• ହୀରାକୁଦରେ ଗେଟ୍‌ ଖୋଲା, ଅନ୍ୟଠି ଶୁଖିଲା
  • ରେଙ୍ଗାଳି, ଅପର ଇନ୍ଦ୍ରାବତୀ ଓ ଅପର କୋଲାବରେ ପାଣି ନାହିଁ
  • ଘଟକେଶ୍ୱର, ଜମ୍ଭିରା ଓ କାଳ ଡ୍ୟାମ୍‌ ବି ଶୁଖିଲା
  • ରେଙ୍ଗାଳି, ମାଛକୁଣ୍ଡରୁ ବିଦ୍ୟୁତ ଉତ୍ପାଦନ ଶୂନ

ଭୁବନେଶ୍ୱର,୧୩/୦୭ : ଜୁଲାଇ ପ୍ରଥମ ସପ୍ତାହରେ ଲଘୁଚାପ ପ୍ରଭାବରୁ ରାଜ୍ୟରେ ପ୍ରବଳ ବର୍ଷିଛି। ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଓ ୨୯ ଜିଲ୍ଲାରେ ସ୍ୱାଭାବିକ ତୁଳନାରେ ଅତ୍ୟଧିକ (ମୋଟ ୨୦୩ ମିମି) ବର୍ଷା ଢାଳିଛି । ତଥାପି ରାଜ୍ୟର ଅଧିକାଂଶ ଜଳଭଣ୍ଡାର ଶୁଖିଲା । ରେଙ୍ଗାଳି ଜଳଭଣ୍ଡାରରେ ଜଳସ୍ତର ୧୧୨ ମିଟର । ଜଳଧାରଣ କ୍ଷମତାର ମାତ୍ର ୧୨.୮% ଜଳ ଭରିଛି । ଗତବର୍ଷ ଠିକ୍‌ ଏହି ସମୟରେ ୭୩.୫% ପାଣି ଭରି ଯାଇଥିଲା । କିନ୍ତୁ ଏବେ ଶୁଖିଲା । ଅପର ଇନ୍ଦ୍ରାବତୀରେ ଜଳସ୍ତର ୬୨୯ ମିଟର । ମାତ୍ର ୨୦% ପାଣି ଭର୍ତ୍ତି ହୋଇଛି । ଗତବର୍ଷ ୪୦% ପାଣି ଥିଲା । ମାଛକୁଣ୍ଡ ଜଳଭଣ୍ଡାରରେ ପୂର୍ବ ବର୍ଷ ଜୁଲାଇ ବେଳକୁ ୬୩% ପାଣି ଭରି ସାରିଥିଲା । ଏବେ ଅଛି ମାତ୍ର ୨୭% । ଅପର କୋଲାବରେ ୨୧% ଓ ବାଲିମେଳାରେ ୧୫.୫% ପାଣି ଭରିଛି । ହୀରାକୁଦକୁ ଛାଡ଼ି ଦେଲେ ସବୁ ଜଳଭଣ୍ଡାର ପ୍ରାୟତଃ ଶୁଖିଲା । ଜଳ ବିଦ୍ୟୁତ ଉତ୍ପାଦନ ଆଖିଦୃଶିଆ ହେଉନି । ଏମିତି ବି ଏଲ୍‌ନିନୋ ପାଇଁ ଆଗକୁ ନିଅଣ୍ଟିଆ ବର୍ଷା ଆଶଙ୍କା ଅଛି । ଯଦି ଆଶଙ୍କା ସତ ହୁଏ, ସ୍ଥିତି ସାଙ୍ଘାତିକ ହେବ । 

କେବଳ ବଡ଼ ଜଳଭଣ୍ଡାର ନୁହେଁ, ଜଳସେଚନ ପାଇଁ ଗୁରୁତ୍ୱ ରଖୁଥିବା ରାଜ୍ୟର ଅଧାରୁ ଅଧିକ ଛୋଟ, ମଧ୍ୟମ ଡ୍ୟାମ୍‌ ଓ ବନ୍ଧରେ ଏବେସୁଦ୍ଧା ପାଣି ଭର୍ତ୍ତି ହୋଇନି । ରାୟଗଡ଼ାର ବଡ଼ନାଳ ନଦୀରେ ଥିବା ବଡ଼ନାଳ ଡ୍ୟାମ୍‌ରେ ପାଣି ଅଧା ଭରି ହୋଇଛି । ସ୍ଥାନୀୟ ଅଞ୍ଚଳରେ ଜଳସେଚନ ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏତେ ବର୍ଷା ସତ୍ତ୍ଵେ ଡ୍ୟାମରେ ପ୍ରାୟ ୪୦% ପାଣି ଭରିଛି । ମୟୂରଭଞ୍ଜର ଦେଓ ଡ୍ୟାମ୍‌ରେ ୩୬% ପାଣି ଭର୍ତ୍ତି ହୋଇଛି । ଗଞ୍ଜାମରେ ଥିବା ଘଟକେଶ୍ୱର ଡ୍ୟାମ୍‌ରେ ମାତ୍ର ୧୯%, ବାରିପଦା ପାଖରେ ଥିବା ଜମ୍ଭିରା ଡ୍ୟାମ୍‌ରେ ୧୪.୩%, ବରଗଡ଼ ଜିଲ୍ଲାରେ ଥିବା ଝାରବନ୍ଧ ଡ୍ୟାମ୍‌ରେ ୧୨%, ମୟୂରଭଞ୍ଜ କପ୍ତିପଦା ପାଖରେ ଥିବା କାଳ ଡ୍ୟାମ୍‌ରେ ମାତ୍ର ୫.୮% ପାଣି ଓ ନେସା ଡ୍ୟାମ୍‌ରେ ୩୩% ପାଣି ଭର୍ତ୍ତି ହୋଇଛି । ସୁନ୍ଦରଗଡ଼ରେ ଥିବା କାଂଶବାହାଲ ଡ୍ୟାମ୍‌ରେ ୩୮.୫%, ମନ୍ଦିରା ଡ୍ୟାମ୍‌ରେ ୪୩%, ସରଫଗଡ଼ ବନ୍ଧରେ ୨୬% ଓ ରୁକୁରା ବନ୍ଧରେ ୨୭% ପାଣି ଭରିଛି । କୋରାପୁଟର ତେଲେଙ୍ଗିରି ବନ୍ଧରେ ୨୨% ଓ ମାଲକାନଗିରିର ସତୀଗୁଡ଼ା ଡ୍ୟାମ୍‌ରେ ୩୨% ପାଣି ରହିଛି। 

ମୌସୁମୀ ଋତୁ(ଜୁନ୍‌ ୧ରୁ ଜୁଲାଇ ୧୧ ତାରିଖ) ଯାଏ ହିସାବକୁ ନେଲେ, ରାଜ୍ୟରେ ଏ ସମୟରେ ସ୍ୱାଭାବିକ ଭାବେ ୩୧୪ ମିମି ବର୍ଷା ହେବା କଥା । ହେଲେ ସ୍ୱାଭାବିକଠାରୁ ଅଧିକ ବା ୩୪୭ ମିମି ବର୍ଷା ହୋଇଛି । ହଁ, ଅନେକ ସ୍ଥାନରେ ବର୍ଷା ନିଅଣ୍ଟିଆ ରହିଛି । କଳାହାଣ୍ଡି, ନବରଙ୍ଗପୁର, ବାଲେଶ୍ୱର ଓ ଦେବଗଡ଼ରେ ୨୦ରୁ ୪୦% ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ହୋଇଛି । ବାକି ୨୬ ଜିଲ୍ଲାରୁ କନ୍ଧମାଳ, ବୌଦ୍ଧ ଓ ସୋନପୁରରେ ଅତ୍ୟଧିକ ବର୍ଷା ହୋଇଛି । ୨୩ ଜିଲ୍ଲାରେ ସ୍ୱାଭାବିକ ବା ସ୍ୱାଭାବିକଠାରୁ ସାମାନ୍ୟ ଅଧିକ ବର୍ଷା ହୋଇଛି ।  ହୀରାକୁଦ ଜଳଭଣ୍ଡାରର ପୂର୍ଣ୍ଣ ଜଳଧାରଣ କ୍ଷମତା(ଏଫ୍‌ଆରଏଲ) ୬୩୦ ଫୁଟ ହୋଇଥିବାବେଳେ ଏବେ ୬୧୧ ଫୁଟ ପାଣି ରହିଛି । ଜଳଭଣ୍ଡାର କ୍ଷମତାର ପ୍ରାୟ ୩୭% ପାଣି ଭର୍ତ୍ତି ହୋଇ ସାରିଲାଣି । ଏବେ ଏଠାରୁ ୩ଟି ଗେଟ୍‌ ଦେଇ ପାଣି ଛଡ଼ାଯାଉଛି । ତେବେ ବୁର୍ଲାସ୍ଥିତ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ଜୁଲାଇ ୧୧ ତାରିଖରେ ୧୬୨ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଥିଲା । ୧୦ ତାରିଖରେ ୧୬୭ ମେଗାୱାଟ୍‌ ବିଜୁଳି ଉତ୍ପାଦନ ହୋଇଛି । ଏଠାରେ ମୋଟ ବିଦ୍ୟୁତ ଉତ୍ପାଦନ କ୍ଷମତା ୨୮୭ ମେଗାୱାଟ୍‌ ରହିଛି । ରେଙ୍ଗାଳି ଜଳଭଣ୍ଡାର ଶୁଖିଲା ପଡ଼ିଥିବାରୁ ବିଦ୍ୟୁତ ଉତ୍ପାଦନ ହୋଇପାରୁନି । ଏହାର ଦୈନିକ ବିଦ୍ୟୁତ ଉତ୍ପାଦନ କ୍ଷମତା ୨୫୦ ମେଗାୱାଟ ହୋଇଥିବାବେଳେ ଗତ ଦୁଇ ଦିନ ହେବ ବିଦ୍ୟୁତ ଉତ୍ପାଦନ ଶୂନ ରହିଛି । ୯ ତାରିଖରେ ମାତ୍ର ୧୬ ମେଗାୱାଟ ଉତ୍ପାଦନ ହୋଇଥିଲା । 

