ବାଲେଶ୍ୱର, ୦୩/୦୬ : ଦୀର୍ଘ ୭ ବର୍ଷ କାଳ ମଶାଣିର ଭଙ୍ଗା ଘରେ ରହିବା ପରେ ଅସହାୟ ମୋନା ମାଝୀଙ୍କ ଉପରେ ସରକାରଙ୍କ ନଜର ପଡ଼ିଥିଲା। ତାଙ୍କୁ ଉଦ୍ଧାର କରିବା ସହ ଥଇଥାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହେଲେ ମଙ୍ଗଳବାର ଏନେଇ ଏକ ଟିମ୍ ଶ୍ମଶାନରେ ପହଞ୍ଚିଥିଲେ ବି ତାଙ୍କୁ ଉଦ୍ଧାର କରାଯାଇପାରି ନଥିବା ଜଣାପଡ଼ିଛି । ଖୁବ୍ଶୀଘ୍ର ମୋନାଙ୍କୁ ଉଦ୍ଧାର କରି ସାମାଜିକ ସ୍ରୋତରେ ସାମିଲ୍ କରିବା ସହ ସରକାରୀ ସୁବିଧା ଯୋଗାଇବା ପାଇଁ କୋର୍ଟରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ନୋଟିସ୍ ହୋଇଥିଲେ ବି ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇନାହିଁ । ମଙ୍ଗଳବାର ପୌରପାଳିକାର ଅଧିକାରୀମାନେ ମୋନାଙ୍କୁ ବୁଝାସୁଝା କରି ଆଣିବାକୁ ମଶାଣିକୁ ଯାଇଥିଲେ ବି ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ଘଟଣାର ତଦନ୍ତ ପୂର୍ବକ ମୋନାଙ୍କୁ ନାରୀ ସଂଘରେ ରଖିବା ପାଇଁ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀଙ୍କୁ ଚିଠି ହୋଇଛି ।
ବାଲେଶ୍ୱର ପୌରପାଳିକା ୨୪ନଂ ୱାର୍ଡ ବୁଢ଼ାବଳଙ୍ଗ ନଦୀ ବାଲିଘାଟ ଶ୍ମଶାନରେ ମୋନା ୭ ବର୍ଷ ହେଲା ରହିଆସୁଛନ୍ତି । ଗତ ୨୦ ତାରିଖ ‘ପ୍ରମେୟ’ରେ ଏ ବାବଦରେ ଖବର ପ୍ରକାଶ ପାଇବା ମୋନାଙ୍କୁ ଉଦ୍ଧାର କରିବାକୁ ପ୍ରଶାସନ ତତ୍ପର ହୋଇଥିଲା । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାପାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବାଲେଶ୍ୱର ପୌରପାଳିକା ସମେତ ନିର୍ବାହୀ ଅଧିକାରୀଙ୍କୁ ତଦନ୍ତ ପାଇଁ ଚିଠି ହୋଇଥିଲା । ମେ ୩୦ ସୁଦ୍ଧା ଏନେଇ ରିପୋର୍ଟ ଦେବାକୁ କୁହାଯାଇଥିଲେ ମଧ୍ୟ କୌଣସି ବିଭାଗ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିନଥିଲେ । ମୋନାଙ୍କୁ ଉଦ୍ଧାର କରାଯାଇନଥିଲା କି ସେ କେଉଁ ପରିସ୍ଥିତିରେ ରହୁଛନ୍ତି ତାହା ଦେଖିବାକୁ କେହି ଯାଇନଥିଲେ । ବିଭାଗୀୟ ଅଧିକାରୀମାନେ ବିଭିନ୍ନ ଆଳରେ ସମୟ ଗଡ଼ାଇ ଚାଲିଥିବାବେଳେ ମଙ୍ଗଳବାର ପୌରପାଳିକା ପକ୍ଷରୁ ୪ଜଣିଆ ଟିମ୍ ବାଲିଘାଟ ଶ୍ମଶାନ ନିକଟକୁ ଯାଇ ଘଟଣାର ଯାଞ୍ଚ କରିଛନ୍ତି । ସେମାନେ ମୋନାଙ୍କ ନିକଟକୁ ଯାଇ ତାଙ୍କୁ ଖାଦ୍ୟ ଦେବା ସହ ବୁଝାଇ ପୌରପାଳିକା ଅଧୀନରେ ଥିବା ରାତ୍ରି ଆଶ୍ରୟସ୍ଥଳକୁ ନେବାକୁ ଚେଷ୍ଟା କରିଥିଲେ । ଅନେକ ସମୟ ପ୍ରଚେଷ୍ଟା ପରେ ମଧ୍ୟ ମୋନା ମଶାଣି ଛାଡ଼ି ଆସିବାକୁ ରାଜି ହୋଇନଥିଲେ । ବରଂ ନିଜର ଅତୀତ କଥା କହି କିଛି ସମୟ ପାଇଁ ରାଗିଯାଇଥିଲେ । ବାଧ୍ୟ ହୋଇ ଉଦ୍ଧାର କରିବାକୁ ଯାଇଥିବା କର୍ମଚାରୀମାନେ ଫେରି ଆସିଥିବାବେଳେ ଦୁଇ ଦିନ ମଧ୍ୟରେ ପୁଲିସ ସହାୟତାରେ ତାଙ୍କୁ ଉଦ୍ଧାର କରାଯିବ ବୋଲି ସହରାଞ୍ଚଳ ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳ (ଏସ୍ୟୁଏଚ୍)ର ଇନ୍ଚାର୍ଜ ସାବିତ୍ରୀ ମିଶ୍ର କହିଛନ୍ତି ।
ଆହୁରି ପଢନ୍ତୁ- ନାବାଳିକାଙ୍କୁ ବାରମ୍ବାର ବିକ୍ରି-ବଳାତ୍କାର, ଝାନ୍ସିରେ ଡେରା ପକାଇଛି ପୁଲିସ, ଗିରଫ ଭୟରେ ପୀଡ଼ିତାଙ୍କୁ ଧମକ ଦେଉଛନ୍ତି ଅଭିଯୁକ୍ତ
ଅନ୍ୟପକ୍ଷରେ ମୋନାଙ୍କୁ ଉଦ୍ଧାର ପାଇଁ ସାମାଜିକ ସୁରକ୍ଷା ବିଭାଗ ଅଣ୍ଟା ଭିଡ଼ିଛି । ଚିଠି ନମ୍ବର ୨୫୭(୩), ୨୨/୫/୨୦୨୬ ଆଧାରରେ ଏନେଇ ତଦନ୍ତ କରିବା ପାଇଁ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀଙ୍କୁ ଚିଠି ହୋଇଛି । ଏଥି ସହିତ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ଶକ୍ତି ସଦନ (ନାରୀ ସଂଘ)ରେ ପୁନର୍ବାସ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।