ନୂଆଦିଲ୍ଲୀ,୩୦।୧୦: ଦେଶର ପ୍ରମୁଖ ପରମାଣୁ କେନ୍ଦ୍ର ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରରୁ ଗିରଫ ହୋଇଛି ନକଲି ବୈଜ୍ଞାନିକ। ଗିରଫ ଅଭିଯୁକ୍ତ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇର ଏଜେଣ୍ଟ ବୋଲି କୁହାଯାଉଛି। ମୁମ୍ବାଇ ପୁଲିସର କହିବା ଅନୁସାରେ, ନକଲି ବୈଜ୍ଞାନିକ ଅଖତର କୁତୁବୁଦ୍ଧିନ୍ ହୁସେନି ନିକଟରୁ ସନ୍ଦେହାସ୍ପଦ ପରମାଣୁ ଡାଟା ମିଳିଛି। ଏହାଛଡା ୧୪ଟି ନକ୍ସା ତା ପାଖରୁ ଜବତ କରାଯାଇଛି।ଏହି ନକ୍ସା ପରମାଣୁ କେନ୍ଦ୍ର ଏବଂ ଆଖପାଖର ବୋଲି କୁହାଯାଉଛି। ପୋଲିସ ବର୍ତ୍ତମାନ ମାମଲାର ଯାଞ୍ଚ କରୁଛି। ଜବତ ହୋଇଥିବା ଦସ୍ତାବିଜର ବ୍ୟବହାର ହୋଇଛି କି ନାହିଁ ତାହାର ତଦନ୍ତ ଚାଲିଛି। ଏହାଛଡା ଜାଣିବାକୁ ଚେଷ୍ଟା କରାଯାଉଛି ତା ପାଖରେ କେତେ ସମ୍ବେଦନଶୀଳ ଜିନିଷ ରହିଛି ତାକୁ ମଧ୍ୟ ତଦନ୍ତ କରାଯାଉଛି।  

ଅଖତର କୁତୁବୁଦ୍ଧିନ୍ ଅନସାରୀକୁ ଭର୍ସୋବାରୁ ଗତ ସପ୍ତାହରେ ଗିରଫ କରାଯାଇଛି। ସେ ନିଜକୁ ବୈଜ୍ଞାନିକ ବୋଲି କହିଥିଲା। ଏହା ସହ ନିଜର ନାଁ ମଧ୍ୟ ମିଛ କହିଥିଲା। ତା ପାଖରୁ ନକଲି ପାସପୋର୍ଟ, ଆଧାର କାର୍ଡ, ପାନ୍ କାର୍ଡ ମିଳିଛି। ତା ସହ ଭାବା ରିସର୍ଚ୍ଚ ସେଣ୍ଟରର ବହୁ ନକଲି ଆଇଡି ମିଳିଛି। କୁହାଯାଉଛି ଯେ ନକଲି ଦସ୍ତାବିଜ ସାହାରାରେ ସେ ହୁଏତ ଏଣ୍ଟ୍ରି କରୁଥିଲା। ଗୋଟିଏ ଆଇଡି କାର୍ଡରେ ସେ ନିଜ ନାଁ ଅଲ୍ଲୀ ରାଜା ହୁସେନ ରଖିଥିଲା। ଏହାଛଡା ଅନ୍ୟ ଆଇଡିରେ ତା’ ନାଁ ଆଲେକଜାଣ୍ଡର ପାଲମର ରହିଛି। ବର୍ତ୍ତମାନ ହୁସେନିର କଲ୍ ରେକର୍ଡର ଯାଞ୍ଚ କରାଯାଇଛି।  

ପୁଲିସକୁ ସନ୍ଦେହ ରହିଛି ତା’ର ବିଦେଶୀ ନେଟଓ୍ବର୍କ ସହ ଯୋଗାଯୋଗ ରହିଥିଲା। ତାହା ପରମାଣୁ ଡାଟା ସମ୍ପର୍କିତ ହୋଇପାରେ। ଏହି ସମ୍ବେଦନଶୀଳ ଡାଟାକୁ ସେ ବିକ୍ରି କରିଥାଇପାରେ  ବୋଲି ଆଶଙ୍କା କରାଯାଉଛି।୨୦୦୪ ରେ ତାକୁ ଦୁବାଇରୁ ଏଥିପାଇଁ ପଠାଯାଇଥିଲା, କାରଣ ସେ ନିଜକୁ ’ଗୋପନୀୟ ଦସ୍ତାବିଜ ରଖିଥିବା ବୈଜ୍ଞାନିକ’ କହି ଅଧିକାରୀଙ୍କୁ ଭୂଆଁ ବୁଲାଉଥିଲା। ଏହାପରେ ସେ ନକଲି ପାସପୋର୍ଟ ତିଆରି କରି ଦୁବାଇ, ତେହରାନ ଓ ବହୁ ଦେଶ ଯାତ୍ରା କରିଥିଲା। ତା’ର ପ୍ରତିଟି ଯାତ୍ରା ଓ ସମ୍ପର୍କିତ ଯାଞ୍ଚ କରାଯାଉଛି। ଅଖତର ହୁସେନ ନାଁରେ ମୀରଠରେ ୟୁପି ସରକାରଙ୍କ ବିରୋଧରେ ଦଙ୍ଗା ଓ ଉତ୍ତେଜନା ସୃଷ୍ଟି କରିବା ନେଇ ମାମଲା ରୁଜୁ କରାଯାଇଥିଲା।

ଜାମସେଦପୁରର ବାସିନ୍ଦା ହୁସେନି ୧୯୯୬ ମସିହାରେ ତା’ର ପୈତୃକ ସମ୍ପତ୍ତି ବିକ୍ରି କରିଥିଲା କିନ୍ତୁ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ସେହି ଠିକଣାରେ ଜାଲ କାଗଜପତ୍ର ହାସଲ କରି ଚାଲିଥିଲା। ତା’ର ଭାଇ ଆଦିଲ ତାକୁ ଝାଡ଼ଖଣ୍ଡର ମୁନ୍ନାଜିଲ ଖାନଙ୍କ ସହ ପରିଚୟ କରାଇଥିଲା, ଯିଏ ଦୁଇଟି ନକଲି ପାସପୋର୍ଟ ପ୍ରସ୍ତୁତ କରିଥିଲା। ଗୋଟିଏ ହୁସେନି ମହମ୍ମଦ ଆଦିଲ ନାମରେ ଏବଂ ଅନ୍ୟଟି ନସିମୁଦ୍ଦିନ ସୟଦ ଆଦିଲ ହୁସେନି ନାମରେ। ଉଭୟରେ ଜାମସେଦପୁର ଘରର ଠିକଣା ଥିଲା, ଯାହାକୁ ହୁସେନି ପରିବାର ପ୍ରାୟ ୩୦ ବର୍ଷ ପୂର୍ବେ ବିକ୍ରି କରିଥିଲେ। ଦିଲ୍ଲୀ ପୋଲିସ  ଆଦିଲ ହୁସେନିକୁ ଗିରଫ କରିଥିଲା। ପଚରାଉଚରା ସମୟରେ ଅଖତାର ତାଙ୍କ ଭାଇର ମୃତ୍ୟୁ ହୋଇଥିବା ଦାବି କରି ପୋଲିସକୁ ବିଭ୍ରାନ୍ତ କରିଥିଲା। ମୁନ୍ନାଜିଲ ଖାନର ଭାଇ ଇଲିଆସ ଖାନ ମଧ୍ୟ ଏହି ନେଟୱାର୍କରେ ସାମିଲ ଥିଲା। ଏବେ ସେ  ଫେରାର ଅଛି। ଇଲିଆସ ବିରୋଧରେ ହୁସେନିକୁ ନକଲି ଶିକ୍ଷାଗତ ପ୍ରମାଣପତ୍ର ଏବଂ କଲେଜ ଡିଗ୍ରୀ ଯୋଗାଇବାର ଅଭିଯୋଗ ରହିଛି।