​​​​​​​

ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରର ଦୈନିକ ବିଦ୍ୟୁତ ଉତ୍ପାଦନ କ୍ଷମତା ୫୧୦ ମେଗାୱାଟ ଥିବାବେଳେ ୯ ତାରିଖରେ ୨୦୯ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଥିଲା । କିନ୍ତୁ ୧୧ ତାରିଖରେ ମୋଟ ଉତ୍ପାଦନ ୧୬୨ ମେଗାୱାଟ ଓ ୧୦ ତାରିଖରେ ୧୨୪ ମେଗାୱାଟ ରହିଥିଲା ବୋଲି ଓପିଟିସିଏଲରୁ ତଥ୍ୟ ମିଳିଛି ।  ଅପର କୋଲାବର ବିଦ୍ୟୁତ ଉତ୍ପାଦନ କ୍ଷମତା ୩୨୦ ମେଗାୱାଟ । କିନ୍ତୁ ୧୦ ତାରିଖରେ ମାତ୍ର ୧୧ ମେଗାୱାଟ୍‌ ବା ୩.୪୩% ବିଜୁଳି ବାହାରିଛି । ୧୧ ତାରିଖରେ ୩୪ ମେଗାୱାଟ ଉତ୍ପାଦନ ହୋଇଛି । ଅପର ଇନ୍ଦ୍ରାବତୀରେ ୬୦୦ ମେଗାୱାଟ୍‌ କ୍ଷମତା ଥିବାବେଳେ ୧୧ ତାରିଖରେ ୧୧୯ ମେଗାୱାଟ ଓ ୧୦ ତାରିଖରେ ମାତ୍ର ୨୪ ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ ହୋଇଛି । ଗତ କିଛି ଦିନ ତଳେ ଅଗ୍ନିକାଣ୍ଡରେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ପ୍ରଭାବିତ ହୋଇଥିଲା । ଅଗ୍ନିକାଣ୍ଡଜନିତ କ୍ଷତି ଓ ଜଳଭଣ୍ଡାରରେ କମ୍‌ ପାଣି ଥିବାରୁ ଏଠାରୁ କୌଣସି ବିଦ୍ୟୁତ ଉତ୍ପାଦନ ହୋଇପାରୁନି । ରାଜ୍ୟର ମୋଟ ୭ଟି ଜଳଭଣ୍ଡାରର ବିଦ୍ୟୁତ ଉତ୍ପାଦନ କ୍ଷମତା ୨୦୯୯ ମେଗାୱାଟ୍‌ ହୋଇଥିବାବେଳେ ମାତ୍ର ୫୨୪ ମେଗାୱାଟ୍‌ ବା ୨୪% ବିଦ୍ୟୁତ ଉତ୍ପାଦନ ହୋଇଛି।

ଆହୁରି ପଢନ୍ତୁ- ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ, ୧୫ ତାରିଖରୁ ବଢ଼ିବ ବର୍ଷାର ପରିମାଣ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

Why Is Gate No.7 Opened First at Hirakud Dam ?| କାହିଁକି ପ୍ରଥମେ ଖୋଲାଯାଏ ହୀରାକୁଦର ୭ ନମ୍ବର ଗେଟ୍ ?