ମୁମ୍ବାଇ,୩୦/୦୧: ବାନ୍ଦ୍ରା-କୁର୍ଲା କମ୍ପେ୍ଲକ୍ସ ଠାରେ ଘରୋଇ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଗୁରୁବାର ରଣଜୀ ଟ୍ରଫି ମ୍ୟାଚ୍ ଆରମ୍ଭ ହୋଇଛି । ପ୍ରଥମ ଦିବସର ଶେଷ ଆଡ଼କୁ ଅତ୍ୟଧିକ ପ୍ରଦୂଷଣ ମ୍ୟାଚ୍‌ରେ ବାଧା ସୃଷ୍ଟି କରିଥିଲା । ଗ୍ରାଉଣ୍ଡ ନିକଟସ୍ଥ ଏକ ନିର୍ମାଣଧୀନ କୋଠାରୁ ଧୂଳି ଉଡ଼ିବା କାରଣରୁ କୁହୁଡ଼ି ସଦୃଶ ପ୍ରତୀୟମାନ ହୋଇଥିଲା । ଫଳରେ ଫିଲ୍ଡିଂ କରୁଥିବା ମୁମ୍ବାଇ ଦଳର ଖେଳାଳିମାନେ ମାସ୍କ ପିନ୍ଧିବାକୁ ବାଧ୍ୟ ହୋଇଥିଲେ । ଏପରିକି ପଡ଼ିଆ ଅମ୍ପାୟାର ସହଳ ଷ୍ଟମ୍ପ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ । ଘଟଣାକୁ ନେଇ ମୁମ୍ବାଇ କ୍ରିକେଟ୍ ବୋର୍ଡ଼ (ଏମ୍‌ସିଏ) ପକ୍ଷରୁ ମହାରାଷ୍ଟ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼କୁ ଲିଖିତ ଭାବେ ଅବଗତ କରାଯାଇଥିବା ଜଣାପଡ଼ିଛି ।

ପ୍ରଥମ ଦିବସରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୨୧ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଓପନର ସନତ୍ ସାଙ୍ଗୱାନ ୧୧୮ (୧୧ଚୌକା, ୨ଛକା), ବୈଭବ କାଣ୍ଡପାଲ ୩୨, ପ୍ରଣବ ରାଜବଂଶୀ ୩୯ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ ମୋହିତ ଅବସ୍ତି ୫ଟି ୱିକେଟ୍ ନେଇଥିଲେ । ଜବାବରେ ମୁମ୍ବାଇ ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରି ୧/୧୩ରନ୍ ସଂଗ୍ରହ କରିଛି । ଷ୍ଟମ୍ପ ଘୋଷଣା ସୁଦ୍ଧା ଅଖିଲ ହରୱାଦକର ୪ ଓ ତୁଷାର ଦେଶପାଣ୍ଡେ କୌଣସି ରନ୍ ନକରି ଅପରାଜିତ ଅଛନ୍ତି ।