ଭୁବନେଶ୍ୱର, ୨୮/୧୦ : ମଙ୍ଗଳବାର ଜାତୀୟ ସ୍ତରରେ ଲଞ୍ଚ ହେବ ଆୟୁଷ୍ମାନ ଯୋଜନାର ପାର୍ଟ-୨। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ। ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆୟୁଷ୍ମାନ ଯୋଜନା ପାର୍ଟ ୧ ଓ ୨ ଓଡିଶାରେ ଲାଗୁ କରିବା ପାଇଁ ଆମେ ପ୍ରସ୍ତୁତି ଚଳାଇଛୁ। ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ସରିଛି ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି । ଏହି ଆର୍ଥକ ବର୍ଷ ଶେଷ ସୁଦ୍ଧା କାର୍ଡ ଇସ୍ୟୁ କରିବା ସହ ଯୋଜନାର ଶୁଭାରମ୍ଭ କରାଯିବ।
ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଗୋଟିଏ କାର୍ଡ ହେବ। ରାଜ୍ୟରେ ଏକ କୋଟି ପରିବାର ପାଇଁ ଏହି ନୂଆ କାର୍ଡର ବ୍ୟବସ୍ଥା କରାଯିବ । ନୂଆ କାର୍ଡ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦିଆଯିବ । ପୁରୁଣା କାର୍ଡରେ ପୂର୍ବରୁ ୯୫୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିଲା। ବର୍ତ୍ତମାନ ନୂଆ କାର୍ଡ ଲଞ୍ଚ ହେବା ପରେ ୨୭ ହଜାର ହସ୍ପିଟାଲରେ ଲୋକଙ୍କୁ ଚିକିତ୍ସା ସୁବିଧା ମିଳିବ।