ଭୁବନେଶ୍ୱର, ୨୬/୧୨ : ରାଜ୍ୟରେ କୃଷକମାନଙ୍କଠାରୁ ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୋଗ୍ୟ ଚାଷୀ ସେମାନଙ୍କ ଧାନକୁ ସରକାରୀ ସ୍ତରରେ ବିକ୍ରୟ କରିପାରିବେ ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ବାହାର ରାଜ୍ୟରୁ ଯେଭଳି ଧାନ ଆସି ରାଜ୍ୟରେ ବିକ୍ରୟ ନ ହୁଏ ଏହା ଉପରେ ତୀକ୍ଷ୍ଣ ନଜର ରଖାଇଯାଇଛି । ବିଶେଷକରି ରାଜ୍ୟର ସୀମାନ୍ତ ଅଞ୍ଚଳରେ ଏହି ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହି ଉଦ୍ଦେଶ୍ୟରେ ନୂଆପଡା, ବରଗଡ଼, ଝାରସୁଗୁଡା ଓ ସୁନ୍ଦରଗଡ ଭଳି ଅନ୍ୟାନ୍ୟ ସୀମାନ୍ତ ଜିଲ୍ଲା ଗୁଡିକରେ ଜିଲ୍ଲାରେ ସ୍କ୍ୱାଡ଼ ସମେତ ବିଭିନ୍ନ ଜିଲ୍ଲାରେ ଏନଫୋର୍ସମେଣ୍ଟ ଟିମକୁ ନିଯୁକ୍ତ କରାଯାଇଛି ।

ବିଶେଷ କରି ନୂଆପଡ଼ା ଜିଲ୍ଲାରେ କ୍ୟାମେରା ଖଞ୍ଜିତ ଏନଫୋର୍ସମେଣ୍ଟ ଗାଡ଼ି ଗୁଡ଼ିକ ଖଡ଼ିଆଳ ରୋଡ଼ ଏବଂ ସିନାପାଲି ଠାରେ ମୁତୟନ ରହି ବାହାର ରାଜ୍ୟ ଧାନ ଗାଡି ଗୁଡିକ ଉପରେ ତୀକ୍ଷଣ ନଜର ରଖିଛନ୍ତି । ପଡୋଶୀ ଛତିଶଗଡରୁ ଓଡିଶା କିମ୍ବା ଆମ ରାଜ୍ୟରୁ ଛତିଶଗଡକୁ ଧାନ ନେଇ ଯାଉଥିବା ଗାଡି ଉପରେ ନଜର ରଖାଯାଉଛି । ସେହିଭଳି ସମ୍ପୃକ୍ତ ଥାନା ଆଇଆଇସି ମାନେ ମଧ୍ୟ ଟିମ ମୁତୟନ କରି ୨୪ ଘଣ୍ଟିଆ ନଜର ରଖୁଛନ୍ତି । କୌଣସି ଅନିୟମିତତାର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେହି ଗାଡିକୁ ଜବତ କରିବାକୁ ସେମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ଯୋଗାଣ ଅଧିକାରୀମାନେ ଏଥିପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ଏହି ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି । ଟୋକନ ପ୍ରାପ୍ତ ଚାଷୀମାନେ ମଣ୍ଡିକୁ ଆସି ସେମାନଙ୍କ ଧାନ ବିକ୍ରୟ କରି ଉତ୍ତମ ଅନୁଭୂତି ନେଇ ଫେରିବେ ଏଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ମଣ୍ଡିରେ ଆନୁସଙ୍ଗିକ ବ୍ୟବସ୍ଥା କରିଵା ପାଇଁ ପୂର୍ବରୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

- ନୂଆପଡା ସମେତ ବିଭିନ୍ନ ଜିଲ୍ଲାରେ ନିଯୁକ୍ତ ଅଛନ୍ତି ଏନଫୋର୍ସମେଣ୍ଟ ଟିମ

- ବର୍ତ୍ତମାନ ୧୨ଟି ଜିଲ୍ଲାରେ ଧାନ ସଂଗ୍ରହ ଜାରି

ଅନ୍ୟପଟେ ଆଉ ଚାରୋଟି ଜିଲ୍ଲାରେ ଚାଷୀମାନଙ୍କ ପାଇଁ ଆଗୁଆ ଟୋକନ ପ୍ରଦାନ କରାଯାଇଛି । ବାଲେଶ୍ୱର, ନୟାଗଡ଼, ଗଜପତି ଓ କନ୍ଧମାଳ ଜିଲ୍ଲାର ଚାଷୀମାନଙ୍କ ପାଇଁ ଆଗୁଆ ଟୋକନ ପ୍ରଦାନ କରାଯାଇଛି । ବାଲେଶ୍ୱର ଓ ନୟାଗଡ଼ ଜିଲ୍ଲାରେ ଆସନ୍ତା ୨୯ତାରିଖରେ ଧାନସଂଗ୍ରହ ଆରମ୍ଭ ହେଉଥିବାବେଳେ ଗଜପତିରେ ଆସନ୍ତା ୩୦ତାରିଖରେ ଏବଂ କନ୍ଧମାଳରେ ୩୧ତାରିଖରେ ଧାନସଂଗ୍ରହ ଆରମ୍ଭ କରାଯିବ। ବାଲେଶ୍ୱର ଜିଲ୍ଲାରେ ୬୫ ହଜାର ୨୭୩ ଜଣ, ନୟାଗଡ଼ ଜିଲ୍ଲାରେ ୨୮ ହଜାର ୭୨୩, ଗଜପତିରେ ୧୦ ହଜାର ୧୧୨ ଜଣ ଏବଂ କନ୍ଧମାଳ ଜିଲ୍ଲାରେ ୩୧୭୬ ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି ।

ଏହି ସବୁ ଜିଲ୍ଲାର ମଣ୍ଡି ଗୁଡ଼ିକରେ ଅସ୍ଥାୟୀ ଆଶ୍ରୟସ୍ଥଳୀ, ପାନୀୟ ଜଳ, ଶୌଚାଳୟ ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ସିସିଟିଭି ଲଗାଯିବା ସହ ମଣ୍ଡି ମନିଟରିଂ ଅଧିକାରୀ ଓ ସୁପରଭାଇଜିଂ ଅଧିକାରୀମାନେ ଉପସ୍ଥିତ ରହି ଧାନସଂଗ୍ରହ ପ୍ରକ୍ରିୟାର ତଦାରଖ କରିବେ । ଏତଦ୍ବ୍ୟତୀତ ବର୍ତ୍ତମାନ ରାଜ୍ୟର ୧୨ଟି ଜିଲ୍ଲା ଯଥା-ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରେ ଧାନସଂଗ୍ରହ ଜାରି ରହିଛି । ଏହି ସବୁ ଜିଲ୍ଲାଗୁଡ଼ିକରୁ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୪୧ହଜାର ୩୮୧ଜଣ ଚାଷୀଙ୍କଠାରୁ ୬ଲକ୍ଷ ୩୦ହଜାର ୪୩୮ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇ ସାରିଲାଣି । ଏଥିସହ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୯୧୯କୋଟି ୧୩ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ଇନ୍ପୁଟ୍ ସହାୟତା ବାବଦକୁ ୨୮୩କୋଟି ୬୧ଲକ୍ଷ ଟଙ୍କା ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇସାରିଲାଣି ।