ନୂଆଦିଲ୍ଲୀ ୨୮/୦୩: ଇରାନ ଉପରେ ଆମେରିକା-ଇସ୍ରାଏଲର ଆକ୍ରମଣ ବିଶ୍ୱରେ ପ୍ରାକୃତିକ ସଂସାଧନ ଯୋଗାଣରେ ବାଧକ ହୋଇଛି । ତନ୍ମଧ୍ୟରେ ବଡ଼ ସଙ୍କଟ ରୂପେ ଉଭା ହୋଇଛି ହିଲିୟମ୍ । ସଦ୍ୟ ଯୁଦ୍ଧରେ ଇରାନର ପ୍ରତିକ୍ରିୟା ବିଶ୍ୱର ପ୍ରାୟ ଏକ ତୃତୀୟାଂଶ ହିଲିୟମ୍ ଯୋଗାଣରେ ବାଧା ସୃଷ୍ଟି କରିଛି । ଏହା ଚିକିତ୍ସା ଉପଯୋଗ, ଖାସକରି ଏମଆରଆଇ ସ୍କାନ୍ ଓ ସେମିକଣ୍ଡକ୍ଟର କ୍ଷେତ୍ର ଭଳି ହାଇ-ଟେକ୍ ଉଦ୍ୟୋଗ ପାଇଁ ଜଟିଳ ସ୍ଥିତି ଉତ୍ପନ୍ନ କରିଛି । ମୁଖ୍ୟତଃ ପରିବହନ କଟକଣା ଏବଂ ବିଶ୍ୱର ମୁଖ୍ୟ ହିଲିୟମ୍ ଉତ୍ପାଦକ କାତାରରେ ଏହାର ଉତ୍ପାଦନ ବାଧିତ ହେବା ଫଳରେ ଏହି ସ୍ଥିତି ଉପୁଜିଛି ।
କେତେ ହିଲିୟମ୍ ଉତ୍ପାଦନ କରେ କାତାର?
ଆମେରିକୀୟ ଭୂତାତ୍ତ୍ୱିକ ସର୍ଭେ ଅନୁସାରେ, ୨୦୨୫ରେ କାତାର ପ୍ରାୟ ୬୩ ନିୟୁତ କ୍ୟୁବିକ ମିଟର ହିଲିୟମ୍ ଉତ୍ପାଦନ କରିଥିଲା, ଯାହା ବିଶ୍ୱରେ ପ୍ରାୟ ୧୯୦ ନିୟୁତ କ୍ୟୁବିକ ମିଟର ହିଲିୟମ୍ ଉତ୍ପାଦନର ଏକ ତୃତୀୟାଂଶ । ଅନ୍ୟ ଉପସାଗରୀୟ ଦେଶ ହିଲିୟମର ମୁଖ୍ୟ ଉତ୍ପାଦକ ନୁହନ୍ତି । ତଥାପି ସେମାନେ ବିଶ୍ୱ ଯୋଗାଣ ଶୃଙ୍ଖଳା ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ କାତାର ଓ ଅନ୍ୟ ଦେଶରୁ ହିଲିୟମ୍ ରପ୍ତାନି ପରିବହନ ଦିଗ ଓ ସେମାନଙ୍କ ତଟୀୟ ଜଳମାର୍ଗରେ ଚୋକପଏଣ୍ଟ୍, ଖାସକରି ହୋର୍ମୁଜ ଜଳ ମାର୍ଗ ଉପରେ ନିର୍ଭରଶୀଳ ।
ଚଳିତ ମାସ ୨ ତାରିଖରେ ହୋର୍ମୁଜ ଜଳ ମାର୍ଗକୁ ବନ୍ଦ କରାଯାଇଥିବା ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି)ର ମୁଖ୍ୟ କମାଣ୍ଡରଙ୍କ ବରିଷ୍ଠ ଉପଦେଷ୍ଟା ଇବ୍ରାହିମ ଜାବାରି ଘୋଷଣା କରିଥିଲେ । ତେବେ ଏହା ପରେ ଇରାନ ଅଧିକାରୀ କହିଥିଲେ, ହୋର୍ମୁଜ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ । ଆମେରିକା, ଇସ୍ରାଏଲ ଓ ଏମାନଙ୍କ ସମର୍ଥକ ରାଷ୍ଟ୍ରଙ୍କ ଜାହାଜ ବ୍ୟତୀତ ଅନ୍ୟ ଦେଶର ଜାହାଜ ଇରାନର ସର୍ତ୍ତ ଅନୁସାରେ ଅତିକ୍ରମ କରିପାରିବେ । ଇରାନ ଆକ୍ରମଣ ପରେ ବିଶ୍ୱର ସର୍ବବୃହତ ଏଲଏନଜି ଉତ୍ପାଦକ ଦେଶ କାତାରଏନର୍ଜି (ଏହି ପ୍ଲାଣ୍ଟ ତରଳ ହିଲିୟମ୍ ମଧ୍ୟ ଉତ୍ପାଦନ କରେ) କହିଛି, ଦେଶରେ ପ୍ରତି ବର୍ଷ ୧୪ ପ୍ରତିଶତ ହାରରେ ଏଲଏନଜି ରପ୍ତାନି ହ୍ରାସ ପାଇବ ।
କ୍ରେତାଙ୍କ ପାଖରେ କେମିତି ପହଞ୍ଚେ?
