ଭୁବନେଶ୍ବର,୨୯/୧୨: ବିଏମ୍‌ସି ପକ୍ଷରୁ ଆଉ ୩ ସ୍ଥାନରେ ନୂଆ ପାର୍କିଂ ସ୍ଥାନ ଖୋଲିବ । ଦକ୍ଷିଣ-ପୂର୍ବ ଜୋନ୍‌ର ପୁରୁଣା ବିଏମ୍‌ସି ଅଫିସରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି । ସେଠାରେ ନୋଟାରୀ ଅଫିସ ଥିବାରୁ ପ୍ରବଳ ଜାମ୍‌ ହେଉଛି । ଗାଡ଼ି ରାସ୍ତାରେ ରଖିବାରୁ ଏପରି ପରିସ୍ଥିତି ଉପୁଜୁଛି । ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ନୂଆ ପାର୍କିଂ ସ୍ଥାନ ଆରମ୍ଭ ହୋଇଛି ।

ସେହିପରି ଦକ୍ଷିଣ-ପଶ୍ଚିମ ଜୋନ୍‌ର ପଟାସ ଛକରୁ ୭୦୦ ମିଟର ପର୍ଯ୍ୟନ୍ତ ଆଉ ଏକ ପାର୍କିଂ ସ୍ଥାନ ନିର୍ମାଣ କରାଯାଉଛି । ସେହିପରି ଷ୍ଟ୍ରୁଆର୍ଟ ସ୍କୁଲ ଛକରୁ ଜଳେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଆଉ ଏକ ପାର୍କିଂ ସ୍ଥାନ କରାଯାଉଛି । ସ୍ମାର୍ଟ ଜନପଥକୁ ମିଶାଇ ପୂର୍ବରୁ ବିଏମ୍‌ସିର ୪୦ଟି ପାର୍କିଂ ସ୍ଥାନ ରହିଛି । ମେୟର ସୁଲୋଚନା ଦାସ ଏବଂ କମିଶନର ରାଜେଶ ପ୍ରଭାକର ପାଟିଲ ସ୍ଥିତି ସମୀକ୍ଷା କରି ନୂଆ ପାର୍କିଂ ସ୍ଥାନକୁ ଅନୁମୋଦନ କରିଛନ୍ତି । ଏହି ସବୁ ରାସ୍ତା କଡ଼ ନିକଟରେ ଉଚ୍ଛେଦ କରାଯାଇଥିଲା ।