି ଯାଇଛି । ଏଣିକି ଆଇଆର୍ଜିସି ନିଷ୍ପତ୍ତି ଅନୁସାରେ ଇରାନ ସରକାର ଚାଲୁଥିବା କଥା ସାମ୍ନାକୁ ଆସୁଛି ।
ଏହି ଖବରଟିକୁ ପଢନ୍ତୁ- ଇସ୍ରାଏଲ-ଆମେରିକା ଆକ୍ରମଣରେ ରକ୍ତାକ୍ତ ଇରାନର ସୁପ୍ରିମ୍ ଲିଡର: କଟିଲା ଗୋଡ଼, ଜଳିଗଲା ଚେହେରା; ହେବ ପ୍ଲାଷ୍ଟିକ ସର୍ଜରୀ !