ଖୁବ୍ କମ୍ ଘନତ୍ୱବିଶିଷ୍ଟ ହିଲିୟମ୍ ଗ୍ୟାସ୍ ରୂପରେ ବୃହତ୍ ସ୍ଥାନ ଆବଶ୍ୟକ କରେ । ତେଣୁ ଏହାକୁ ତରଳ ରୂପରେ ଥଣ୍ଡା କରାଯାଏ ଏବଂ ସ୍ୱତନ୍ତ୍ର କ୍ରାୟୋଜେନିକ କଣ୍ଟେନରରେ ଗଚ୍ଛିତ କରାଯାଏ । ଏହା ସ୍ଥାନ କମ୍ ନିଏ ଏବଂ ଖୁବ୍ ଶସ୍ତା ମଧ୍ୟ । ହିଲିୟମ୍କୁ ସାଧାରଣତଃ ତରଳ ଅବସ୍ଥାକୁ ଆସିବାର ୪୫ ଦିନ ମଧ୍ୟରେ ପରିବହନ କରିବାକୁ ପଡ଼ିଥାଏ । କାରଣ ବେଶି ବିଳମ୍ବ ହେଲେ ଉତ୍ତମ-ରୂପେ ଇନ୍ସୁଲେଟେଡ୍ ଟ୍ୟାଙ୍କ ମଧ୍ୟ ଧୀରେ ଧୀରେ ଗରମ ହୋଇ ହିଲିୟମ୍ ଉତ୍ତପ୍ତ ହୁଏ । ଏହା ଦ୍ୱାରା ଚାପ ସୃଷ୍ଟି ହୁଏ ଏବଂ ଗ୍ୟାସରେ ରୂପାନ୍ତରିତ ହୋଇ କଣ୍ଟେନରରୁ ବାହାରି ବାୟୁମଣ୍ଡଳରେ ମିଶେ । କାତାରରେ ହିଲିୟମ୍ କଣ୍ଟେନର୍ ସମୁଦ୍ର ମାର୍ଗରେ କ୍ରେତାଙ୍କ ପାଖରେ ପହଞ୍ଚେ । କାତାର ରପ୍ତାନି କରୁଥିବା ଆପାତତଃ ସମସ୍ତ ହିଲିୟମ୍ ସାଧାରଣତଃ ହୋର୍ମୁଜ ମାର୍ଗ ଦେଇ ଦେଶରୁ ଯାଇଥାଏ । କାରଣ ଉପସାଗରରେ କାତାରର ଉତ୍ପାଦନ ହେଉଥିବାରୁ ରପ୍ତାନିର ଅନ୍ୟ କୌଣସି ଜଳମାର୍ଗ ନାହିଁ ।
କାତାରରେ କାହିଁକି ଅଟକିଛି ଉତ୍ପାଦନ?
