ମୋହନା,୦୩/୦୮: ଗୁଣି ସନ୍ଦେହରେ ଗ୍ରାମବାସୀ ଯୁବକଙ୍କୁ ହତ୍ୟା କରି ଡ୍ୟାମରେ ଫିଙ୍ଗିଦେଇଥିବା ଅଭିଯୋଗ। ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । ମୃତକ ଜଣକ ରାଚାଗୁଡା ଗାଁର ଗୋପାଳ ମଳିକ ବୋଲି ଜଣାପଡ଼ିଛି। ଏନେଇ ଖବରପାଇ ମୋହନା, ଅଡବା ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ରାତିସାରା ଗୋଡ଼ାଇ ଗୋଡ଼ାଇ କାବୁ କରିବାରେ ସଫଳ ହୋଇଛି। ଏହି ହତ୍ୟା ଘଟଣାରେ ରାଚାଗୁଡା ଓ ଗୁଞ୍ଜିମା ଗାଁର ୧୪ ଜଣକୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ । ଏଥିସହ ୩ଟି ଅଟୋ ଓ ଅବିଯୁକ୍ତମାନଙ୍କ ମୋବାଇଲ ଜବତ କରାଯାଇଛି ।
ସୂଚନା ମୁତାବକ, ଗତ ୧୫ ଦିନ ତଳେ ରାଚାଗୁଡା ଗାଁର ସୁବାଷ ମଳିକଙ୍କ ସ୍ତ୍ରୀ ଝୁନୁର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ଗୋପାଳ ଗୁଣି କରି ଝୁନୁକୁ ମାରି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ ଗୋପାଳ ନିଜ ଶ୍ୱଶୁର ଘର ଗଞ୍ଜାମ ଜିଲ୍ଲା ଗୌଡ଼ଗୋଠ ଗଣ୍ଡିଗାଁରେ ରହୁଥିବା ବେଳେ ଗତ ରାତିରେ ଗୋପାଳକୁ ତାଙ୍କ ଶ୍ୱଶୁର ଘରୁ ଉଠାଇ ଆଣି ୨ଟି ଅଟୋରେ ଗ୍ରାମବାସୀ ହରଭଙ୍ଗୀ ଡ୍ୟାମକୁ ନେଇଥିଲେ । ସେଠାରେ ଗୋପାଳକୁ ହତ୍ୟାକରି ଡ୍ୟାମରେ ଫିଙ୍ଗି ଦେଇ ଚାଲି ଆସିଥିଲେ ।ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଓ ପୁଲିସ ହରଭଙ୍ଗୀ ଡ୍ୟାମରୁ ମୃତଦେହ ଜବତ କରିଛି। ଏଥିସହ ମୋହନା ପୁଲିସ ଗୋଡ଼ାଇ ଗୋଡ଼ାଇ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି ।