ନୂଆଦିଲ୍ଲୀ,୨୭/୧୨: ପାକିସ୍ତାନର ସବୁଠୁ ବଡ଼ ଓ ସର୍ବପ୍ରାଚୀନ ମଦ ପ୍ରସ୍ତୁତକାରୀ କମ୍ପାନିକୁ ନିଜର ୧୬୫ ବର୍ଷ ପୁରୁଣା ଧରୋହରକୁ ଆଗକୁ ବଢ଼ାଇବାର ନୂଆ ମାର୍ଗ ମିଳିଛି । ଯେଉଁ ଦେଶରେ ଅଣ-ମୁସଲମାନଙ୍କ ବ୍ୟତୀତ ସମସ୍ତଙ୍କ ପାଇଁ ମଦ ବ୍ୟାନ୍, ସେଠାରେ ନିଜର ଅସ୍ତିତ୍ୱକୁ ବଜାୟ ରଖିବା ଏକ ମଦ କମ୍ପାନି ପାଇଁ କୌଣସି ଚାଲେଞ୍ଜଠୁ କମ୍ ନୁହେଁ । ଏହି ସ୍ଥିତିରେ ସର୍ବପ୍ରାଚୀନ ମଦ ପ୍ରସ୍ତୁତକାରୀ କମ୍ପାନି ମୁର୍ରୀ ବ୍ରିଉରୀକୁ ନୂଆ ରପ୍ତାନି ଲାଇସେନ୍ସ ମିଳିବା ଏକ ସଞ୍ଜୀବନୀ ଭଳି । ମୁର୍ରୀ ବ୍ରିଉରୀ ଏସିଆର ଅନ୍ୟତମ ସର୍ବପ୍ରାଚୀନ ମଦ ପ୍ରସ୍ତୁତକାରୀ କମ୍ପାନି । ଏକ ଇସ୍ଲାମିକ ଦେଶରେ ମଦ ପ୍ରସ୍ତୁତି ଲାଗି ଏହାକୁ ଖୁବ୍ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନେକ ଚାଲେଞ୍ଜ୍ ଆସିଥିଲା ।

ଦୀର୍ଘ ସମୟ ହେଲା ଏହା ଅନ୍ୟ ଦେଶକୁ ନିଜ ଉତ୍ପାଦ ରପ୍ତାନି କରିବାକୁ ଅନୁମତି ଚାହୁଁଥିଲା, କିନ୍ତୁ ମିଳୁନଥିଲା । ବ୍ରିଟିଶ ଶାସନକାଳରେ ୧୮୬୦ରେ ସ୍ଥାପିତ ମୁର୍ରୀ ବ୍ରିଉରୀ ମୂଳତଃ ବ୍ରିଟିଶ ସୈନ୍ୟ ଓ ଅଧିକାରୀଙ୍କ ସେବା ପାଇଁ ନିର୍ମିତ ହୋଇଥିଲା । କମ୍ପାନିର ଅଧ୍ୟକ୍ଷ ଇସ୍ଫାନ୍ୟାର ବନ୍ଧାରା ଏହାର ପରିଚାଳନା କରୁଥିବା ୩ୟ ପିଢ଼ିର ସଦସ୍ୟ । ତାଙ୍କ ପାରିବାରିକ ବ୍ୟବସାୟ ୧୬୫ ବର୍ଷ ପୁରୁଣା । କମ୍ପାନିରେ ୨୨୦୦ କର୍ମଚାରୀ ଅଛନ୍ତି । ଏହାର ଅସ୍ତିତ୍ୱକୁ ବଞ୍ଚାଇବା ପାଇଁ ଏନର୍ଜି ଡ୍ରିଙ୍କ୍, ଜୁସ୍ ଓ ଅନ୍ୟ ପାନୀୟ ଭଳି ଉତ୍ପାଦ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା । କାରଣ କେବଳ ପାକିସ୍ତାନରେ ମଦ ବିକି କମ୍ପାନିକୁ ବଞ୍ଚାଇବା ସମ୍ଭବ ନଥିଲା ।

କଡ଼ା ନିୟମ ଓ ସମାଲୋଚନା ସତ୍ତେ୍ୱ ଦୀର୍ଘ ବର୍ଷ ହେଲା କମ୍ପାନି ତା’ର ବ୍ୟବସାୟ ଜାରି ରଖିଛି । ପାକ୍ ସରକାର ଭାରୀ ଟିକସ ଲଦିବା ପରେ ବି କମ୍ପାନି ଚାଲିଲା । ଦେଶର ନିୟମ ଅନୁସାରେ, କମ୍ପାନି ପାକିସ୍ତାନ ଭିତରେ ନିଜର ମାଦକ ପାନୀୟର ବିଜ୍ଞାପନ କରିପାରିବ ନାହିଁ । ବ୍ୟବସାୟର ବିସ୍ତାର ମଧ୍ୟ କରିବ ନାହିଁ । ଅନ୍ଲାଇନ୍ କିଣାକିଣି ସୁବିଧା ବି ଉପଲବ୍ଧ ନାହିଁ । ଏହି ସ୍ଥିତିରେ କମ୍ପାନି ରପ୍ତାନି ଅନୁମତି ଲାଗି ଲମ୍ବା ଲଢ଼େଇ ଲଢ଼ିଲା । ଏବେ ଏହାକୁ ମଞ୍ଜୁରି ମିଳିଛି । ନୂଆ ଲାଇସେନ୍ସ ସହିତ କମ୍ପାନି ଜାପାନ, ବ୍ରିଟେନ ଓ ପର୍ତ୍ତୁଗାଲ ସମେତ ଅନେକ ଦେଶକୁ ସୀମିତ ରପ୍ତାନି ଆରମ୍ଭ କରିଛି । ଏଥିସହିତ ୟୁରୋପ, ଏସିଆ ଓ ଆଫ୍ରିକାକୁ ମଧ୍ୟ ରପ୍ତାନି ସୁଯୋଗ ଖୋଜୁଛି । ପାକିସ୍ତାନରେ ୧୯୭୦ ଦଶକରେ ମୁସଲମାନଙ୍କ ପାଇଁ ମଦ ଉପରେ ପ୍ରତିବନ୍ଧକ ଲାଗୁ ହୋଇଥିଲା ।