ଏଲଏନଜି ଉତ୍ପାଦନ ସମୟରେ ହିଲିୟମ୍କୁ ଏକ ଉପ-ଉତ୍ପାଦ ରୂପେ ନିଷ୍କାସନ କରାଯାଏ । ତେଣୁ ଏଲଏନଜି ଉତ୍ପାଦନରେ ଯେକୌଣସି ପ୍ରକାର ବାଧକ ହିଲିୟମ୍ ଯୋଗାଣରେ ସିଧାସଳଖ ବାଧା ଉତ୍ପନ୍ନ କରେ । କାତାରର ଉର୍ଜ୍ଜା ପ୍ଲାଣ୍ଟ୍ ଉପରେ ଇରାନର ଆକ୍ରମଣ ଯୋଗୁ ଏଲଏନଜି ଉତ୍ପାଦନ ପ୍ରଭାବିତ ହୋଇଛି । କାତାର ସରକାରଙ୍କ ଦ୍ୱାରା ପରିଚାଳିତ ଉର୍ଜ୍ଜା କମ୍ପାନି କାତାରଏନର୍ଜି ଚଳିତ ମାସ ୨ ତାରିଖରେ ଘୋଷଣା କରିଥିଲା, ରାସ ଲାଫାନ ଓ ମେସଈଦରେ ସ୍ଥିତ ନିଜର ପରିଚାଳନା କେନ୍ଦ୍ରରେ ଇରାନର ଆକ୍ରମଣ ପରେ ଏଲଏନଜି ଉତ୍ପାଦନ ବନ୍ଦ ହୋଇଥିଲା । ଏହା ବିଶ୍ୱ ଯୋଗାଣର ହାରାହାରି ୨୦ ପ୍ରତିଶତ ଏଲଏନଜି ଉତ୍ପାଦନ କରେ । କିନ୍ତୁ ଏହି ଆକ୍ରମଣ କାତାରର ଏଲଏନଜି ରପ୍ତାନି ସାମର୍ଥ୍ୟକୁ ୧୭ ପ୍ରତିଶତ ନଷ୍ଟ କରିଛି, ଯାହା ଦ୍ୱାରା ଆଗାମି ୫ ବର୍ଷରେ ବାର୍ଷିକ ରାଜସ୍ୱରେ ପ୍ରାୟ ୨୦ ବିଲିଅନ ଡଲାର କ୍ଷତି ଆକଳନ କରାଯାଇଛି । ପ୍ଲାଣ୍ଟ ମରାମତି ଯୋଗୁ ୩-୫ ବର୍ଷ ଯାଏ ବର୍ଷକୁ ୧୨.୮ ନିୟୁତ ଟନ୍ ଏଲଏନଜି ଉତ୍ପାଦନ ହ୍ରାସ ପାଇବ । ଏଲଏନଜି ଉତ୍ପାଦନରେ ଏହି ହ୍ରାସ ଯୋଗୁ ତରଳ ହିଲିୟମ୍ ରପ୍ତାନି ୧୪ ପ୍ରତିଶତ କମିବ ବୋଲି କାତାରଏନର୍ଜି ଘୋଷଣା କରିଛି ।
କାତାର ହିଲିୟମ୍ ଉପରେ କିଏ ସର୍ବାଧିକ ନିର୍ଭରଶୀଳ?
ଦକ୍ଷିଣ କୋରିଆ, ଜାପାନ, ତାଇୱାନ ଓ ଚୀନ୍ କାତାରଠୁ ସର୍ବାଧିକ ହିଲିୟମ୍ ଆମଦାନି କରୁଥିବା ଦେଶ । ଦୀର୍ଘକାଳୀନ ଚୁକ୍ତି ଜରିଆରେ ଏହାର ରପ୍ତାନି ହୋଇଥାଏ । ତେଣୁ ଏହାର ମୂଲ୍ୟ ପରିବର୍ତ୍ତନ ତତ୍କାଳ ପ୍ରଭାବ ପକାଇ ନ ପାରେ । କିନ୍ତୁ କାତାରରୁ ରପ୍ତାନି ହ୍ରାସ ପାଇବା ଫଳରେ ଯୋଗାଣ ପ୍ରଭାବିତ ହୋଇଛି । ବିଶେଷଜ୍ଞଙ୍କ ଅନୁସାରେ, ୩୦ ଦିନ ହିଲିୟମ୍ ଯୋଗାଣ ବାଧିତ ହେଲେ, ଦୀର୍ଘକାଳୀନ ଯୋଗାଣ ଚୁକ୍ତି କରୁନଥିବା କ୍ରେତାଙ୍କ ପାଇଁ ଏହାର ମୂଲ୍ୟ ୧୦-୨୦% ବୃଦ୍ଧି ହୋଇପାରେ । ସେହିପରି ୬୦-୯୦ ଦିନ ବାଧାପ୍ରାପ୍ତ ହେଲେ ମୂଲ୍ୟ ୨୫-୫୦% ଯାଏ ବଢ଼ିପାରେ । ଇରାନ ଉପରେ ଆମେରିକା-ଇସ୍ରାଏଲର ଆକ୍ରମଣ ଯୋଗୁ ପ୍ରମୁଖ ସେମିକଣ୍ଡକ୍ଟର ଉତ୍ପାଦଗୁଡ଼ିକର ଯୋଗାଣ ବି ବାଧାପ୍ରାପ୍ତ ହୋଇପାରେ । ହିଲିୟମ୍ ଏହାର ଅନ୍ୟତମ ଉଦାହରଣ ।
କାହିଁକି ଗୁରୁତ୍ୱପୂର୍ଣ୍ଣ ହିଲିୟମ୍?
ହିଲିୟମ୍ ଭଳି ଅନ୍ୟ କୌଣସି ତତ୍ତ୍ୱର ତାପମାତ୍ରାକୁ କମ୍ କରାଯାଇ ପାରେନାହିଁ । ଏହାକୁ ଶୂନ୍ୟଠୁ କମ୍, ଅର୍ଥାତ୍ ସମ୍ଭବତଃ ସବୁଠୁ କମ୍ ତାପମାତ୍ରାକୁ ଅଣାଯାଇପାରେ । ଏହି ଗୁଣ ହାଇଟେକ୍ ଉଦ୍ୟୋଗରେ ବିଭିନ୍ନ ଉଦ୍ଦେଶ୍ୟ ପାଇଁ ହିଲିୟମକୁ ସ୍ୱତନ୍ତ୍ର କରେ । ଅତିରିକ୍ତ ନିମ୍ନ ତାପମାତ୍ରାରେ ଏହା ତରଳ ରୂପରେ ରହେ । ହିଲିୟମ୍ ଅନ୍ୟ ରସାୟନ ସହିତ ପ୍ରତିକ୍ରିୟା କରେ ନାହିଁ । ଶୀତଳ ତତ୍ତ୍ୱ ରୂପେ ଏହା ଉପଯୁକ୍ତ କାରଣ ଏହା ଯେଉଁ ଉପକରଣ ସଂସ୍ପର୍ଶରେ ଆସେ ତାକୁ ଦୂଷିତ କରେ ନାହିଁ ।
କେଉଁଥିରେ ହୁଏ ଉପଯୋଗ?
ତରଳ ହିଲିୟମ୍ ମ୍ୟାଗ୍ନେଟିକ୍ ରିଜୋନାନ୍ସ ଇମେଜିଂ (ଏମଆରଆଇ) ମେସିନ୍ ପରିଚାଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ । ଏମଆରଆଇ ମେସିନ୍ ସୁପରକଣ୍ଡକ୍ଟିଂ ଚୁମ୍ବକର ଉପଯୋଗ କରନ୍ତି, ଯାହା ଗରମ ହେବା ପରେ ଥଣ୍ଡା ହେବା ଆବଶ୍ୟକ । ହିଲିୟମ୍ ଶୀତଳୀକରଣ ମାନବ ଶରୀର ଭିତରର ସ୍ପଷ୍ଟ ଛବି ପ୍ରସ୍ତୁତି ନିମନ୍ତେ ଚୁମ୍ବକକୁ ଯଥେଷ୍ଟ ଚୁମ୍ବକୀୟ କ୍ଷେତ୍ର ଉତ୍ପନ୍ନ ଲାଗି ସାହାଯ୍ୟ କରେ । ଜର୍ମାନ ଇଞ୍ଜିନିୟରିଂ ଗ୍ରୁପ୍ ସିମେନ୍ସ ଅନୁସାରେ, ସୁପରକଣ୍ଡକ୍ଟିଂ ଚୁମ୍ବକର ଶୀତଳୀକରଣ ନିମନ୍ତେ ବିଶ୍ୱସ୍ତରରେ ଏକ ଚତୁର୍ଥାଂଶ ହିଲିୟମ୍ ବ୍ୟବହୃତ ହୁଏ । ଏହାର ଚାହିଦା ମଧ୍ୟ ଖୁବ୍ ବୃଦ୍ଧି ପାଉଛି । ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନରେ ହିଲିୟମ୍ ଆବଶ୍ୟକ । ସେମିକଣ୍ଡକ୍ଟର ସ୍ୱତନ୍ତ୍ର ସିଲିକନ୍ ଆଧାରିତ ଉପାଦାନ, ଯାହା ଚିପ୍ ପ୍ରସ୍ତୁତ କରେ ଏବଂ ସେହି ଚିପ୍ ପ୍ରାୟତଃ ସମସ୍ତ ଆଧୁନିକ ବୈଦ୍ୟୁତିକ ଉପକରଣ- ସ୍ମାର୍ଟଫୋନ୍ ଓ କାର୍ ଠୁ ଆରମ୍ଭ କରି ଡାଟା ସେଣ୍ଟର୍ ଓ ସାମରିକ ପ୍ରଣାଳୀକୁ ଶକ୍ତି ପ୍ରଦାନ କରେ ।
ଆହୁରି ପଢ଼ନ୍ତୁ...ବିଶ୍ୱର ସବୁଠୁ ବଡ଼ ଏଲ୍ଏନ୍ଜି ପ୍ଲାଣ୍ଟ୍ରେ ହମ୍ଲା, ମହଙ୍ଗା ହେବ ଟେକ୍ ଉତ୍ପାଦ
ନ ମିଳିଲେ କ’ଣ ହେବ?
ହିଲିୟମର କୌଣସି କୃତ୍ରିମ ବିକଳ୍ପ ନାହିଁ । ତେଣୁ ଏହି ସଙ୍କଟ ଟେକ୍ନୋଲୋଜି ବିକାଶରେ ବଡ଼ ବ୍ୟବଧାନ ସୃଷ୍ଟି କରିବ । କିନ୍ତୁ ଏହା ନୂଆ ବିପଦ ନୁହେଁ । ୨୦୦୬ ମସିହାଠୁ ଇରାନ ବିରୁଦ୍ଧରେ ଯୁଦ୍ଧ ଓ ହୋର୍ମୁଜ ମାର୍ଗ ବନ୍ଦ ହେବା ଫଳରେ ପଞ୍ଚମ ଥର ବିଶ୍ୱ ହିଲିୟମ୍ ସଙ୍କଟର ସମ୍ମୁଖୀନ ହୋଇଛି । ଚିକିତ୍ସା କ୍ଷେତ୍ର ଏହାର ମୁକାବିଲା ଲାଗି ଚେଷ୍ଟା କରୁଛି । ୨୦୦୨ରେ ଚୀନର ଅଧ୍ୟୟନକର୍ତ୍ତା ଘୋଷଣା କରିଥିଲେ, ସେମାନେ ଏକ ନୂଆ ଟେକ୍ନୋଲୋଜି ପ୍ରସ୍ତୁତ କରିଥିଲେ ଯାହା ହିଲିୟମ୍ ପରିବର୍ତ୍ତେ ଏକ ନୂଆ ଓ ଅତ୍ୟନ୍ତ ଥଣ୍ଡା ଉପାଦାନ ଜରିଆରେ ଏମ୍ଆର୍ଆଇ ସ୍କାନ୍ କରିପାରିବ । ତଥାପି ବର୍ତ୍ତମାନ ବିଶ୍ୱର ଆପାତତଃ ସବୁ ଏମ୍ଆର୍ଆଇ ମେସିନ୍ ତରଳ ହିଲିୟମ୍ ଉପରେ ନିର୍ଭରଶୀଳ ।