ନୂଆଦିଲ୍ଲୀ: ଗତ ବୁଧବାର ମୁମ୍ବାଇର ଇଣ୍ଡିଆ ଗେଟୱେ ନିକଟରେ ଘଟିଥିବା ଡଙ୍ଗାବୁଡି ଦୁର୍ଘଟଣାରେ ୧୫ ଜଣ ପ୍ରାଣ ହରାଇଛନ୍ତି। ଆଧିକାରୀକ ଭାବେ ମିଳିଥିବା ସୂଚନା ଅନୁସାରେ ଚାଲିଥିବା ସର୍ଚ୍ଚ ଅପରେସନରେ ଗତ ଶନିବାର ଦିନ ସାତ ବର୍ଷର ଜୋହାନ ପଠାନଙ୍କ ମୃତଦେହ ମିଳିଥିଲା। ଏହି ଦୁର୍ଘଟଣାରେ ଜୋହାନଙ୍କ ମା ସାକିନା ପଠାନ ମଧ୍ୟ ପ୍ରାଣ ହରାଇଛନ୍ତି। ମୁମ୍ବାଇର ଏହି ଡଙ୍ଗା ବୁଡି ଘଟଣା ଅନେକ ପରିବାରକୁ ଉଜାଡି ଦେଇଛି।
ଏହି ଦୁର୍ଘଟଣା ପରେ ଅନେକ ଲୋକ ସମୁଦ୍ରରେ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଥିଲେ। ଏହି ସମୟରେ ମୁମ୍ବାଇ ପୋର୍ଟ ଟ୍ରଷ୍ଟର ଜଣେ ବୋଟ୍ ଚାଳକ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ପୁରଭା ନାମକ ବୋଟ୍ ରେ ଆସିଫ ବାମନେ ଦୁର୍ଘଟଣାର ସ୍ଥଳରେ ପହଞ୍ଚି ଥିଲେ। ସେ ଦୁର୍ଘଟଣା ଘଟିବାର ୩୦ ମିନିଟ ମଧ୍ୟରେ ସେ ୩୦ ଜଣଙ୍କ ଜୀବନ ରକ୍ଷା କରିଥିଲେ। ଯେଉଁଥିପାଇଁ ତାଙ୍କୁ ଏହି ଘଟଣାର ପ୍ରକୃତ ସୁପର ହିରୋ ବୋଲି କୁହାଯାଉଛି।
ସୂଚନା ମୁତାବକ, ନୀଲକମଲ ନାମକ ଏକ ଯାତ୍ରୀବାହି ନୈକା ଗେଟ ଓ୍ବେ ଅଫ ଇଣ୍ଡିଆ ନିକଟରୁ ଯାତ୍ରୀ ମାନଙ୍କୁ ନେଇ ଏଲିଫ୍ୟାଣ୍ଟ ଆଇଲ୍ୟାଣ୍ଡକୁ ବୁଲିବାକୁ ଯାଉଥିଲା। ମୁମ୍ବାଇରେ ଥିବା ଦର୍ଶନୀୟ ସ୍ଥାନ ମାନଙ୍କ ଭିତରେ ଏଲିଫ୍ୟାଣ୍ଟ ଆଇଲ୍ୟାଣ୍ଡ ଅନ୍ୟତମ। ଏଲିଫ୍ୟାଣ୍ଟ ଆଇଲ୍ୟାଣ୍ଡକୁ ଯିବା ସମୟରେ ନୈସେନାର ଏକ ସ୍ପିଡ଼ବୋଟ୍ ନିୟନ୍ତ୍ରଣ ହରାଇ ଏହି ନୈକାରେ ମାଡ ହୋଇଥିଲା। ଏହି ଘଟଣା ଘଟିବା ପରେ ନୈସେନା ଏକ ବିବୃତ୍ତି ଜାରି କରିଥିଲା। ନୈସେନାର ଏକ ସ୍ପିଡ଼ବୋଟ ପ୍ରାୟ ସନ୍ଧ୍ୟା ଚାରିଟା ବେଳେ ନିଜ ଇଞ୍ଜିନର ଟ୍ରାଏଲ ରନିଙ୍ଗ କରୁଥିଲା। ସେତେବେଳେ ଇଞ୍ଜିନ ଫେଲ ହବା ଯୋଗୁଁ ସ୍ପିଡ଼ବୋଟଟି ନିୟନ୍ତ୍ରଣ ହରାଇ ଉକ୍ତ ଯାତ୍ରୀବାହି ଜାହାଜକୁ ମାଡ ଦେଇଥିଲା ବୋଲି ଏହି ବିବୃତ୍ତିରେ କୁହାଯାଇଥିଲା।
ପରସ୍ପରକୁ ଧକ୍କାଦେବା ପରେ ଉଭୟ ବୋଟରୁ ପାଖାପାଖି ୧୦୦ରୁ ଅଧିକ ଲୋକ ସମୁଦ୍ରରେ ପଡିଯାଇଥିଲେ। ନୈସେନା ଓ କୋଷ୍ଟ ଗାର୍ଡ଼ର ଯାହାଜ ଘଟଣାସ୍ଥଲରେ ପହଞ୍ଚିବାକୁ ସମୟ ଲାଗିଥିଲା। ଏହି ସମୟ ମଧ୍ୟରେ ଆରିଫ ବାମନେ ନାମକ ବୋଟ ଚାଳକ ନିଜ ବୋଟ ଯୋଗେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।
ମୁମ୍ବାଇ ପୋର୍ଟଟ୍ରଷ୍ଟର ବୋଟ୍ ପୁରଭାର ଡ୍ରାଇଭର ଆରିଫ ଏବଂ ତାଙ୍କ ଟିମ୍ ଜବାହାର ଦ୍ବୀପରୁ ମୁମ୍ବାଇ ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଥିଲେ। ସେମାନଙ୍କୁ ତୁରନ୍ତ ଦୁର୍ଘଟଣା ସ୍ଥଳ ନିକଟରେ ପହଞ୍ଚିବାକୁ କୁହାଯାଇଥିଲା। ଆରିଫଙ୍କ ଡଙ୍ଗାରେ କେବଳ ଚାରି ଜଣ ଥିଲେ କିନ୍ତୁ ସେମାନେ ଯଥାସମ୍ଭବ ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ।
ଆରିଫ ଘଟଣାସ୍ଥଳରେ ପହଞ୍ଚିବା ପରେ କୋଷ୍ଟ ଗାର୍ଡ କିମ୍ବା ନୈସେନାର କୈଣସି ସାହାଯ୍ୟ ଘଟଣାସ୍ଥଳରେ ପହଞ୍ଚି ନଥିଲା। ଏଭଳି ପରିସ୍ଥିତିରେ ସେ ନିଜ ଜୀବନକୁ ବିପଦରେ ପକାଇ ନିଜ ବୋଟ୍ ରୁ ଯଥାସମ୍ଭବ ଲୋକଙ୍କୁ ଲାଇଫ୍ ଜ୍ୟାକେଟ୍ ଦେଇଥିଲେ।
ଯେଉଁମାନଙ୍କ ଜୀବନ ଆରିଫ ବଞ୍ଚାଇଥିଲେ ସେମାନଙ୍କ ମଧ୍ୟରୁ ଜଣେ ତିନି ବର୍ଷର ଝିଅ ରହିଥିଲା | ଯେତେବେଳେ ଆରିଫ ଝିଅଟିକୁ ପାଣି ଭିତରୁ କାଢିଆଣି ତାଙ୍କ ଡଙ୍ଗାରେ ରଖିଥିଲେ ସେତେବେଳେ ଝିଅଟି ନିଶ୍ୱାସ ନେଉନଥିଲା। ଏଭଳି ପରିସ୍ଥିତିରେ ଆରିଫ ଝିଅଟିକୁ ପେଟପଟେ ଶୋଇଦେଇ ପାଟିରୁ ପାଣି ବାହାର କରିଥିଲେ। ଶେଷରେ ଝିଅଟି ପୁଣି ନିଶ୍ବାସ ନେବା ଆରମ୍ଭ କରିଥିଲା।
