ନୂଆଦିଲ୍ଲୀ,୨୨/୦୫; ଚଳିତ ଆଇପିଏଲ ସିଜିନରେ ଚେନ୍ନାଇ ସୁପର କିଙ୍ଗସ ତାର ଶେଷ ଲିଗ ମ୍ୟାଚ ଖେଳି ସାରିଛି । ଗୁଜରାଟଠାରୁ ଶେଷ ମ୍ୟାଚ ହାରି ଗ୍ରୁପଷ୍ଚେଜରୁ ଏଲିମିନେଟ୍ ହୋଇଛି ୫ ଥରର ଚାମ୍ପିଅନ ଚେନ୍ନାଇ । ଲିଗ୍ ମ୍ୟାଚ୍ ସରିଗଲା କିନ୍ତୁ ଗୋଟିଏ ବି ମ୍ୟାଚ ଖେଳିଲେ ନାହିଁ ଧୋନି । ଦର୍ଶକଙ୍କ ଅପେକ୍ଷା ଅପେକ୍ଷାରେ ରହିଗଲା । ତେବେ ଧୋନି ଏବଂ ସିଏସକେକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ରିପୋର୍ଟରେ ଦାବି କରାଯାଉଛି କି ଚଳିତ ସିଜିନ ପରେ ସିଏସକେ ଫ୍ରାଞ୍ଚାଇଜ୍ ଛାଡିବେ ଧୋନି । ଚର୍ଚ୍ଚା ହେଉଥିଲା କି ଧୋନି ଚଳିତ ସିଜିନ ପରେ ଅବସର ନେବେ । ହେଲେ ଏହି ନୂଆ ଦାବି ଫ୍ୟାନ୍ସଙ୍କୁ ଦ୍ୱନ୍ଦରେ ପକାଇଛି ।
ନୂଆ ଦଳ ପାଇଁ ଖେଳିବେ କି ଧୋନି ? କ୍ରିକବ୍ଲଗରର ଏକ ରିପୋର୍ଟ ଅନୁଯାୟୀ, ଧୋନି ଆଗାମୀ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସର ଅଂଶ ନହେବାର ସମ୍ଭାବନା ରହିଛି । ଯଦିଓ ତାଙ୍କର ସମ୍ପୂର୍ଣ୍ଣ ଆଇପିଏଲ ଅବସର ସମ୍ପର୍କରେ କୌଣସି ଆନୁଷ୍ଠାନିକ ନିଶ୍ଚିତତା ହୋଇନାହିଁ, କୁହାଯାଉଛି ଯେ, ଯଦି ସେ ପରବର୍ତ୍ତୀ ସିଜିନରେ ଖେଳନ୍ତି, ତେବେ ଏହା ସମ୍ଭବତଃ ଏକ ଭିନ୍ନ ଫ୍ରାଞ୍ଚାଇଜ୍ ପାଇଁ ହେବ । ୨୦୨୬ ସିଜିନରେ ଧୋନିଙ୍କ ଅନୁପସ୍ଥିତି କେବଳ ଫିଟନେସ୍ ସମସ୍ୟା ନୁହେଁ ବୋଲି କୁହାଯାଉଛି । ସିଜିନ୍ ଆରମ୍ଭରେ କାଫ୍ ଆଘାତ ହୋଇଥିଲା, କିନ୍ତୁ ପରେ, ଦଳ ମିଶ୍ରଣ ଏବଂ ଫ୍ରାଞ୍ଚାଇଜର ଭବିଷ୍ୟତ ରଣନୀତି ମଧ୍ୟ ପ୍ରମୁଖ କାରଣ ପାଲଟିଥିଲା ।
ରିପୋର୍ଟରେ ଦାବି କରାଯାଇଛି ଯେ, ଚେନ୍ନାଇ ସୁପର କିଙ୍ଗ୍ସ ଏବେ ଯୁବ ଖେଳାଳିମାନଙ୍କୁ ନେଇ ଏକ ନୂତନ ଦଳ ଗଠନ କରିବା ସହିତ ଆଗକୁ ବଢ଼ିବାକୁ ଚାହୁଁଛି। ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ଦଳ ପରିଚାଳନା ଏବଂ ଧୋନିଙ୍କ ମଧ୍ୟରେ ମତଭେଦ ବଢ଼ିଛି । ଧୋନି ଖେଳାଳି ସ୍ଥାନାନ୍ତର ଏବଂ କିଛି ଦଳ-ସମ୍ବନ୍ଧୀୟ ନିଷ୍ପତ୍ତିରେ ବିଶେଷ ଭାବରେ ଅସନ୍ତୁଷ୍ଟ । କୁହାଯାଉଛି କି ଦଳ ପରିଚାଳନା ତାଙ୍କ ସହିତ ପରାମର୍ଶ ନକରି ଅନେକ ବଡ଼ ନିଷ୍ପତ୍ତି ନେଇଥିଲା, ଯାହା ଫଳରେ ଦୁଇ ପକ୍ଷ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ।
ଏହା ବି ପଢନ୍ତୁ...MS Dhoni: ଆଇପିଏଲ ଇତିହାସରେ ପ୍ରଥମ, ଭାଙ୍ଗିଲା ୧୮ ବର୍ଷର ପରମ୍ପରା…
୫ ଥର ଆଇପିଏଲ ଚାମ୍ପିଅନ CSK- ଏମଏସ ଧୋନି ୨୦୦୮ ମସିହାରୁ ଚେନ୍ନାଇ ସୁପର କିଙ୍ଗସ ସହିତ ଅଛନ୍ତି। ସେ କେବଳ ଦୁଇଟି ସିଜନ ପାଇଁ ଅନ୍ୟ ଏକ ଦଳ ପାଇଁ ଖେଳିଛନ୍ତି, ଯେତେବେଳେ ସିଏସକେ ଲିଗର ଅଂଶ ନଥିଲା । ଏମଏସ ଧୋନିଙ୍କ ଅଧିନାୟକତ୍ୱରେ, ଚେନ୍ନାଇ ସୁପର କିଙ୍ଗସ ୫ଥର ଆଇପିଏଲ ଟାଇଟଲ ଜିତିଛି। ସେ ଦଳକୁ ଦୁଇଟି ଚାମ୍ପିଅନ୍ସ ଲିଗ ଟି-୨୦ ଟାଇଟଲ ମଧ୍ୟ ଦେଇଥିଲେ । ତେଣୁ, ଯଦି ଧୋନି ଭବିଷ୍ୟତରେ ଅନ୍ୟ ଏକ ଆଇପିଏଲ ଦଳ ପାଇଁ ଖେଳୁଥିବାର ଦେଖାଯାଏ, ତେବେ ଏହା କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ହେବ ।