ନୂଆଦିଲ୍ଲୀ: ଟେସଲାର ସିଇଓ ଏଲନ ମସ୍କ ପୁଣିଥରେ ବିଲିନିଓର ଜର୍ଜ ସୋରଶଙ୍କୁ ସମାଲୋଚନା କରିଛନ୍ତି। ସୋଶିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ମାଲିକ ମସ୍କ ସୋରଶଙ୍କୁ ‘ମାନବତାରେ ଘୃଣ୍ୟ ମାନସିକତା’ ବୋଲି କହିଛନ୍ତି। ଏକ ମିଡିଆ ରିପୋର୍ଟକୁ ଆଧାର କରି ମସ୍କ ସୋରଶଙ୍କୁ ସମାଲୋଚନା କରିଥିଲେ। ଏହି ରିପୋର୍ଟ ଜାରି କରିଥିଲେ ଇସ୍ରାଏଲର ୟୁଏନ ଆମ୍ୱାସାଡର ଗିଲାଦ ଏର୍ଡାନ। ଏଥିରେ ସୋରଶ ହମାସ ଆତଙ୍କୀ ସଂଗଠନକୁ ସମର୍ଥନ କରୁଥିବା ଏକ ଏନଜିଓକୁ ୧୫ ମିଲିୟନ ଡଲାର ଦାନ କରିଛନ୍ତି ବୋଲି ସୂଚନା ରହିଥିଲା। ଯାହାକୁ ନେଇ ମସ୍କ ସୋରଶଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି।  

ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ମସ୍କ “ଇସ୍ରାଏଲ ସହ ଜର୍ଜ ସୋରଶ ମାନବତାରେ ଏକ ଘୃଣ୍ୟ ମାନସିକତା” ବୋଲି ଲେଖିଛନ୍ତି। ମସ୍କ ପୂର୍ବରୁ ମଧ୍ୟ ସୋରଶଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେହି ପରିପ୍ରେକ୍ଷୀରେ କିଛିଦିନ ତଳେ ସୋରଶଙ୍କୁ ଜୋ ବାଇଡେନଙ୍କ ପକ୍ଷରୁ ମିଳିଥିବା ପ୍ରେସିଡେନ୍ସିଆଲ ମେଡାଲ ଅଫ ଫ୍ରିଡମ ସମ୍ମାନକୁ ମସ୍କ ଉପହାସ ବୋଲି କହିଥିଲେ। 

ସେହିପରି ଜର୍ଜ ସୋରଶଙ୍କୁ ଗିଲାଦ ଏର୍ଡାନ ଅନେକ ସମୟରେ ସମାଲୋଚନା କରିଥିବାର ଦେଖାଯାଇଛି। ଗତବର୍ଷ ଡିସେମ୍ବର ମାସରେ ଫକ୍ସ ନ୍ୟୁଜକୁ ସାକ୍ଷାତକାର ଦେଇ ଏର୍ଡାନ ସୋରଶଙ୍କ ଫଣ୍ଡିଂ ଲଜ୍ଜାଜନକ କହିଥିଲେ। ସେ କହିଥିଲେ “ଜଣେ ଜିୱିସ ହୋଇ ଇସ୍ରାଏଲ ବିରୁଦ୍ଧରେ କାମ କରୁଥିବା ସଂଗଠନକୁ ଦାନ ଦେବା ଏକ ଲଜ୍ଜାଜନକ ଘଟଣା। ତେବେ ଏଥିରେ ମୁଁ ଆଦୌ ଆଶ୍ଚର୍ଯ ହେଉନି।” 

ନିକଟରେ ଜର୍ଜ ସୋରଶଙ୍କ ନାଁ ଭାରତରେ ମଧ୍ୟରେ ଚର୍ଚ୍ଚାରେ ରହିଥିଲା। ଜର୍ଜ ସୋରଶ କଂଗ୍ରେସ ସହ ମିଶି ବିଜେପି ସରକାର ଭାଙ୍ଗିବା ପାଇଁ ଚାଲ୍ ଚଳାଇଥିଲେ ବୋଲି ବିଜେପି ଅଭିଯୋଗ କରିଥିଲା। କେବଳ ସେତିକି ନୁହେଁ, ସୋରଶଙ୍କ ସଂଗଠନ କାଶ୍ମୀରରେ ଭାରତ ବିରୋଧି କାର୍ଯ୍ୟ କରୁଛି ମଧ୍ୟ ଅଭିଯୋଗ କରିଥିଲା ବିଜେପି। ଅନ୍ୟପଟେ କଂଗ୍ରେସ କିନ୍ତୁ ବିଜେପିର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲା। କଂଗ୍ରେସ ପାର୍ଟିର ଜର୍ଜ ସୋରଶଙ୍କ ସହିତ କୌଣସି ଲିଙ୍କ୍ ନାହିଁ ବୋଲି ଦଳ କହିବା ସହ ବିଜେପିର ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲା।