ଭୋପାଳ, ୩୦।୩: ସୋସିଆଲ ମିଡିଆରେ ଭ୍ୟୁ ଏବଂ ଲାଇକ୍ସ ପାଇଁ ଲୋକେ କ’ଣ କ’ଣ ନକରନ୍ତି ! କିନ୍ତୁ, ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲା ବ୍ୟାବରା ସହରର ଜଣେ ଯୁବକ ଏମିତି କିଛି କରି ଦେଖାଇଛନ୍ତି, ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଯୁବକ ଜଣକ ହେଉଛନ୍ତି 'ବିଟ୍ଟୁ ତବାହି', ଯିଏ ନିଜ ସହରର ଅଜନାର ନଦୀକୁ ସଫା କରି ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ହୃଦୟ ଜିତି ପାରିଛନ୍ତି । ବ୍ୟାବରା ସହର ଦେଇ ବହିଯାଉଥିବା ଅଜନାର ନଦୀ ଏକଦା ଅତ୍ୟନ୍ତ ଅପରିଷ୍କାର ହୋଇ ପଡ଼ିଥିଲା । ପ୍ରଶାସନ ବା ସ୍ଥାନୀୟ ଲୋକ କେହି ଏଥିପ୍ରତି ଧ୍ୟାନ ଦେଉନଥିଲେ । ମାତ୍ର ୨୦ ବର୍ଷୀୟ ବିଟ୍ଟୁ ଏହି ନଦୀର ସଫେଇ ପାଇଁ ଅଣ୍ଟା ଭିଡ଼ିଥିଲେ । ସେ କେବଳ ସୋସିଆଲ ମିଡିଆରେ ସ୍ୱର ଉତ୍ତୋଳନ କରିନଥିଲେ, ବରଂ ନିଜେ ନଦୀ ଗର୍ଭକୁ ଓହ୍ଲାଇ ଅଳିଆ ଆବର୍ଜନା ସଫା କରିବା ଆରମ୍ଭ କରିଥିଲେ । ପରେ ଏହା ଏକ ଜନ ଆନ୍ଦୋଳନର ରୂପ ନେଇଥିଲା ଏବଂ ନଦୀର ଘାଟଗୁଡ଼ିକ ସଫା ହେବା ସହ ସେଠାରେ ଡଷ୍ଟବିନ୍ ମଧ୍ୟ ରଖାଯାଇଛି ।
ଏହା ବି ପଢ଼ନ୍ତୁ... ୨୦୨୭ ଜନଗଣନାରେ ଲିଭ୍ ଇନ୍ କପଲ ହୋଇଯିବେ ପତି-ପତ୍ନୀ, ଆପତ୍ତିଜନକ ପ୍ରଶ୍ନ ପଚାରିଲେ ଦଣ୍ଡିତ ହେବେ ଅଧିକାରୀ
ଭ୍ୟୁ ପାଇଁ ନା ସମାଜସେବା ?
ବିଟ୍ଟୁ ଏହି ସଫେଇ କାର୍ଯ୍ୟର ଏକ "Before vs After" ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ତାଙ୍କୁ ସମାଲୋଚନା କରିଥିଲେ । ସମାଲୋଚକଙ୍କ କହିବା କଥା ଥିଲା ଯେ, ବିଟ୍ଟୁ କେବଳ ଫେସବୁକ୍ ଲାଇକ୍ସ ଏବଂ ଭ୍ୟୁ ପାଇଁ ଏହି ନାଟକ କରୁଛନ୍ତି । ସୂଚନାଯୋଗ୍ୟ ଯେ, ସୋସିଆଲ ମିଡିଆରେ ତାଙ୍କର ଲକ୍ଷାଧିକ ଫଲୋଅର୍ସ ଅଛନ୍ତି । ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା । ସେ ବିଟ୍ଟୁଙ୍କ ଭିଡିଓକୁ ନିଜ ଏକ୍ସ ଆକାଉଣ୍ଟରେ ଶେୟାର କରି ଲେଖିଛନ୍ତି, "ଆମେ ସବୁବେଳେ ଅଭିଯୋଗ କରୁ ଯେ, ସୋସିଆଲ ମିଡିଆରେ ଭଲ କାମ ଅପେକ୍ଷା ଫାଲତୁ ଜିନିଷକୁ ଅଧିକ ଗୁରୁତ୍ୱ ମିଳେ । ଯଦି ଲାଇକ୍ସ ପାଇବାର ଇଚ୍ଛା କୌଣସି ଭଲ କାମର କାରଣ ସାଜୁଛି, ତେବେ ଏଥିରେ ମୋର କୌଣସି ଅସୁବିଧା ନାହିଁ । ଲୋକେ ଯାହା କହିଲେ ବି ନଦୀ ତ ସଫା ହୋଇଛି ! ବ୍ୟାବରାର ବିଟ୍ଟୁ ତବାହି ଆଜି ମୋ ପାଇଁ 'ମଣ୍ଡେ ମୋଟିଭେସନ' ।"