ଭୁବନେଶ୍ୱର, ୬।୨: ନିରାପଦ ଯାତ୍ରା ଓ ଟ୍ରାଫିକ ନିୟମ ପାଳନ ନେଇ କମିଶନରେଟ ପୁଲିସ ପଦକ୍ଷେପ ନେବା ଆରମ୍ଭ କରିଛି । ସମସ୍ତ ଆଇନ ମାନିବା ପାଇଁ ବାରମ୍ବାର ଗାଡ଼ିଚାଳକଙ୍କୁ ପରାମର୍ଶ ଦିଆଯାଉଛି । କିନ୍ତୁ ରାଜଧାନୀର ଅନେକ ପ୍ରମୁଖ ଜନଗହଳି ଓ ଦୁର୍ଘଟଣା ପ୍ରବଣ ସ୍ଥାନରେ ଅସଜଡ଼ା ଟ୍ରାଫିକ ଚିନ୍ତାର ବିଷୟ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମ୍ୟୁଜିୟମ ଛକରେ । ଏହି ଛକ ଅବସ୍ଥା ଦେଖିଲେ ଏଠାକାର ଟ୍ରାଫିକ ବ୍ୟବସ୍ଥା କେତେ ଦୟନୀୟ ତାହା ସହଜେ ଅନୁମେୟ । ସୂଚନା ଅନୁଯାୟୀ, ରସୁଲଗଡ ଠାରୁ ସାମନ୍ତରାପୁର ରାସ୍ତାର ମଧ୍ୟଭାଗରେ ଥିବା ମ୍ୟୁଜିୟମ ଛକ ମରଣଯନ୍ତା ପାଲଟିଛି । ଏହାର ନିକଟରେ ଶିକ୍ଷାନୁଷ୍ଠାନ,ମ୍ୟୁଜିୟମ, କୋର୍ଟ, ପର୍ଯ୍ୟଟନ ବିଭାଗ, ସବ୍ରେଜିଷ୍ଟ୍ରାର ଅଫିସ, ପାନ୍ଥନିବାସ ଓ ବିଏମ୍ ସି ପୁରୁଣା କାର୍ଯ୍ୟାଳୟ ଭଳି ପ୍ରାୟ ୧୭ରୁ ଊର୍ଦ୍ଧ୍ୱ ସରକାରୀ କାର୍ଯ୍ୟାଳୟ ରହିଛି । ଏଥିସହ ବିଏମ୍ ସି କାର୍ଯ୍ୟାଳୟ ପରିସରକୁ ଉପଜିଲ୍ଲାପାଳଙ୍କ ଅଫିସ ଆସିବା ପରେ ମ୍ୟୁଜିୟମ ଛକ ଯଥେଷ୍ଟ ଗହଳି ବଢ଼ିଛି ।
ଏହା ବି ପଢ଼ନ୍ତୁ... ଜନତା ମଇଦାନରେ ଆରମ୍ଭ ହେବ ୨୦ ତମ ତୋଷାଳି ସ୍ୱଦେଶୀ ମେଳା, ଆକର୍ଷଣ ସାଜିବ ଡ୍ରୋନ୍ ସୋ
ଦୈନିକ ପୁରୀ ଯିବା ପାଇଁ ଶହେରୁ ଊର୍ଦ୍ଧ୍ୱ ବସ୍ ମଧ୍ୟ ଉକ୍ତ ଛକ ଦେଇ ଚଳାଚଳ କରୁଛି । ପୁଣି ପର୍ଯ୍ୟଟନ ଋତୁ ହେତୁ ଏକାମ୍ର କ୍ଷେତ୍ର ଆସୁଥିବା ପର୍ଯ୍ୟଟକ ଏବଂ ଯାତ୍ରୀଙ୍କ ବସ୍ ଏହି ରାସ୍ତାରେ ଯା’ ଆସ କରୁଛି । ଫଳରେ ପ୍ରାୟ ଏହି ସ୍ଥାନରେ ଟ୍ରାଫିକ ସମସ୍ୟା ଅଣାୟତ୍ତ ହେଉଛି । ସନ୍ଧ୍ୟାରେ ପ୍ରତିମୁହୂର୍ତ୍ତ ଏଠି ବିପଦ ଘନଉଥିବା ବେଳେ ପାଦେ ପାଦେ ଦୁର୍ଘଟଣା ଭୟ ସାଙ୍ଗକୁ ଜୀବନ ବାଜିରେ ଲାଗିବା ଭଳି ସ୍ଥିତି ଉପୁଜିଛି । କିନ୍ତୁ ଏତେ ସମସ୍ୟା ସତ୍ତ୍ୱେ କମିଶନରେଟ ପୁଲିସ ଅଧିକାରୀ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ସୁଧାରିବା କ୍ଷେତ୍ରରେ ତିଳେ ମାତ୍ର ଅନୁଶୀଳନ ନ କରିବା ସାଧାରଣରେ ଅସନ୍ତୋଷର କାରଣ ହୋଇଛଇ । ଫଳରେ ଏଠି ଛୋଟମୋଟ ଦୁର୍ଘଟଣାରେ ଚାଳକ ଖଣ୍ଡିଆଖାବରା ହେଉଛନ୍ତି । ଗୋଟିଏ ପଟେ ଜନସାଧାରଣଙ୍କ ସୁରକ୍ଷିତ ଯାତ୍ରା ବାବଦରେ ପୁଲିସ ଅଧିକାରୀ ଅନେକ ନାରା ଦେଉଥିବା ବେଳେ ମ୍ୟୁଜିୟମ ଓ ଝାରପଡ଼ା ଗୋଲେଇ ଛକ ବାବଦରେ ଅଧିକାରୀଙ୍କ ଦୃଷ୍ଟି ପଡ଼ିବା ନିତାନ୍ତ ଜରୁରୀ ବୋଲି ମତପ୍ରକାଶ ପାଇଛି । ଘଟଣା ସଂକ୍ରାନ୍ତରେ ଟ୍ରାଫିକ ଏସିପି ଉମାକାନ୍ତ ପ୍ରଧାନ କୁହନ୍ତି, ସେଠାରେ ଟ୍ରାଫିକ ପରିଚାଳନା ପାଇଁ ଯୋଜନା କରାଯାଇଛି । ରାସ୍ତା ମେଡିଆନ ଲମ୍ବ ବୃଦ୍ଧି ସହ ଖୁବଶୀଘ୍ର ମ୍ୟୁଜିୟମ ଛକରେ ଟ୍ରାଫିକ ପୋଷ୍ଟ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି ।