ମୁମ୍ୱାଇ : ନିଜର ବିବାଦୀୟ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଅଭିନେତା ମୁକେଶ ଖାନ୍ନା, ବର୍ତ୍ତମାନ ୬୭ ବର୍ଷ ବୟସରେ ମଧ୍ୟ ସେ କାହିଁକି ଅବିବାହିତ, ସେ ବିଷୟରେ ମୁହଁ ଖୋଲିଛନ୍ତି। ଏକ ପୋଡକାଷ୍ଟରେ ନିଜର ପ୍ରେମ, ରିଲେସନସିପ୍ ଏବଂ ବିବାହ ପ୍ଲାନିଂ ବିଷୟରେ ସେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। ମୁକେଶ ଖାନ୍ନା କହିଛନ୍ତି ଯେ, ଯେଉଁଦିନ ତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସଠିକ୍ ମହିଳାଙ୍କ ସହ ତାଙ୍କର ଭେଟ ହେବ, ସେହିଦିନ ହିଁ ସେ ବିବାହ କରିବେ।

'ଦ ଫିଲ୍ମି ଚର୍ଚ୍ଚା' ପୋଡକାଷ୍ଟରେ ନିଜର ସିଙ୍ଗଲ୍ ଷ୍ଟାଟସକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ସେ କହିଛନ୍ତି, "ବିବାହ ହେଲେ ପ୍ରତିବଦ୍ଧତା ରହିବା ଦରକାର। ଲୋକେ କୁହନ୍ତି ସ୍ତ୍ରୀ ସ୍ୱାମୀ ପ୍ରତି ସମର୍ପିତ ହେବା ଉଚିତ୍, କିନ୍ତୁ ପୁରୁଷଟି ନିଜ ସ୍ତ୍ରୀ ପ୍ରତି ସମର୍ପିତ ହେବା କଥା କେହି କୁହନ୍ତି ନାହିଁ। ମୁଁ ବିଶ୍ୱାସ କରେ ବିବାହ ହେଉଛି ଦୁଇଟି ଆତ୍ମାର ମିଳନ। କିନ୍ତୁ ଆଜିକାଲି ଲୋକେ ଏହାକୁ ବିଶ୍ୱାସ କରୁ ନାହାନ୍ତି। ସେମାନେ ନିଜ ସ୍ତ୍ରୀକୁ ଭଲ ପାଉଥିବା କହିବା ସହ ବାହାରେ ଅନ୍ୟ ସମ୍ପର୍କ ରଖୁଛନ୍ତି, ଯାହାକି ଏକ ପ୍ରକାରର ପ୍ରତାରଣା।"

"ମୁଁ ଅନ୍ୟମାନଙ୍କ ଅପେକ୍ଷା ବିବାହ ବନ୍ଧନକୁ ଅଧିକ ବିଶ୍ୱାସ କରେ। ଲୋକେ ଭାବନ୍ତି ମୁଁ ବାହା ହୋଇ ନାହିଁ ମାନେ ମୋର ବିବାହ ଉପରେ ବିଶ୍ୱାସ ନାହିଁ, କିନ୍ତୁ ଏହା ସତ ନୁହେଁ। ସ୍ତ୍ରୀ କେଉଁଠୁ ହଠାତ୍ ଆସିଯାଏ ନାହିଁ, ସେ ଆପଣଙ୍କ ଭାଗ୍ୟରେ ଲେଖା ହୋଇଥାଏ। ଯଦି ମୋ ଭାଗ୍ୟରେ ଥାଆନ୍ତା, ତେବେ ଏହା ଏବେ ସୁଦ୍ଧା ହୋଇ ସାରନ୍ତାଣି। ମୁଁ ଯାହାକୁ ବିବାହ କରିବାକୁ ଚାହୁଁଛି ସେ ନିଶ୍ଚୟ କେଉଁଠି ନା କେଉଁଠି ଅଛନ୍ତି। ଯେତେବେଳେ ଭାଗ୍ୟ ଆମକୁ ଏକାଠି କରିବ, ସେତେବେଳେ ବିବାହ ହେବ।"

ପ୍ରେମ ବିଷୟରେ ନିଜର ଚିନ୍ତାଧାରା ରଖି ସେ କହିଛନ୍ତି ଯେ, ପ୍ରେମ ଜୀବନରେ କେବଳ ଥରୁଟିଏ ହୁଏ। ବାକି ସବୁ କେବଳ ଆକର୍ଷଣ ଏବଂ ଶାରୀରିକ ବାସନା। ଯଦି ଆପଣ ଜଣଙ୍କୁ 'I love you' କହି ଅନ୍ୟ ଜଣଙ୍କ ପାଖକୁ ଚାଲି ଯାଉଛନ୍ତି, ତେବେ ଆପଣ ତାଙ୍କୁ ଠକୁଛନ୍ତି।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ସମୟ ରାଇନାଙ୍କ 'Still Alive' ଶୋ'କୁ ନେଇ ମୁକେଶ ଖାନ୍ନା ଚର୍ଚ୍ଚାରେ ଥିଲେ। ସମୟ ନିଜ ଶୋ'ରେ ମୁକେଶଙ୍କୁ ରୋଷ୍ଟ୍ କରିଥିଲେ, ଯାହାର ପ୍ରତିକ୍ରିୟାରେ ମୁକେଶ ଖାନ୍ନା କଟାକ୍ଷ କରି କହିଥିଲେ ଯେ, କୁକୁର ଲାଙ୍ଗୁଡ଼ ସବୁବେଳେ ବଙ୍କା।

ଆହୁରି ମଧ୍ୟ ପଢନ୍ତୁ : ‘କାନ୍ତାରା’ ଷ୍ଟାର୍‌ ରିଷଭଙ୍କୁ ଭେଟିଲେ ଅମିତ ଶାହ : ସଂସ୍କୃତି ଓ ସିନେମାକୁ ନେଇ ଜମିଲା ଆଲୋଚନା