ଭୋଗରାଇ,୧୧/୦୭: ସାନଭାଇକୁ ଅତି ବିଭତ୍ସ ଭାବରେ ହାଣିଲା ବଡ଼ ଭାଇ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଅଭିଯୋଗ । ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ମାନକୁଣ୍ଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗୌରାଙ୍ଗ ମଣ୍ଡଳଙ୍କ ମଝିଆ ପୁଅ ନିମାଇଁ ମଣ୍ଡଳ (୫୦ବର୍ଷ) ।
ଅଭିଯୋଗ ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୨ଟା ସମୟରେ ବଡ଼ଭାଇ ନିଆଁସ ମଣ୍ଡଳ ନିଜ ସାନଭାଇ ନିମାଇଁକୁ କୌଣସି କାରଣରୁ ଘରୁ ଡାକି ନେଇଥିଲେ । ନିମାଇଁ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ତେବେ ଆଜି ସକାଳେ ନିଆଁସଙ୍କ ଘର ସମ୍ମୁଖରେ ନିମାଇଁଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଗାଁ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ ।ସେପଟେ ଖବର ପାଇ ଭୋଗରାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ।