ନୂଆଦିଲ୍ଲୀ: ଇଟାଲୀର ସିସିଲୀ ଦ୍ୱୀପରେ ଥିବା ଇଉରୋପର ସବୁଠାରୁ ସକ୍ରିୟ ଓ ଉଚ୍ଚ ଅଗ୍ନେୟଗିରି ପର୍ବତ ମାଉଣ୍ଟ ଏଟନା ସୋମବାର (ଜୁନ୍ ୨) ଦିନ ଏକ ଭୀଷଣ ଅଗ୍ନେୟ ଉଦ୍ଗିରଣ ଘଟାଇ ପର୍ଯ୍ୟଟକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହି ଅଗ୍ନେୟ ଉଦ୍ଗିରଣ ଯୋଗୁଁ ବିଶାଳ ପାଉଁଶ ଓ ଧୂଆଁର ପ୍ରବାହ ଆକାଶକୁ ଉଠୁଥିବାର ବିଭିନ୍ନ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ଇଟାଲୀର ଜାତୀୟ ଭୂତତ୍ତ୍ୱ ଓ ଅଗ୍ନିବର୍ଷୀ ଅନୁସନ୍ଧାନ ସଂସ୍ଥା (INGV) ଅନୁସାରେ, ସ୍ଥାନୀୟ ସମୟ ରାତି ୧୦ଟା ପରେ ସିସମିକ କମ୍ପନ ଆରମ୍ଭ ହୋଇଥିଲା, ଯାହା ଅଗ୍ନେୟ ଉଦ୍ଗିରଣର ପ୍ରଥମିକ ସଙ୍କେତ ଦେଇଥିଲା। ଏହାପରେ ରାତି ୧ଟା ପୂର୍ବରୁ ପାଉଁଶ ଓ ଧୂଆଁର ପ୍ରବାହ ପ୍ରାୟ ୬,୪୦୦ ମିଟର (୨୧,୦୦୦ ଫୁଟ) ଉଚ୍ଚତାରେ ପହଞ୍ଚିଯାଇଥିଲା। ଏହି ଅଗ୍ନେୟ ଉଦ୍ଗିରଣ ସାଉଥ୍-ଇଷ୍ଟ କ୍ରେଟରରୁ ହୋଇଥିବା ଜଣାପଡିଛି। ଯେଉଁଠାରେ ଏକ ପାଇରୋକ୍ଲାସ୍ଟିକ ପ୍ରବାହ (ପାଉଁଶ, ଗ୍ୟାସ ଓ ଗରମ ପଥରର ମିଶ୍ରଣ) ହେଉଥିବା ଦେଖାଯାଇଥିଲା।

ସୋସିଆଲ ମିଡିଆରେ ପ୍ରକାଶିତ ଭିଡିଓରେ ଦେଖାଯାଇଛି ଯେ, ଉକ୍ତ ଅଞ୍ଚଳକୁ ଯାଇଥିବା ପର୍ଯ୍ୟଟକମାନେ ପାହାଡ଼ରୁ ବିଶାଳ ପାଉଁଶ ଓ ଧୂଆଁର ପ୍ରବାହ ଉଠିବା ପରେ ଇତସ୍ତତ ଭାବେ ଏଣେତେଣେ ଦଉଡୁଛନ୍ତି। କିଛି ପର୍ଯ୍ୟଟକ ଏହାକୁ "ଅସାଧାରଣ ଅଭିଜ୍ଞତା" ବୋଲି ବର୍ଣ୍ଣନା କରିଛନ୍ତି, କିନ୍ତୁ ଅନେକ ଆତଙ୍କିତ ହୋଇ ଉକ୍ତ ସ୍ଥାନ ଛାଡି ସୁରକ୍ଷିତ ଅଞ୍ଚଳକୁ ପଳାଇ ଯାଇଛନ୍ତି।




ସ୍ଥାନୀୟ ଅଧିକାରୀ ଓ ସିସିଲୀର ସେନେଟର ରେନାଟୋ ସ୍କିଫାନି କହିଛନ୍ତି ଯେ, ଲାଭା ପ୍ରବାହ ଏଟନାର ଶିଖରର ପ୍ରାକୃତିକ ସୀମା ଅତିକ୍ରମ କରିନାହିଁ ଏବଂ ଜନସାଧାରଣଙ୍କ ପାଇଁ ତୁରନ୍ତ କୌଣସି ବିପଦ ନାହିଁ। ତେବେ, ପାଉଁଶ ଓ ସଲଫର ଡାଇଅକ୍ସାଇଡ୍‌ର ମିଶ୍ରଣ ଦକ୍ଷିଣ-ପଶ୍ଚିମ ଦିଗରେ ଯାଉଥିବାରୁ ଏକ ରେଡ୍ ଆଲର୍ଟ ଜାରି କରାଯାଇଥିଲା। ଯାହାକୁ ପରେ ଅରେଞ୍ଜ ଆଲର୍ଟକୁ ହ୍ରାସ କରାଯାଇଛି।

ପିଆନୋ ଭେଟୋର ଅଞ୍ଚଳରେ ପତଳା ପାଉଁଶ ପଡୁଥିବା ରିପୋର୍ଟ ହୋଇଛି। କିନ୍ତୁ କୌଣସି ଆହତ କିମ୍ବା କ୍ଷୟକ୍ଷତିର ଖବର ଏତେଯାଏଁ ମିଳିପାରିନାହିଁ। କାଟାନିଆ ବିମାନବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇନାହିଁ, କିନ୍ତୁ ଯାତ୍ରୀମାନଙ୍କୁ ସେମାନଙ୍କ ବିମାନ ସୂଚୀ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।




ମାଉଣ୍ଟ ଏଟନା, ଯାହାର ଉଚ୍ଚତା ପ୍ରାୟ ୩,୪୦୦ ମିଟର, ଏକ ସକ୍ରିୟ ଅଗ୍ନେୟଗିରି ପର୍ବତ ଭାବେ ବିଶ୍ୱରେ ପରିଚିତ। ଏହା ଗତ ବର୍ଷ ଜୁଲାଇ ଓ ଅଗଷ୍ଟରେ ଦୁଇଥର ଏବଂ ଚଳିତ ବର୍ଷ ଫେବୃଆରୀରେ ମଧ୍ୟ ଅଗ୍ନେୟ ଉଦ୍ଗିରଣ ଘଟାଇଥିଲା। ଏହି ଅଗ୍ନିବିତ୍ପାତ ସତ୍ତ୍ୱେ ସ୍ଥାନୀୟ କର୍ତ୍ତୃପକ୍ଷ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛନ୍ତି ଏବଂ ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି।