ନୂଆଦିଲ୍ଲୀ ୧୫/୧୧: ମଙ୍ଗଳ ଗ୍ରହକୁ ମାନବ ମିଶନ ପାଇଁ ବିଶ୍ୱର ଏକାଧିକ ମହାକାଶ ଏଜେନ୍ସି ପ୍ରୟାସ ଚଳାଇଛନ୍ତି । ସେଠାରେ ଇଣ୍ଟର୍‌ନେଟ୍‌ ସୁବିଧା ଅନ୍ୟତମ ପ୍ରମୁଖ ଆବଶ୍ୟକତା । ଏହି ସୁବିଧା ପ୍ରଦାନ ଲାଗି ପ୍ରସ୍ତୁତି ଚଳାଇଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ । ଷ୍ଟାର୍‌ଲିଙ୍କ ଜରିଆରେ ସେ ଯେମିତି ପୃଥିବୀବାସୀଙ୍କୁ ଇଣ୍ଟର୍‌ନେଟ ସୁବିଧା ପ୍ରଦାନ କରୁଛନ୍ତି, ଠିକ୍‌ ସେମିତି ମଙ୍ଗଳ ଗ୍ରହରେ ମଣିଷକୁ ଇଣ୍ଟର୍‌ନେଟ୍‌ ସୁବିଧା ପ୍ରଦାନ କରିବାକୁ ଯୋଜନା କରୁଛନ୍ତି । ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ଏଲନ ମସ୍କଙ୍କ ଷ୍ଟାର୍‌ଲିଙ୍କ ଇଣ୍ଟର୍‌ନେଟ ସୁବିଧା ପ୍ରଦାନ କରୁଛି । ଠିକ୍‌ ସେହିଭଳି ସୁବିଧା ମଙ୍ଗଳ ଗ୍ରହରେ ଦେବା ପାଇଁ ତାଙ୍କ କମ୍ପାନି ସ୍ପେସ୍‌ଏକ୍ସ ନାସାକୁ ପ୍ରସ୍ତାବ ଦେଇଛି ।

ଏହି ଇଣ୍ଟର୍‌ନେଟ ଭବିଷ୍ୟତରେ ମଙ୍ଗଳ ଗ୍ରହକୁ ଯାଉଥିବା ଅଭିଯାନ ପାଇଁ ସଂଚାର ସୁବିଧା ପ୍ରଦାନ କରିବ । ସ୍ପେସ୍‌ଏକ୍ସ ନିକଟରେ ନାସା ନେତୃତ୍ୱରେ ଅନୁଷ୍ଠିତ ମାର୍ସ ଏକ୍ସପ୍ଲୋରେସନ୍‌ ପ୍ରୋଗ୍ରାମ୍‌ ଆନାଲିସିସ୍‌ ଗ୍ରୁପ୍‌ର ବୈଠକରେ ମାର୍ସଲିଙ୍କ୍‌ ନାମକ ସାଟେଲାଇଟ୍‌ ପ୍ରସ୍ତାବ ଦେଇଥିଲା । ଏଥିରେ ମୋହର ବାଜିଲେ ମାର୍ସଲିଙ୍କ୍‌ ମଙ୍ଗଳ ଗ୍ରହର କକ୍ଷରେ ଏକ ସାଟେଲାଇଟ୍‌ ରିଲେ ସିଷ୍ଟମ୍‌ ପ୍ରତିଷ୍ଠା କରିବ । ଏହା ଜରିଆରେ ଭବିଷ୍ୟତର ମଙ୍ଗଳ ମିଶନ୍‌ ପାଇଁ ନିରନ୍ତର ତଥ୍ୟ ବିନିମୟର ପଥ ସୁଗମ ହେବ । ସ୍ପେସ୍‌ଏକ୍ସର ଏହି ପ୍ରୟାସ ମଙ୍ଗଳ ଗ୍ରହ ଅନ୍ୱେଷଣକୁ ତ୍ୱରାନ୍ୱିତ କରିବାର ବୃହତ ଅଭିଳାଷ । ଲାଲ୍‌ ଗ୍ରହରେ ମାନବ ବସତି ନିମନ୍ତେ ଭିତ୍ତିପ୍ରସ୍ତର ରଖିବାର ଏକ ଦୃଢ଼ ପଦକ୍ଷେପ । ପୃଥିବୀରେ ଷ୍ଟାର୍‌ଲିଙ୍କ ନେଟ୍‌ୱର୍କର ସଫଳତା ଆଧାରରେ ସ୍ପେସ୍‌ଏକ୍ସ ମଙ୍ଗଳ ଗ୍ରହରେ ନିରନ୍ତର ଯୋଗାଯୋଗ ସମ୍ପର୍କ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ପୃଥିବୀ କକ୍ଷରେ ହଜାର ହଜାର ସଂଖ୍ୟକ ଷ୍ଟାର୍‌ଲିଙ୍କ ସାଟେଲାଇଟ୍‌ ବିଶ୍ୱର ୧୦୨ରୁ ଅଧିକ ଦେଶକୁ ଇଣ୍ଟର୍‌ନେଟ ସେବା ପ୍ରଦାନ କରୁଛନ୍ତି । ମଙ୍ଗଳ ଗ୍ରହରେ ଏହି ସଂଯୋଗତାକୁ ନକଲ କରିବାକୁ ସ୍ପେସ୍‌ଏକ୍ସ ଯୋଜନା କରୁଛି । ନାସାର ଏକ ସ୍ଥାୟୀ ଅନ୍ୱେଷଣ ଢାଞ୍ଚାର ପ୍ରୟାସକୁ ଏହା ତ୍ୱରାନ୍ୱିତ କରିପାରିବ । 

ତେବେ, ମାର୍ସଲିଙ୍କ୍‌ ପ୍ରତିଯୋଗିତାର ସମ୍ମୁଖୀନ ହେଉଛି । ନାସା ଏବେ ବ୍ଲୁ ଅରିଜିନ୍‌ ଓ ଲକ୍‌ହିଡ୍‌ ମାର୍ଟିନ୍‌ ଭଳି କମ୍ପାନିର ପ୍ରସ୍ତାବକୁ ମଧ୍ୟ ମୂଲ୍ୟାଙ୍କନ କରୁଛି । ବ୍ଲୁ ଅରିଜିନ୍‌ ନିଜର ‘ବ୍ଲୁ ରିଙ୍ଗ୍‌’ କକ୍ଷୀୟ ଟଗ୍‌ ଅବଧାରଣା ପ୍ରସ୍ତାବ ଦେଇଛି । ଡାଟା ରିଲେ ସେବା ଓ ମହାକାଶରେ କ୍ଲାଉଡ୍‌ କମ୍ପ୍ୟୁଟିଙ୍ଗ୍‌କୁ ସକ୍ଷମ କରିବା ଏହାର ଲକ୍ଷ୍ୟ । ପେଣ୍ଟାଗନ୍‌ର ଡାର୍କସ୍କାଇ-୧ ମିଶନ ଅଧୀନରେ ଏହି ପ୍ରୋଜେକ୍ଟର ପ୍ରାଥମିକ ପରୀକ୍ଷଣ ଲାଗି ସ୍ଥିର ହୋଇଛି । ତେବେ ମିଶନ ଲଞ୍ଚ୍‌ର କୌଣସି ଔପଚାରିକ ତାରିଖ ବିଷୟରେ ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷେ, ଲକ୍‌ହିଡ୍‌ ମାର୍ଟିନ୍‌ ମାର୍ସ ଆଟ୍‌ମୋସପିୟର ଆଣ୍ଡ ଭୋଲାଟାଇଲ ଇଭୋଲ୍ୟୁସନ୍‌ (ମାଭେନ୍‌) ମହାକାଶଯାନର ପୁନଃ ଉପଯୋଗ ପ୍ରସ୍ତାବ ଦେଇଛି । ମଙ୍ଗଳର ବାୟୁମଣ୍ଡଳ ଅଧ୍ୟୟନ ଲାଗି ୨୦୧୩ ମସିହାରେ ମାଭେନ୍‌ ମିଶନ ଉତ୍‌କ୍ଷେପଣ ହୋଇଥିଲା । ପ୍ରସ୍ତାବକୁ ଅନୁମତି ମିଳିଲେ ଯୋଗାଯୋଗ କକ୍ଷରେ ଏହାକୁ ପୁନଃ ମୁତୟନ କରାଯାଇପାରେ । ପୃଥିବୀରେ ନାସାର ଗଭୀର ମହାକାଶ ନେଟ୍‌ୱର୍କ ଲାଗି ଏହା ଏକ ରିଲେ ହବ୍‌ ଭାବେ କାମ କରିବ ।