ଥିରୁଅନନ୍ତପୁରମ୍, ୩୦।୩: ପ୍ରାଚୀନ କାଳରୁ କେରଳକୁ ଭାରତର ପ୍ରବେଶ ଦ୍ୱାର ବୋଲି କୁହାଯାଏ । କେବଳ ବାଣିଜ୍ୟ ବ୍ୟବସାୟ ନୁହେଁ, ବରଂ ବିଶ୍ୱର ଅନେକ ପ୍ରମୁଖ ଧର୍ମ ମଧ୍ୟ ଏହି ସମୁଦ୍ର ପଥ ଦେଇ ଭାରତ ମାଟିରେ ପାଦ ରଖିଥିଲେ । ଆଜି ବି କେରଳରେ ଭାରତର ସବୁଠାରୁ ପୁରାତନ ଚର୍ଚ୍ଚ, ମସଜିଦ୍ ଏବଂ ୟିହୁଦୀ ପ୍ରାର୍ଥନାସ୍ଥଳୀ ଦେଖିବାକୁ ମିଳେ । କିନ୍ତୁ କାହିଁକି କେରଳକୁ ହିଁ ବାଛିଥିଲେ ବିଦେଶୀ ଧର୍ମ ପ୍ରଚାରକ ଓ ବ୍ୟବସାୟୀ ? ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ଗୋଲମରିଚ ପାଇଁ ଛୁଟି ଆସୁଥିଲେ ବିଦେଶୀ:
ପ୍ରାଚୀନ କାଳରେ କେରଳର କାଳିମରିଚ ଅର୍ଥାତ୍ ଗୋଲମରିଚ ସୁନା ଭଳି ମୂଲ୍ୟବାନ ଥିଲା । ଏହି 'କଳା ସୁନା' ପାଇଁ ଆରବ, ମିଶର ଏବଂ ରୋମର ବ୍ୟବସାୟୀମାନେ ସମୁଦ୍ର ପଥରେ କେରଳ ତଟକୁ ଆସୁଥିଲେ । ବିଶେଷ କରି କେରଳର ମୁଜିରିସ୍ ବନ୍ଦର ଦୁନିଆର ସବୁଠାରୁ ବ୍ୟସ୍ତ ବହୁଳ ବାଣିଜ୍ୟ କେନ୍ଦ୍ର ଥିଲା । ବ୍ୟବସାୟୀମାନେ ମୌସୁମୀ ବାୟୁର ଗତି ବଦଳିବା ପର୍ଯ୍ୟନ୍ତ ଏଠାରେ ମାସ ମାସ ଧରି ରହୁଥିଲେ, ଯାହା ଫଳରେ ସେମାନଙ୍କ ସହିତ ସେମାନଙ୍କର ଧର୍ମ ଓ ସଂସ୍କୃତି ମଧ୍ୟ ଏଠାରେ ପ୍ରସାରିତ ହୋଇଥିଲା ।
ଏହା ବି ପଢ଼ନ୍ତୁ... ବିଟ୍ଟୁଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଭୁରି ଭୁରି ପ୍ରଶଂସା; କହିଲେ ଭ୍ୟୁ ପାଇଁ ହେଉ କି ଲାଇକ୍ ପାଇଁ, ନଦୀ ତ ସଫା ହେଲା
ଭାରତର ପ୍ରଥମ ଚର୍ଚ୍ଚ ଓ ମସଜିଦ୍:
ଖ୍ରୀଷ୍ଟଧର୍ମ: କୁହାଯାଏ ଯେ ୫୨ ଖ୍ରୀଷ୍ଟାବ୍ଦରେ ଯୀଶୁ ଖ୍ରୀଷ୍ଟଙ୍କ ଶିଷ୍ୟ ସେଣ୍ଟ ଥୋମାସ୍ କେରଳ ତଟରେ ଓହ୍ଲାଇଥିଲେ । ସେ ପାରଭୁରଠାରେ ଭାରତର ସବୁଠାରୁ ପୁରାତନ ଗିର୍ଜା 'କୋଟ୍ଟାକ୍କାଭୁ ମାର ଥୋମା' ସ୍ଥାପନ କରିଥିଲେ ।
ଇସଲାମ ଧର୍ମ: ଆରବ ବ୍ୟବସାୟୀଙ୍କ ଜରିଆରେ ଇସଲାମ ଭାରତରେ ପ୍ରବେଶ କରିଥିଲା । ୬୨୯ ଖ୍ରୀଷ୍ଟାବ୍ଦରେ କେରଳରେ ଚେରାମନ ଜୁମା ମସଜିଦ୍ ନିର୍ମିତ ହୋଇଥିଲା, ଯାହା ଭାରତର ପ୍ରଥମ ମସଜିଦ୍ ଭାବେ ଜଣାଶୁଣା । ଏପରିକି ସ୍ଥାନୀୟ ରାଜା ଚେରାମନ ପେରୁମାଲ ଇସଲାମ ଧର୍ମ ଗ୍ରହଣ କରି ଆରବ ଯାତ୍ରା କରିଥିବା ମଧ୍ୟ କୁହାଯାଏ ।
ୟିହୁଦୀ ଧର୍ମ: ପ୍ରଥମ ଶତାବ୍ଦୀରେ ରୋମୀୟମାନେ ଯେତେବେଳେ ଜେରୁଜେଲମର ପବିତ୍ର ମନ୍ଦିର ଧ୍ୱଂସ କରିଥିଲେ, ସେତେବେଳେ ପ୍ରାୟ ୧୦ ହଜାର ୟହୁଦୀ କେରଳକୁ ଆସିଥିଲେ । କୋଚିର ମଟ୍ଟନଚେରୀରେ ଥିବା 'ପରଦେଶୀ ପ୍ରାର୍ଥନାସ୍ଥଳୀ' ଏହାର ଜ୍ୱଳନ୍ତ ଉଦାହରଣ ।
ସାମ୍ପ୍ରଦାୟିକ ସଦଭାବନାର ପ୍ରତୀକ:
କେରଳର ଏହି ଇତିହାସ ପ୍ରମାଣ କରେ ଯେ, ଭାରତ ସବୁବେଳେ ବିବିଧତାକୁ ଗ୍ରହଣ କରିବାରେ ଆଗୁଆ ରହିଛି । ସେଠାକାର ହିନ୍ଦୁ ଶାସକମାନେ ବିଦେଶରୁ ଆସିଥିବା ଏହି ବିଭିନ୍ନ ଧର୍ମର ଲୋକଙ୍କୁ ସ୍ୱାଗତ କରିବା ସହ ସେମାନଙ୍କୁ ବସତି ସ୍ଥାପନ ଓ ଉପାସନା ପାଇଁ ଜମି ମଧ୍ୟ ଦାନ କରିଥିଲେ । ଆଜି ବି କେରଳର ଏହି ମିଶ୍ରିତ ସଂସ୍କୃତି ସମଗ୍ର ଭାରତ ପାଇଁ ଏକ ଅନନ୍ୟ ଉଦାହରଣ ।