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆରିଫ କହିଛନ୍ତି ତାଙ୍କର ୧୮ ବର୍ଷର ବୋଟିଂ କ୍ୟାରିୟରରେ ସେ ଏତେ ବଡ଼ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ଅପରେସନ୍ କେବେ ଦେଖି ନଥିଲେ। ସେ କହିଛନ୍ତି ଯେ ବୁଧବାରର ଘଟଣା ତାଙ୍କ ଜୀବନର ସବୁଠାରୁ ଦୁଃଖଦ ଘଟଣା। ଆରିଫ କହିଛନ୍ତି, "ମୁଁ ଦେଖିଥିବା ଏହା ହେଉଛି ସବୁଠାରୁ ବଡ ଉଦ୍ଧାର କାର୍ଯ୍ୟ। ଆମେ ଏକ ଛୋଟ ଝିଅକୁ ଉଦ୍ଧାର କରିଥିଲୁ। କିନ୍ତୁ ସେ ସେତେବେଳେ ନିଶ୍ବାସ ନେଉନଥିଲେ। ଆମେ ସେ ଝିଅଟିର ଛାତି ଦବାଇ ତା ପେଟରୁ ପାଣି କାଢିଥିଲୁ। ପେଟରୁ ପାଣି ବାହାରି ଯିବା ପରେ ସେ ଧୀରେ ଧୀରେ ସେ ନିଶ୍ୱାସ ନେବା ଆରମ୍ଭ କରିଥିଲା।"
ଏହି ସମୟରେ, ଏକ ଛୋଟ ପର୍ଯ୍ୟଟକ ଡଙ୍ଗାର ଡ୍ରାଇଭର ଇକବାଲ୍ ଗୋଥାକରଙ୍କ ଅପରାହ୍ନ ୩ଟା ୩୫ରେ ରେ ଏଲିଫ୍ୟାଣ୍ଟ ଦ୍ୱୀପ ଛାଡିବାର ୨୫ ରୁ ୩୦ ମିନିଟ୍ ପରେ ସେ ଏହି ଘଟଣା ବିଷୟରେ ସୂଚନା ପାଇଥିଲେ। ଦୁର୍ଘଟଣା ସ୍ଥଳରେ ସେ ପ୍ରଥମେ ପହଞ୍ଚିଥିଲେ। ରାଇଗର ଜିଲ୍ଲାର ମୂଳ ବାସିନ୍ଦା ଗୋଥାକରଙ୍କ କହିବାନୁସାରେ, ସେ ସେଠାରେ ପହଞ୍ଚିବାପରେ ଓଲଟି ପଡ଼ିଥିବା ଡଙ୍ଗାରେ ଥିବା ଲୋକମାନେ ସାହାଯ୍ୟ ପାଇଁ ହାତ ବଢାଉଥିଲେ।
ସେ କହିଥିଲେ ଯେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଏକ ମତ୍ସ୍ୟଜୀବୀ ଡଙ୍ଗା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିସାରିଥିଲା। ଗୋଥାକର କହିଛନ୍ତି ଯେ ତାଙ୍କ ଡଙ୍ଗାରେ ସେ ମୋଟ ୧୬ ଜଣଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ଭାବେ ଇଣ୍ଡିଆ ଗେଟୱେକୁ ନେଇଯାଇଥିଲେ| ଉଦ୍ଧାର ହୋଇଥିବା ଲୋକଙ୍କୁ ପୋଲିସ ପକ୍ଷରୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା। ଏହି ଦୁଃଖଦ ଘଟଣାକୁ ମନେ ପକାଇ ଗୋଥାକାର କହିଛନ୍ତି, ମୁଁ ମୋ ଜୀବନକାଳ ମଧ୍ୟରେ ଏପରି ଘଟଣା କେବେ ଦେଖି ନାହିଁ।